ପପୁଆ ନ୍ୟୁ ଗିନିରେ ଭୟଙ୍କର ଭୂସ୍ଖଳନ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ପପୁଆ ନ୍ୟୁ ଗିନିରେ ଭୟଙ୍କର ଭୂସ୍ଖଳନ । ଏହି ଭୂସ୍ଖଳନରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଅଷ୍ଟ୍ରେଲୀୟ ବ୍ରଡ୍‌କାଷ୍ଟିଂ କର୍ପ (ଏବିସି)ର ରିପୋର୍ଟରୁ ଏହା ଜଣାପଡ଼ିଛି ।

ପପୁଆ ନ୍ୟୁ ଗିନିରେ ଭୟଙ୍କର ଭୂସ୍ଖଳନ । ଏହି ଭୂସ୍ଖଳନରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଅଷ୍ଟ୍ରେଲୀୟ ବ୍ରଡ୍‌କାଷ୍ଟିଂ କର୍ପ (ଏବିସି)ର ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ମୁତାବକ, ଦକ୍ଷିଣ ପ୍ରଶାନ୍ତ ଦ୍ୱୀପ ଦେଶର ରାଜଧାନୀ ପୋର୍ଟ ମୋରେସବିଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମରେ ଏଙ୍ଗା ପ୍ରଦେଶର କାଓକଲାମ ଗ୍ରାମରେ ଏହି ଭୂସ୍ଖଳନ ଘଟିଛି ।

ସ୍ଥାନୀୟ ସମୟ ପାଖାପାଖି ଭୋର୍‌ ୩ଟା ସମୟରେ ଏହି ଘଟଣା ଘଟିଥିଲା । ଅଞ୍ଚଳବାସୀ କହିଛନ୍ତି ଯେ ମୃତକଙ୍କ ସଂଖ୍ୟା ୧୦୦ରୁ ଅଧିକ ହୋଇପାରେ । ତେବେ ଅଧିକାରୀମାନେ ଏହି ସଂଖ୍ୟା ନିଶ୍ଚିତ କରିନାହାନ୍ତି ।

ସେପଟେ ଭୂସ୍ଖଳନ ହେତୁ ଅନେକ ଗାଁର ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ରିଲିଫ୍‌ ଏବଂ ଉଦ୍ଧାର କର୍ମୀମାନେ ଲୋକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ କରୁଛନ୍ତି । ଧସି ପଡ଼ିଥିବା ମାଟି ଭିତରେ ଦବି ରହିଥିବା ଅନେକ ମୃତଦେହକୁ ବାହାର କରାଯାଇଛି । ସ୍ଥାନୀୟ ଲୋକମାନେ ଭୂସ୍ଖଳନ ପରେ ଦବି ରହିଥିବା ମୃତଦେହଗୁଡ଼ିକୁ ବାହାର କରିବାରେ ରିଲିଫ୍‌ ଏବଂ ଉଦ୍ଧାରକାରୀଙ୍କୁ ସାହାଯ୍ୟ କରୁଛନ୍ତି ।

ତେବେ ପପୁଆ ନ୍ୟୁ ଗିନିର ସରକାର ଏବଂ ପୋଲିସ ଏ ସମ୍ପର୍କରେ କୌଣସି ଟିପ୍ପଣୀ ଦେଇନାହାନ୍ତି ।

ପପୁଆ ନ୍ୟୁ ଗିନି ଏକ ବିକାଶଶୀଳ ଦେଶ । ଏଠାରେ ୮୦୦ରୁ ଅଧିକ ଭାଷା କୁହାଯାଏ । ଦେଶରେ ଅଧିକାଂଶ ଲୋକ ଚାଷ କରି ନିଜର ଜୀବିକା ନିର୍ବାହ କରନ୍ତି । ଏଠାକାର ଜନସଂଖ୍ୟା ହେଉଛି ୧ କୋଟି, ଯାହା ଅଷ୍ଟ୍ରେଲିଆ ପରେ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦକ୍ଷିଣ ପ୍ରଶାନ୍ତ ଦେଶ ।

କହି ରଖୁଛୁ, ଭୂସ୍ଖଳନ ପୂର୍ବରୁ ପପୁଆ ନ୍ୟୁ ଗିନିରେ ଭୂମିକମ୍ପ ଝଟ୍‌କା ମଧ୍ୟ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ଫିନ୍ସଚାଫେନ୍‌ଠାରୁ ୩୯ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଆସିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ମପାଯାଇଥିଲା । ଭାରତୀୟ ସମୟ ଅନୁସାରେ, ଗୁରୁବାର ସକାଳ ୯ଟା ୪୯ ମିନିଟ୍‌ରେ ପପୁଆ ନ୍ୟୁ ଗିନିରେ ଭୂମିକମ୍ପ ଆସିଥିଲା । ଯଦିଓ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

Leave A Reply

Your email address will not be published.