ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର ଦିଗ ନିର୍ଣ୍ଣୟ ପୂର୍ବକ ଚକ, ଅଖ ସେଟିଂ ହୋଇ ତିନି ରଥ ଉପରକୁ ଦଣ୍ଡା ଫ୍ରେମ ଉଠି କଣ୍ଟା ବାଡିଆ ଶେଷ ହୋଇଛି । ତିନି ରଥ ମୁଖ୍ୟ ମହାରଣାଙ୍କ ଦ୍ଵାରା ଅନୁକୂଳ ପୁଜାପରେ ଦଣ୍ଡାଗୁଡ଼ିକ ଅଖ ଉପରେ ସେଟିଂ ପାଇଁ ମାପ ଚିହ୍ନ ଦେବାପରେ ଭୋଇ ସର୍ଦ୍ଦାରଙ୍କ ନେତୃତ୍ବରେ ଭୋଇ ସେବକ ମାନେ ତିନିରଥ ଅଖ ଉପରକୁ ଦଣ୍ଡା ଉଠାଇଥିଲେ ।

ଦଣ୍ଡା ପଡ଼ିଲା ପରେ ମହାରଣା ସେବକ ମାନେ ତିନି ରଥର ଦଣ୍ଡା ଗୋଳେଇ କାର୍ଯ୍ୟ କରିଥିଲେ । ତିନି ରଥର ଦଣ୍ଡାକୁ ଅଖ ସହ ସେଟିଂ କରାଯାଇ ଉପରେ ବିରାଡ଼ି ପଡ଼ିଵା ପରେ କୁଡୁକା ସଂଯୋଗ ଏବଂ କତା ଦଉଡିରେ ଟାଣ ଦେଇ ବାନ୍ଧେଣି କରାଯାଇଥିଲା । ଏହାପରେ ଅନୁକୂଳ ପୂଜା ପୂର୍ବକ ଓଝା ସେବକ ମାନେ ମୁଖ୍ୟ ମହାରଣା, ମୁଖ୍ୟ ଭୋଇ ସେବକଙ୍କ ଉପସ୍ଥିତିରେ ତିନି ରଥ ଅଖ ଉପରେ ଦଣ୍ଡା ଫ୍ରେମ ମଜବୁତ ପାଇଁ କଣ୍ଟା ବାଡିଆ କାର୍ଯ୍ୟ ଶେଷ କରିଥିଲେ ।

ଆଜି ତିନି ରଥରେ ଦୁଇଟି ଲେଖାଏଁ ଗରଗରା ଉଠି କଣ୍ଟା ପଡ଼ିବା କାର୍ଯ୍ୟ ସମ୍ପନ୍ନ ହୋଇଛି  । ତିନି ରଥର ୯ଟି ଲେଖାଏଁ ଚଉଦ ନାହାକା ନିର୍ମାଣ ସହ ଚରିଗୋଟି ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି । ରୂପକାର ସେବକ ମାନେ ତିନି ରଥର ସିଂହାସନ ମୁହାଁଟି ରେ ଚିତ୍ର ଖୋଦେଇ ସହ ନାଟ ଗୋଡ଼ ରେ ରାହୁ ରୂପ ଖୋଦେଇ ଜାରୀ ରଖିଛନ୍ତି । ସେପଟେ ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଗୟଳ କଣ୍ଟା, ଯୋକା କଣ୍ଟା ଏବଂ ଚନାକ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

Leave A Reply

Your email address will not be published.