ରାଜ୍ୟରେ ପୋଲିସ ବିଭାଗର ପ୍ରଶସ୍ତିକରଣ ଉପରେ ବାଜିଲା ମୁଖ୍ୟମନ୍ତ୍ରୀଙ୍କ ମୋହର, ବଢ଼ିବ ୬ ଥାନା ଓ ୯୦୫ ନୂଆ ପୋଷ୍ଟ

ଭୁବନେଶ୍ୱର: ରାଜ୍ୟରେ ୯୦୫ଟି ପୋଲିସ ପଦବୀର ହେଲା ପ୍ରଶସ୍ତିକରଣ। ପଦବୀର ସୁବ୍ୟବସ୍ଥିକରଣ କରାଯାଇ ପୋଲିସ ଥାନାରେ ଅଧିକ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ କରିବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଥାନାରେ କର୍ମଚାରୀ ବୃଦ୍ଧି କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଲକ୍ଷରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ମାଓ ଉପଦ୍ରବ କମିଥିବାରୁ ଥାନାରେ ସୁରକ୍ଷାକର୍ମୀଙ୍କ ସୁବ୍ୟବସ୍ଥିକରଣ ପାଇଁ ସୁଯୋଗ ସୃଷ୍ଟି ହୋଇଥିବା ଜଣାଯାଇଛି । ପଦବୀର ସୁବ୍ୟବସ୍ଥିକରଣ ସହ ରାଜ୍ୟରେ ଆଉ ଛଅଟି ଥାନା ସୃଷ୍ଟି କରାଯିବ। ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଛଅଟି ଥାନାକୁ ଭାଗ କରାଯାଇ ଆଉ ୬ଟି ଥାନା ସୃଷ୍ଟି କରାଯିବ ।

dg abhaya

ଭୁବନେଶ୍ୱର ଖଣ୍ଡଗିରି ଥାନା, ଅନୁଗୁଳ ଟାଉନଥାନା, ଝାରସୁଗୁଡ଼ା ଟାଉନଥାନା, ଗଞ୍ଜାମର ଭଂଜନଗର ଥାନା, ଭଦ୍ରକର ଭଦ୍ରକ ଗ୍ରାମାଞ୍ଚଳ ଓ ତିହିଡି ଥାନାକୁ ବିଭକ୍ତ କରାଯାଇ ଛଅଟି ନୂଆ ଥାନା ସୃଷ୍ଟି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପୋଲିସରେ ପ୍ରଶସ୍ତିକରଣ ଯୋଗୁଁ ରାଜ୍ୟର ୨୧ଟି ଜିଲ୍ଲାର ୨୨୦ଟି ପୋଲିସ ଥାନା ଓ ୬ଟି ଆଉଟ ପୋଷ୍ଟକୁ ସଶକ୍ତ କରାଯାଇପାରିବ। ଏନେଇ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଅନୁମତି ମିଳିଥିବାରୁ ଡିଜି ଅଭୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଶସ୍ତିକରଣ ଦ୍ୱାରା ଅପରାଧ ନିୟନ୍ତ୍ରଣ କରିବାରେ ବେଶ ସହାୟକ ହେବ ବୋଲି ଡିଜି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.