ପରିବାର ଉପରେ ବୋଝ ହୁଅନ୍ତୁ ନାହିଁ, ନିଅନ୍ତୁ ସରକାରୀ ସୁବିଧାର ସୁଯୋଗ

ସବୁ ବାପା ମାଆଙ୍କର ସ୍ୱପ୍ନ ଥାଏ ତାଙ୍କ ପିଲାଟି ପାଠ ପଢ଼ି ଭଲ ଚାକିରିଟିଏ କରୁ । ଯାହାଫଳରେ ନିଜେ ଭଲରେ ରହିବ ଓ ପରିବାରର ଦୁଃଖ ଘୁଞ୍ଚିବ । ହେଲେ ଗାଁ ଗହଳିରେ ଅଧା ପାଠ ପଢ଼ି ରହିଯାଇଥିବା ପିଲାଟି ବେକାର ହୁଏ ବୁଲେ । ପରିବାର ଉପରେ ବୋଝ ପାଲଟି ଯାଏ । ତେବେ ଏଭଳି ବେକାର ଯୁବକଙ୍କ ପାଇଁ ନିଶ୍ଚିତ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିଲାମାନଙ୍କର ଦକ୍ଷତାର ବିକାଶ କରି ସେମାନଙ୍କୁ ‘ମୁଖ୍ୟମନ୍ତ୍ରୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା’ରେ ଯୋଗାଇ ଦିଆଯାଉଛି ରୋଜଗାରର ପନ୍ଥା । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ଜିଲ୍ଲାରେ ଖୋଲା ଯାଇଛି ବିଜୁ ଦକ୍ଷତା ବିକାଶ କେନ୍ଦ୍ର । ଗାଁରେ ମାଟ୍ରିକ୍‌ ପାସ୍‌ କରି ବେକାର ବୁଲୁଥିବା ଯୁବକମାନଙ୍କୁ ଏହି କେନ୍ଦ୍ରରେ ତାଲିମ ଦିଆଯାଉଛି । ଏହା ପରେ ସେମାନଙ୍କୁ ସିଧାସଳଖ ନିଯୁକ୍ତି ମିଳୁଛି ।
ଏହି କେନ୍ଦ୍ରରେ ଫାଇଭ୍‌ ଷ୍ଟାର୍‌ ହୋଟେଲରେ ହାଉସ୍‌ କିପିଂ ଓ ଏଫ୍‌ ଆଣ୍ଡ ବି ସର୍ଭିସ୍‌ ବିଷୟରେ ଶିକ୍ଷା ଦିଆଯାଉଛି । ଉଭୟ ପାଠ୍ୟକ୍ରମରେ ୩୦ ଜଣ ଲେଖାଏଁ ପିଲା ତିନିମାସ ତାଲିମ ନେଇଥାନ୍ତି । ଏଥିଲାଗି ସ୍ୱତନ୍ତ୍ର ପୁସ୍ତକ ମଧ୍ୟ ପ୍ରସ୍ତୁତ କରାଯାଇଛି । ପ୍ରଶିକ୍ଷାର୍ଥୀଙ୍କ ଚାକିରି ନିଶ୍ଚିତ ଏଇଥିପାଇଁ ଯେ, କାହିଁକି ନା ସଂପୃକ୍ତ କମ୍ପାନୀ ନିଜେ ପିଲାଙ୍କୁ ତାଲିମ ଦେବା ପରେ ନିଯୁକ୍ତି ଦେଇଥାଏ । ନିଯୁକ୍ତି ପରେ ପ୍ରଥମିକ ଭାବେ ଶିକ୍ଷାର୍ଥୀମାନଙ୍କୁ ୭ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ସହ ରହିବା ଓ ଖାଇବା ମାଗଣାରେ ଯୋଗାଇଥାଏ ସମ୍ପୃକ୍ତ କମ୍ପାନୀ ।
ତାଲିମ ବେଳେ ହଷ୍ଟେଲରେ ରହିବା, ଖାଇବା ଏବଂ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି । ଯେଭଳି ଫାଇଭଷ୍ଟାର ହୋଟେଲରେ କାର୍ଯ୍ୟ ପରିଚାଳନା ଠିକ୍‌ ଭାବରେ କରି ପାରିବେ ସେହି ଅନୁଯାୟୀ ଅଭିଜ୍ଞ ଶିକ୍ଷକମାନେ ତାଲିମ ଦେଉଛନ୍ତି । ହଷ୍ଟେଲରେ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ସବୁ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି । ଖେଳକୁଦଠାରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ପ୍ରତିଟି କଥାକୁ ରାଜ୍ୟସରକାର ଧ୍ୟାନ ଦେଇଛନ୍ତି । ଏମିତିକି ଶିକ୍ଷାନୁଷ୍ଠାନର ପ୍ରାକ୍ଟିକାଲ ରୁମ୍‌ଗୁଡ଼ିକ ଠିକ୍‌ ଫାଇଭଷ୍ଟାର ହୋଟେଲ ରୁମ୍‌ ଭଳି କରାଯାଇଛି । ଯାହାଫଳରେ ଛାତ୍ରମାନେ ଶିକ୍ଷା ଗ୍ରହଣ କରୁଥିବା ବେଳେ ହିଁ ସିଧାସଳଖ ଯୋଡ଼ି ହୋଇଯାଆନ୍ତି ନିଜ ଭବିଷ୍ୟତ କର୍ମ ସହ । ବିଜୁ ଦକ୍ଷତା ବିକାଶ କେନ୍ଦ୍ରରେ ବହୁ ସଂଖ୍ୟାରେ ଜନଜାତିର ଯୁବକ ସାମିଲ ହୋଇଛନ୍ତି । ବିଜୁ ଦକ୍ଷତା ବିକାଶ କେନ୍ଦ୍ର ସହ ଯୋଗାଯୋଗ କରି ଆପଣ ବି ଆତ୍ମନିର୍ଭରଶୀଳ ହୋଇ ପାରିବେ ।

Leave A Reply

Your email address will not be published.