ରୋହିଣୀ ଆଚାର୍ଯ୍ୟଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ଅଙ୍ଗରକ୍ଷୀ ନିଲମ୍ବିତ
ବିହାରର ସାରଣରେ ନିର୍ବାଚନ ଲଢ଼ୁଥିବା ଲାଲୁ ଯାଦବଙ୍କ ଦ୍ୱିତୀୟ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ସମସ୍ୟା ବଢ଼ି ଯାଇଛି । ନିର୍ବାଚନ ଦିନ ତାଙ୍କ ସହିତ ବୁଲୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ଅଙ୍ଗରାକ୍ଷୀଙ୍କୁ ନିଲମ୍ବିତ କରାଯାଇଛି ।

ବିହାରର ସାରଣରେ ନିର୍ବାଚନ ଲଢ଼ୁଥିବା ଲାଲୁ ଯାଦବଙ୍କ ଦ୍ୱିତୀୟ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ସମସ୍ୟା ବଢ଼ି ଯାଇଛି । ନିର୍ବାଚନ ଦିନ ତାଙ୍କ ସହିତ ବୁଲୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ଅଙ୍ଗରାକ୍ଷୀଙ୍କୁ ନିଲମ୍ବିତ କରାଯାଇଛି । ସାରଣ ଲୋକସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ରୋହିଣୀ ଆଚାର୍ଯ୍ୟଙ୍କ ସହ ନିର୍ବାଚନ ଦିନ ବୁଲିବା ନେଇ ପାଟନା ଜିଲ୍ଲା ଫୋର୍ସର କନଷ୍ଟେବଳ ଜିତେନ୍ଦ୍ର ସିଂଙ୍କ ନାଁରେ ଅଭିଯୋଗ ହୋଇଥିଲା ।
ତାଙ୍କ ବିରୋଧରେ ଏସ୍ଏସ୍ପିଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପାଟନା ଏସ୍ଏସ୍ପି ରାଜୀବ ମିଶ୍ର ତତ୍କାଳ ପ୍ରଭାବ ସହିତ ତାଙ୍କୁ ନିଲମ୍ବିତ କରିଛନ୍ତି । ଏହାପୂର୍ବରୁ ସାରଣ ପୋଲିସର ଏସ୍ଆଇଟି ୧୦ ସର୍କୁଲାର ରୋଡ୍ରେ ପହଞ୍ଚି ମାମଲାର ତଦନ୍ତ କରିଥିଲା ।
ପ୍ରକୃତରେ, ଏହି ମାମଲାରେ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା, ଯାହା ପରେ ଗୁରୁବାର ସାରଣ ପୋଲିସର ଏସ୍ଆଇଟି ରାବଡ଼ି ଦେବୀଙ୍କ ବାସଭବନରେ ପହଞ୍ଚି ବହୁ ସମୟ ଧରି ମାମଲାର ତଦନ୍ତ କରିଥିଲା । ଅଙ୍ଗରକ୍ଷୀଙ୍କ ବିଷୟରେ ଏସ୍ଆଇଟି ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା । ଅଭିଯୋଗରେ କୁହାଯାଇଥିଲା ଯେ ରୋହିଣୀ ଆଚାର୍ଯ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ସୁରକ୍ଷା କର୍ମୀଙ୍କୁ ଅପବ୍ୟବହାର କରୁଛନ୍ତି, ଯାହା ଆଚରଣ ବିଧିର ଉଲ୍ଲଂଘନ । ମା’ଙ୍କୁ ସୁରକ୍ଷାରେ ମିଳିଥିବା ଏସ୍କର୍ଟର ଅପବ୍ୟବହାର କରିବା ଉଚିତ୍ ନୁହେଁ । ରୋଡ୍ ଶୋ’ରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଜିତେନ୍ଦ୍ର ସିଂ ରୋହିଣୀଙ୍କ ସହିତ ଦେଖାଯାଇଥିଲେ ।
କହି ରଖୁଛୁ ଯେ ଏହାପୂର୍ବରୁ ନଗର ଥାନା ଅଞ୍ଚଳର ବୁଥ୍ ନମ୍ବର ୩୧୮ ଓ ୩୧୯ରେ ଗଣ୍ଡଗୋଳକୁ ନେଇ ରୋହିଣୀ ଆଚାର୍ଯ୍ୟଙ୍କ ବିରୋଧରେ ସାରଣ ପୋଲିସ ମେ’ ୨୦ରେ ମାମଲା ରୁଜୁ କରିଥିଲା । ବିଜେପି କର୍ମୀ ମନୋଜ ସିଂ ନଗର ଥାନାରେ ଆର୍ଜେଡି ପ୍ରାର୍ଥୀ ରୋହିଣୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଏବଂ ରିପ୍ରେଜେଣ୍ଟେସନ ଅଫ୍ ପିପୁଲ୍ ଆକ୍ଟର ମାମଲା ଦାୟର କରିଥିଲେ । ପୋଲିସ ତାଙ୍କ ବିରୋଧରେ ଧାରା ୩୦୭, ୧୭୧ସି, ୧୮୮ ଏବଂ ROP ଆକ୍ଟ ଲାଗୁ କରିଛି । ନଗର ଥାନାରେ ଏ ନେଇ ନଂ. ୩୪୯/୨୦୨୪ରେ ମାମଲା ପଞ୍ଜିକୃତ ହୋଇଛି ।