ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ହେବ ସଫେଇ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ପ୍ରକଳ୍ପ ପାଇଁ ଇଣ୍ଡିଆନ୍‌ ଅଏଲର ସିଏସ୍‌ଆର ପାଣ୍ଠିର ବିନିଯୋଗ ହେବ । ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନ୍ଦୁସାଗରର ସଫେଇ ହେବ । ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡର ସହଯୋଗିତାରେ ଏହା କାର୍ଯ୍ୟକାରୀ ହେବ ।

ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିନ୍ଦୁ ସାଗର ଆମ ଆଶା ଓ ବିଶ୍ୱାସର ତୀର୍ଥ । ବିନ୍ଦୁ ସାଗର ଭୁବନେଶ୍ୱରବାସୀଙ୍କ ଜୀବନ ସହ ଜଡ଼ିତ । ସାରା ଭାରତର ସବୁତୀର୍ଥର ଜଳ ବିନ୍ଦୁ ସାଗରରେ ରହିଛି । ଏହାକୁ ସ୍ୱଚ୍ଛ ରଖିବା ଆମର ନୈତିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱରରେ ଅନେକ ତୀର୍ଥ ପୋଖରୀ ରହିଛି । ଏହାକୁ ସଫା ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ଏହି କାମ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭାରତ ଏବଂ ଓଡ଼ିଶା ସରକାରଙ୍କ ସହାୟତାରେ ପ୍ରକଳ୍ପ ଆରମ୍ଭ ହୋଇଛି । ବିନ୍ଦୁସାଗରକୁ ସ୍ୱଚ୍ଛ କରିବା ସରକାରଙ୍କ ପଦକ୍ଷେପ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଗତ ବର୍ଷ ଜୁନ୍‌ମାସରେ ଓଡ଼ିଶା ସେତୁ ନିର୍ମାଣ ଲିମିଟେଡ ଓ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କେମିକାଲ ଟେକ୍ନୋଲୋଜି ଭିତରେ ବିନ୍ଦୁସାଗର ଜଳର ସ୍ୱଚ୍ଛତାକୁ ନେଇ ବୁଝାମଣା ହୋଇଥିଲା । ତିନି ମାସ ମଧ୍ୟରେ ବିନ୍ଦୁସାଗର ଜଳକୁ ସ୍ୱଚ୍ଛ କରିବା ଲାଗି ଧାର୍ଯ୍ୟ ହୋଇଥିଲା । ହେଲେ କୋଭିଡ୍‌-୧୯ ଯୋଗୁ କାର୍ଯ୍ୟରେ ବିଳମ୍ବ ହୋଇଛି ।

Leave A Reply

Your email address will not be published.