ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହଟିଲା ପ୍ରତିବନ୍ଧକ

ପୁରୀ (କେନ୍ୟୁଜ) : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର । ମଙ୍ଗଳ ଆଳତୀ ପରେ ପ୍ରଥମେ ଶ୍ରୀମନ୍ଦିରର ୪ ଦ୍ବାର ଖୋଲାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ଖୋଲିଛି ଚାରିଦ୍ବାର । ପ୍ରଥମେ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଥିଲା । ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଛନ୍ତି ମୋହନ ମାଝୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂଦେଓ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦିକ୍ଷଣ କରିଥିଲେ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଓ ସୁବିଧାକୁ ଦୃଷ୍ଟିରେ ଚାରି ଦ୍ବାରା ଖୋଲାଯାଇଛି ।

୪ ଦ୍ବାର ଖୋଲିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରେ ୪ ଦ୍ବାର ଖୋଲାଗଲା । ଦର୍ଶନ କରିବା ସହ ମନ୍ଦିର ଭିତର ଓ ବାହାରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶୃଙ୍ଖଳିତ ଦର୍ଶନ ନେଇ ଯାହା ଆବଶ୍ୟକ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୋହନ ମାଝୀ । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ବିଜେପି । ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା ।

ସେପଟେ ବିନାବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଖୁସିରେ ବିଭୋର ହୋଇପଡିଛନ୍ତି ଭକ୍ତ । କୋଭିଡ୍ ପରଠାରୁ ଶ୍ରୀମନ୍ଦିର ୪ ଦ୍ବାର ବନ୍ଦ କରିଦିଆଯାଇଥିଲା । ଫଳରେ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ୪ ଦ୍ବାର ଖୋଲିବା ନେଇ ଭକ୍ତମାନେ ବାରମ୍ବାର ଦାବି କରିଆସୁଥିଲେ।

 

Leave A Reply

Your email address will not be published.