Below header

ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଧିବଦ୍ଧ ଭାବେ ଦଳରେ ହେଲେ ସାମିଲ

ବିଜେପିରେ ଯୋଗଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଜେପି ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରଶାନ୍ତ ଜଗଦ୍ଦେବ ପଦ୍ମ ଧରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ବିଜେପିରେ ଯୋଗଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ଦାସ, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ରଙ୍କ ଉପସ୍ଥିତିରେ ପ୍ରଶାନ୍ତ ପଦ୍ମ ଧରିଛନ୍ତି । ରାଜ୍ୟ ବିଜେପି ନିର୍ବାଚନ ସହ-ପ୍ରଭାରୀ ଲତା ଉସେଣ୍ଡି ଦଳୀୟ ଉତ୍ତରୀୟ ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ ଟୋପି ପ୍ରଦାନ ଦେଇ ପ୍ରଶାନ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଆଉ ପ୍ରଶାନ୍ତ ଜଗଦ୍ଦେବ ଦଳରେ ମିଶିବାକୁ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଅପରାଜିତା । ଅନ୍ୟପଟେ ବିଜେପିରେ ସାମିଲ ହେଇ ଖୁସି ଥିବା କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାର ଜଣେ ବାହୁବଳୀ ନେତା ଥିବା ବେଳେ ଚିଲିକାର ବିଧାୟକ ଥିଲେ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ବଡ଼ପୋଖରିଆ ଅଞ୍ଚଳରେ ହୋଇଥିବାରୁ ସମଗ୍ର ଜିଲ୍ଲାରେ ତାଙ୍କର ଭଲ ଦବଦବା ରହିଛି।ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର କଲେଜର ଛାତ୍ର ସଂସଦ ସଭାପତିଭାବେ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ଜିଲ୍ଲା ପରିଷଦତ ସଭ୍ୟ ଓ ପରେ ପରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ପରିଷଦ ଚେୟାରମ୍ୟାନ ହୋଇଥିଲେ । ପରେ ବେଗୁନିଆରୁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ ।

ପରବର୍ତ୍ତୀ ଅବସ୍ଥାରେ ସେ ବିଜୁ ଜନତା ଦଳ ପକ୍ଷରୁ ଲଢି ବେଗୁନିଆ ବିଧାୟକ ହୋଇଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ବେଗୁନିଆ ବିଧାୟକ ଥିଲେ । ୨୦୧୯ରେ ତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଚିଲିକାରୁ ପ୍ରାର୍ଥୀ କରାଯାଇଥିଲା ଏବଂ ସେ ବାଜିମାତ କରିଥିଲେ । ତେବେ ପରେ ପରେ ତାଙ୍କର ଆଚରଣ ପାଇଁ ସେ ବିବାଦ ଘେରକୁ ଆସିଥିଲେ । ବିଶେଷ କରି ୨୦୨୨ ମସିହା ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଯେଉଁ ଅଘଟଣ ଘଟିଥିଲା ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ । ଲୋକଙ୍କ ଉପରେ ସେ ଗାଡ଼ି ଚଢାଇ ଦେବାକୁ ନେଇ ଦଳ ତାଙ୍କୁ ନିଲମ୍ବନ କରିଥିଲା । ପରବର୍ତ୍ତୀ ଅବସ୍ଥାରେ ଦଳ ତାଙ୍କୁ ବହିଷ୍କାର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.