Below header

କିଟ୍‌ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ୩୯ତମ ବିଶ୍ୱ କବି ମହାକୁମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ଗାନ୍ଧୀ ଜୟନ୍ତୀରେ ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଛି ୩୯ତମ ବିଶ୍ୱ କବି ମହାକୁମ୍ଭ । ପ୍ରଥମ ଥର ଓଡ଼ିଶାରେ ଆୟୋଜନ ହେଉଛି ବିଶ୍ୱ କବି ସମ୍ମିଳନୀ । ବିଶ୍ୱ କବି ମହାକୁମ୍ଭକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ରହିଥିଲେ ଓଡ଼ିଶାର ପର୍ଯ୍ୟଟନ, ଭାଷା,  ଇଣ୍ଡିଆନ୍‌ କାଉନ୍‌ସିଲ ଫର କଲଚରାଲ୍‌ ରିଲେସନ ମହାନିର୍ଦ୍ଦେଶକ ଅଖିଳେଶ ମିଶ୍ର । ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି ବିଶ୍ୱର ୮୨ ଦେଶରୁ ୧ ହଜାର କବି ଓ ପ୍ରତିନିଧି। ସେହିପରି ଓଡ଼ିଶାରୁ ୫ଶହ କବି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଏହା ସହ ପଢନ୍ତୁ: ପ୍ଲାଷ୍ଟିକ୍‌ ବ୍ୟାନ୍‌ ଭଲ କଥା, ହେଲେ ବିକଳ୍ପ କିଛି କରାଯାଇଛି କି ?

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀକୁ ଦୃଷ୍ଟିରେ ରଖି ଚଳିତଥର ବିଶ୍ୱ କବି ସମ୍ମିଳନୀର ବିଷୟ ରହିଛି “କବିତା ମାଧ୍ୟମରେ କରୁଣା”। ଆସନ୍ତାକାଲି ବୌଦ୍ଧିକ କବିତା ପାଠୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୪ ତାରିଖ ଦିନ ଅର୍କକ୍ଷେତ୍ର କୋଣାର୍କରେ ଆୟୋଜିତ ହେବ ପର୍ଯ୍ୟଟନ କବିତା ପାଠୋତ୍ସବ । ଓଡ଼ିଶାର ପର୍ଯ୍ୟଟନ ବିଭବ ସମ୍ପର୍କରେ ବିଶ୍ୱର କୋଣ ଅନୁକୋଣରୁ ଆସିଥିବା କବିମାନଙ୍କୁ ଅବଗତ କରାଇବା ପାଇଁ ଏଭଳି ଆୟୋଜନ କରାଯାଇଛି ।

ଏହା ସହ ପଢନ୍ତୁ:  ମୋହନା: ବିନା ଲାଇସେନ୍ସରେ ଚଳାଉଥିଲେ ସୋରୁମ, ଜିଲ୍ଲା ପରିବହନ ବିଭାଗ କଲା ସିଜ୍

ସେହିପରି ଅକ୍ଟୋବର ୫ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ ଆଧ୍ୟାତ୍ମିକ କବିତା ପାଠୋତ୍ସବ । ଉଦ୍‌ଯାପନୀ ସମାରୋହ ୬ ତାରିଖରେ କିଟ୍‌ ପରିସରରେ ଅନୁଷ୍ଠିତ ହେବ। ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଏହି ଅବସରରେ ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାଷା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନସୂଚକ ଡିଲିଟ୍‌ ପ୍ରଦାନ କରାଯିବ । ସେହିପରି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୫ ଜଣଙ୍କୁ ସମ୍ମାନସୂଚକ ଡିପ୍ଲୋମା ସମ୍ମାନ ପ୍ରଦାନ କରାଯିବ । ଏହି ଅବସରରେ ୩୯ତମ ବିଶ୍ୱ କବି ସମ୍ମିଳନୀର ସଭାପତି ତଥା କିଟ୍‌, କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଡବ୍ଲୁସିପିର ସର୍ବୋଚ୍ଚ ସମ୍ମାନ ଗୋଲ୍‌ଡେନ୍‌ ଗ୍ୟାବେଲ୍‌ ପ୍ରଦାନ କରାଯିବ । ଏଥି ସହିତ ପ୍ରଫେସର ଆଚାର୍ଯ୍ୟ ଭାବାନନ୍ଦଙ୍କୁ ସାହିତ୍ୟ ପାଇଁ ଗାନ୍ଧୀ ପୁରସ୍କାର ପ୍ରଦାନ କରାଯିବ । କିଟ୍‌, କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ କ୍ରମେ ପ୍ରଥମ ଥର ପାଇଁ ଓଡ଼ିଶାରେ ବିଶ୍ୱ କବି ମହାକୁମ୍ଭ ଆୟୋଜନ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.