ନାବାଳିକା ଶାଳୀକୁ ଅପହରଣ କରି ଭିଣୋଇ ଗିରଫ, ଲାଗିଲା ପୋକସୋ ଆକ୍ଟ

ଭୁବନେଶ୍ୱର : ନାବାଳିକା ଶାଳୀ କୁ ନେଇ ଫେରାର ହୋଇଯାଇଥିବା ଭିଣୋଇକୁ ଗିରଫ କଲା ପୋଲିସ୍‌ । ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ପୋଲିସ୍‌ ଭିଣୋଇକୁ ଗିରଫ କରିଛି। ଭୁବନେଶ୍ୱର କାରଗିଲ ବସ୍ତିରେ ଏହି ଘଟଣା ଘଟିଛି ।
ପରିବାର ଲୋକଙ୍କ ସୂଚନା ଅନୁସାରେ ସିଲୁ ସ୍ୱାଇଁ ନାମକ ଜଣେ ଯୁବକ ନିଜର ପୁଅ ଝିଅ ଓ ସ୍ତ୍ରୀ ସହିତ ଦୀର୍ଘ ବର୍ଷ ହେବ କାରଗିଲ ବସ୍ତିରେ ରହି ଆସୁଥିଲେ। ସିଲୁ ଜଣେ ସେଣ୍ଟ୍ରିଂ ମିସ୍ତ୍ରୀ ଭାବରେ କାମ କରନ୍ତି । ତାଙ୍କ ପାଖରେ ତାଙ୍କର ଜଣେ ନାବାଳିକା ଶାଳୀ ରହୁଥିଲେ ।

ତେବେ ଶାଳୀ ସହ ସିଲୁର ସମ୍ପର୍କ ଗଢ଼ି ଉଠିବା ପରେ ପରିବାରରେ ଅଶାନ୍ତିର ଝଡ଼ ସୃଷ୍ଟି ହେଲା । ଏହି ବସ୍ତିରେ ସିଲୁର ଦେଢ଼ ଶାଶୁ ପରିବାର ମଧ୍ୟ ରୁହନ୍ତି। ଏକଥା ଜାଣିବା ପରେ ସେ ତାଙ୍କ ସାନ ଭଉଣୀକୁ ଆଣି ନିଜ ପାଖରେ ରଖିଲେ । ତେବେ ପ୍ରାୟ ୧୫ ଦିନ ତଳେ ସିଲୁ ସେଠାରୁ ତାର ଶାଳୀକୁ ନେଇ କେଉଁ ଆଡ଼େ ପଳାଇ ଯାଇଥିଲା । ଦିନକ ପୂର୍ବରୁ ସିଲୁ ଘରକୁ ଫେରିବା ପରେ ତାର ଦେଢ ଶାଶୁ ସନ୍ଦେହ କରି ଏୟାରଫିଲ୍‌ଡ ଥାନାରେ ତାଙ୍କ ନାଁରେ ଏତଲା ଦେଲେ । ଏହା ପରେ ପୋଲିସ୍‌ ସିଲୁକୁ ଗିରଫ କରିଥିଲା । ଯେହେତୁ ଶାଳୀ ନାବାଳିକା ତେଣୁ ପୋଲିସ୍ ଘଟଣାକୁ ଗୁରୁତର ଭାବରେ ଗ୍ରହଣ କରିଛି ।

ସିଲୁ ବିରୋଧରେ ପୋକସୋ ଆକ୍ଟ ସହ ବିଭିନ୍ନ ଦଫା ଲଗାଇ କୋର୍ଟ ଚାଲାଣ ପରେ ଜେଲ୍‌ ପଠାଇ ଦେଇଛନ୍ତି । ନାବାଳିକାକୁ ସିଲୁର ଗାଁ ଜଗତସିଂହପୁରରୁ ଉଦ୍ଧାର କରାଯାଇଛି । । ଉଦ୍ଧାର ପରେ ତାର ଡାକ୍ତରୀ ପରୀକ୍ଷା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.