ପେଶାରେ ପୋଲିସ୍‌ ଅଫିସର, କିନ୍ତୁ ନିଶା ତାଙ୍କର ରକ୍ତ ଦାନ କରି ଲୋକଙ୍କ ସେବା କରିବା

ଏବେ ତ ଜୀବନ ବଞ୍ଚାଇବାଠୁ ଜୀବନ ନେଇଯିବା ଅତି ସହଜ ହୋଇଗଲାଣି । ତେବେ ଯିଏ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ତାଙ୍କୁ ଆମେ କଣ କହିବା? ଯିଏ ଲୋକଙ୍କ ପାଇଁ ଚେଷ୍ଟା କରୁଛି ସେ କେତେ ମହାନ୍‌ ଲୋକଟିଏ ହୋଇନଥିବ ଥରେ ଚିନ୍ତା କଲେ ? ତାହା ପୁଣି ବିନା ସ୍ୱାର୍ଥରେ ।

ଭୁବନେଶ୍ୱର (କେନ୍ୟୁଜ୍‌) : କୁହାଯାଏ ରକ୍ତ ଦାନ ମହତ ଦାନ । ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଉଥିବା ମଣିଷଟିଏ ସମାଜ ଆଖିରେ ଖୁବ୍‌ ମହାନ୍‌ । ଆଉ ଯାହାକୁ ରକ୍ତ ଦାନ କରା ଯାଇଛି ତା ପାଇଁ ତ ଭଗବବାନଙ୍କ ଠାରୁ କିଛି କମ୍ ହୋଇନଥାଏ ସେହି ଲୋକ । ଆଜିକାଲି ଏମିତି ନିଆରା ଲୋକ ଖୁବ ବହୁତ କମ୍ ଦେଖିବାକୁ ମିଳନ୍ତି । ଏବେ ତ ଜୀବନ ବଞ୍ଚାଇବାଠୁ ଜୀବନ ନେଇଯିବା ଅତି ସହଜ ହୋଇଗଲାଣି । ତେବେ ଯିଏ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ତାଙ୍କୁ ଆମେ କଣ କହିବା? ଯିଏ ଲୋକଙ୍କ ପାଇଁ ଚେଷ୍ଟା କରୁଛି ସେ କେତେ ମହାନ୍‌ ଲୋକଟିଏ ହୋଇନଥିବ ଥରେ ଚିନ୍ତା କଲେ ? ତାହା ପୁଣି ବିନା ସ୍ୱାର୍ଥରେ ।

ପୋଲିସ ନା ଶୁଣିଲେ ଅନେକଙ୍କ ମନରେ ଡର ଓ ଅସନ୍ତୋଷର ଭାବ ଆସିଥାଏ । ଏଭଳି ହେବାର କାରଣ ବି ରହିଛି । କାହିଁକି ନା ପୋଲିସଙ୍କ ଭିତରେ କିଛି ଅଛନ୍ତି ଯେଉଁମାନେ ବିଭିନ୍ନ ଦୁର୍ନୀତି କୁକର୍ମ କରି ନିଜ ବିଭାଗର ନାଁ ବଦନାମ କରି ରଖିଛନ୍ତି । ହେଲେ ଅଧିକାଂଶ ଅଫିସର ଓ କର୍ମଚାରୀଙ୍କ ସଚ୍ଚୋଟତା ଯୋଗୁଁ ଆଜି ଆମେ ସେମାନଙ୍କ ସୁରକ୍ଷା ବଳୟରେ ଶାନ୍ତିରେ ନିଶ୍ୱାସ ମାରି ପାରୁଛୁ । ଜନସାଧାରଣ ସେମାନଙ୍କୁ କିଭଳି ବିଶ୍ୱାସ କରିବେ ସେମାନଙ୍କୁ କିଭଳି ଭଲ ପାଇବା ଦେବେ ସେଥିପାଇଁ ଦିନ ରାତି ଏକ କରି ଲୋକଙ୍କୁ ସେଵା ଯୋଗାଇ ଆସିଥାନ୍ତି । ଆଜି ଆମେ ପୋଲିସଙ୍କ ଭିତରେ ଜଣେ ଏମିତି ହିରୋଙ୍କ କଥା କହିବୁ ଯାହାଙ୍କର ମହାନ କାମ ଦୂର ଦୂର ମହକିବା ସହିତ ଚାରିଆଡେ ପ୍ରଶଂସାର ସୁଅ ଛୁଟୁଛି । ଖାଲି ସେତିକି ନୁହେଁ ଓଡିଶା ମାଟିର ଗର୍ବ କହିଲେ ଭୁଲ ହେବନି ଏଭଳି ଜଣେ ସୁନା ପୁଅ ପୋଲିସ ଅଫିସରଙ୍କୁ । ଆସନ୍ତୁ ସେହି ପୋଲିସ ଅଫିସରଙ୍କ ବିଷୟରେ ଜାଣିବା । ଏଭଳି ଜଣେ ମାନବିକତାର ସ୍ୱରୂପ ସୁନ୍ଦର ବ୍ୟକ୍ତିତ୍ୱ ସହିତ ଆଜି କଥା ହେବା । ଏଇ ପୋଲିସ ଅଫିସର ଜଣଙ୍କ ହେଉଛନ୍ତି ଲଳିତେନ୍ଦୁ ମହାନ୍ତି । ଡେପୁଟି କମାଣ୍ଡାଣ୍ଟ ଅଫ ପୋଲିସ । କମିସନରେଟ ପୋଲିସରେ କାର୍ଯ୍ୟରତ । ବାପା ମା’ଙ୍କର ତିନି ପୁଅ ମଧ୍ୟରୁ ଜଣେ । ତେବେ ଏହି ପୋଲିସ ଅଫିସରଙ୍କ କାମ ଜାଣିଲେ ଆପଣମାନଙ୍କ ମୁଣ୍ଡ ଆପେ ଆପେ ନଇଁ ଯିବ ତାଙ୍କ ପାଖରେ । ସେ ଅପରାଧୀଙ୍କୁ ସିନା ସାବାଡ୍‌ କରନ୍ତି ତେବେ ମଣିଷ ବଞ୍ଚାଇବା ଭଳି ମହାନ କାମ ବି କରନ୍ତି । କଣ ସେ କାମ ବୋଲି ଆପଣମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ।

ନିଜର କର୍ତ୍ତବ୍ୟ ତୁଲାଇବା ସହିତ ଅନେକ ସମୟରେ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ବୁଝାନ୍ତି ରକ୍ତ ଦାନ କରିବାକୁ । ଆଉ ଏଭଳି ଭାବେ ସେ ବୁଝାଇ ଦିଅନ୍ତି ଯେ ଲୋକେ ଲଳିତେନ୍ଦୁଙ୍କ କଥା ମାନନ୍ତି । ରକ୍ତ ଦେବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତି । ଆଉ ସେହି ରକ୍ତ ସବୁ ସଂଗ୍ରହ ପରେ ସହରର ବିଭିନ୍ନ ସରକାରୀ ରକ୍ତ ଭଣ୍ଡାରକୁ ଦିଆଯାଏ । ଖାଲି ସେତିକି ନୁହେଁ ନିଜେ ମଧ୍ୟ ଯେଉଁଠି ଦରକାର ପଡେ ସେଇଠି ନିଜ ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚାନ୍ତି । ରକ୍ତଦାନର ଜଣେ ଅଘୋଷିତ ବ୍ରାଣ୍ଡ ଆମ୍ବାସଡର ପାଲଟିଛନ୍ତି ଲଳିତେନ୍ଦୁ । ସେ ଯେଉଁ ରକ୍ତ ସବୁ ସଂଗ୍ରହ କରନ୍ତି ରୋଗୀ ଓ ଆବଶ୍ୟକ ଥିବା ଲୋକଙ୍କୁ ଜରୁରୀ କାଳୀନ ସମୟରେ ଦିଆଯାଇଥାଏ । ଏଥିପାଇଁ ପୋଲିସ ଅଫିସର ଲଳିତେନ୍ଦୁଙ୍କୁ ଅନେକ ସମ୍ମାନ ଓ ପୁରସ୍କାର, ମାନପତ୍ର ମିଳିଛି । ଘର ଭର୍ତ୍ତି ହୋଇଯାଇଛି ଏସବୁ ସମ୍ମାନରେ । ଲଳିତେନ୍ଦୁ କୁହନ୍ତି, ଏସବୁ ସମ୍ମାନ ମୋତେ ଆଗକୁ ବଢ଼ି ଲୋକଙ୍କୁ ଆହୁରି ରକ୍ତ ଯୋଗାଇବା ପାଇଁ ପ୍ରେରଣା ଦିଏ । ମୁଁ ଆହୁରି ଉତ୍ସାହିତ ହୋଇ କାମ କରେ । ମୁଁ ଭାବେ ଲୋକେ ମୋ ଦାୟିତ୍ୱ ବଢ଼ାଇ ଦେଇଛନ୍ତି ।

କରୋନା ସମୟରେ ଲୋକ ଘରୁ ବାହାରିବାକୁ ଭୟ କରୁଥିଲା ବେଳେ ଲଳିତେନ୍ଦୁ ନିଜ ଜୀବନକୁ ବାଜି ଲଗେଇ ବିଭିନ୍ନ ସ୍ଥାନ ବୁଲି ବୁଲି ରକ୍ତ ସଂଗ୍ରହ କରି ଲୋକଙ୍କ ପାଇଁ ଯୋଗାଇ ଦେଇଥିଲେ । କରୋନା ମହାମାରୀର କରାଳ ସମୟରେ କୁହନ୍ତୁ କି ବର୍ତ୍ତମାନ ସମୟରେ କୁହନ୍ତୁ, ସବୁ ବେଳେ ଦେବଦୂତ ସାଜି ମରଣ ମୁହଁରୁ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । ସକାଳ ହେଲା ମାତ୍ରେ ଘରୁ ବାହାରି ଯାଆନ୍ତି ରକ୍ତ ସଂଗ୍ରହ ପାଇଁ । ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ପରିବାରକୁ ମଧ୍ୟ ପଛରେ ପକାଇ ଦିଅନ୍ତି । ଏମିତି କି ନିଜ ବାପା ବେଡ଼ରେ ପଡ଼ିଥାନ୍ତି ଆଉ ଏପଟେ ଲଳିତେନ୍ଦୁ ଚାଲିଗଲେ ଲୋକଙ୍କ ସେଵା କରିବାକୁ । ଘରକୁ ଫେରି ଆସି ଦେଖିଲା ବେଳକୁ ବାପା ଚାଲି ଯାଇଥିଲେ ଆରପାରିକୁ । ମାନବ ସେଵା ହିଁ ମାଧବ ସେଵାର ପ୍ରକୃତ ଅର୍ଥକୁ ବୁଝିଛନ୍ତି ଲଳିତେନ୍ଦୁ । ତେଣୁ ସବୁ ପୋଲିସ୍‌ ଯେ କଠୋର ଏକଥାକୁ ଭୁଲ ପ୍ରମାଣିତ କରିଛନ୍ତି ଏହି ଅଫିସର୍‌ । ତା ସହିତ ଏଭଳି ଏକ ଦାୟିତ୍ୱସମ୍ପନ୍ନ ଏବଂ ଚବିଶ ଘଣ୍ଟା ସତର୍କ ରହିବାକୁ ପଡୁଥିବା ଚାକିରିରେ ଥାଇ ମଧ୍ୟ ସେ ରକ୍ତଦାନ ଭଳି ମହାନ୍‌ କାମରେ ନିଜକୁ ସାମିଲ କରି ନେଇଛନ୍ତି । ଯାହା ଏକ ନିଶାରେ ପରିଣତ ହୋଇଛି । ଘରେ ଭର୍ତ୍ତି ପୁରସ୍କାର ଦେଖିଲେ ମନେ ହେଉଛି ସତେ ଯେମିତି ସମସ୍ତେ ପୁରସ୍କାରରେ ତାଙ୍କୁ ପୋତି ପକାଇଛନ୍ତି । ଲଳିତେନ୍ଦୁଙ୍କୁ କେନ୍ୟୁଜ୍‌ ସଲାମ କରୁଛି । ତାଙ୍କ ନିଷ୍ଠା ଓ ପରିଶ୍ରମ ପାଇଁ । ତାଙ୍କ ମାନବିକତା ପାଇଁ ।

Leave A Reply

Your email address will not be published.