ବ୍ରିଜରୁ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍ , ୫ମୃତ; ୪୬ ଆହତ

ଯାଜପୁରରେ ବ୍ରିଜରୁ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଯାଜପୁର (କେନ୍ୟୁଜ): ଯାଜପୁରରେ ବ୍ରିଜରୁ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୬ ଜଣ ଯାତ୍ରୀ ଆହତ ହୋଇଛନ୍ତି ।  ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି । ୪୬ ଆହତଙ୍କ ମଧ୍ୟରୁ ୫ ଗୁରୁତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଗତକାଲି ବସଟି ପୁରୀରୁ ଦିନ ୪ଟାରୁ ବାହାରି ଦୀଘା ଯାଉଥିଲା । ଏନ୍ ଏଚ୍ -୧୬ର ବାରବାଟୀ ଓଭରବ୍ରିଜରେ ଡିଭାଇଡରକୁ ଧକ୍କାଦେଇ ୩୦ ଫୁଟ ତଳକୁ ଖସିପଡିଥିଲା ବସ୍ । ଖବର ପାଇ ତୁରନ୍ତ ପୋଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରଥିଲେ। ସ୍ଥାନୀୟ ଏସପି ଓ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ । ଉଦ୍ଧାର କାର୍ଯ୍ୟରେ ୧୬ଟି ଆମ୍ବୁଲାସନସ ଓ ୫ଟି କ୍ରେନ ନିୟୋଜିତ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଉଦ୍ଧାର କାର୍ଯ୍ୟ। ବସଟି କେଉଁ ପରିସ୍ଥିତିରେ ଓଭର ବ୍ରିଜ ତଳକୁ ଖସିପଡ଼ିଲା ସେନେଇ କାରଣ ସ୍ପଷ୍ଟ ହୋଇନି ।

ଅନ୍ୟପଟେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ଭିକେ ପାଣ୍ଡିଆନ । ଏଥିସହିତ  SCBର ବରିଷ୍ଠ ଅଧିକାରୀଙ୍କ ସମେତ କଟକ ଜିଲ୍ଲାପାଳ, ଡିସିପି ଓ ଯାଜପୁର ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ ।  ଏବେ SCBରେ ମୋଟ ୪୬ ଜଣ ଚିକିତ୍ସିତ ହେଉଛନ୍ତି ।  ୫ ଜଣ ଆଇସିୟୁରେ ଅଛନ୍ତି । ପ୍ରାଥମିକ ଚିକିତ୍ସା ପରେ ୨୭ଜଣଙ୍କୁ ଡିସଚାର୍ଜ କରାଯାଇଛି । ୪୦ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସାରେ ନିୟୋଜିତ ଅଛନ୍ତି । ସେହିପରି ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହ ଆହତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.