ରାଜଧାନୀ ରାଜରାସ୍ତାରେ ଉଡିଗଲା ରାଜଧାନୀ କଲେଜର ଛାତ୍ର ମିତ୍ରଭାନୁର ପ୍ରାଣ

ପୁଣି ମାଆ ଏପଟେ ଗୁମୁରୀ ଗୁମୁରୀ କାନ୍ଦି ଭାବୁଛି ୨୦୨୪ ଆସିଥିଲା କଣ ମୋ ପୁଅକୁ ନେବା ପାଇଁ । ମୋ ପୁଅ ତ ଭୁବନେଶ୍ୱର ଆସିଥିଲା ପାଠ ପଢ଼ିବାକୁ । ପାଠ ପଢ଼ିବ ବଡ ଚାକିରି କରିବ । କିନ୍ତୁ ରାଜଧାନୀର ଏ ରାଜରାସ୍ତାରେ ମୋ ପୁଅର ପ୍ରାଣ ବାୟୁ କୁଆଡେ ଉଡିଗଲା । ମୋ ପୁଅ ମୋତେ ଛାଡି ଚାଲିଗଲା ।

ଭୁବନେଶ୍ୱର (କେନ୍ୟୁଜ) : କ୍ୟାପିଟାଲ ହସ୍ପିଟାଲ ଶବଗୃହରେ ଲାଗିଥିଲା ପ୍ରବଳ ଭିଡ । ସମସ୍ତଙ୍କ ମୁହଁ ସୁଖିଯାଇଛି, ଆଖିରେ ଲୁହ ବି ଜକେଇ ଆସୁଛି । ଆଉ କିଛି ଜଣ ଶବ ଗୃହ ପାଖରେ ଅବାକ୍‌ ହୋଇ ଛିଡା ହୋଇଛନ୍ତି । ସମସ୍ତେ ସ୍ତବ୍ଧ । କଣ ଏସବୁ ହେଇଗଲା । ନୂତନ ବର୍ଷ ଆରମ୍ଭରୁ ଏ କି ଖବର । ପୁଣି ମାଆ ଏପଟେ ଗୁମୁରୀ ଗୁମୁରୀ କାନ୍ଦି ଭାବୁଛି ୨୦୨୪ ଆସିଥିଲା କଣ ମୋ ପୁଅକୁ ନେବା ପାଇଁ । ମୋ ପୁଅ ତ ଭୁବନେଶ୍ୱର ଆସିଥିଲା ପାଠ ପଢ଼ିବାକୁ । ପାଠ ପଢ଼ିବ ବଡ ଚାକିରି କରିବ । କିନ୍ତୁ ରାଜଧାନୀର ଏ ରାଜରାସ୍ତାରେ ମୋ ପୁଅର ପ୍ରାଣ ବାୟୁ କୁଆଡେ ଉଡିଗଲା । ମୋ ପୁଅ ମୋତେ ଛାଡି ଚାଲିଗଲା । ଏପଟେ ବାପାଙ୍କ ମୁଣ୍ଡ ବି କିଛି କାମ କରୁନି । ଦେହରୁ ହାତ କଟିଗଲା ଭଳି ଭେଣ୍ଡିଆ ପୁଅ ଚାଲିଗଲା କେମିତି ବା ଚୁପ୍‌ ରହିବ ମନ । କ୍ୟାପିଟାଲ ହସ୍ପିଟାଲ ସାରା ଖାଲି କଲେଜ୍‌ ସାଙ୍ଗମାନେ । ସମସ୍ତେ ଧାଈଁ ଆସିଛନ୍ତି ସାଙ୍ଗ ମିତ୍ରଭାନୁକୁ ଦେଖିବା ପାଇଁ । କାହିଁକିନା ମିତ୍ରଭାନୁ ଆଉ ଫେରିବନି, ସେମାନଙ୍କ ସହ ମିଶି ଆଉ କଲେଜ୍‌ ଯିବନି କି ସେମାନଙ୍କ ସହ ମିଶି ମଜା ମସ୍ତି ଖଟି କରିବନି । ସବୁଦିନ ପାଇଁ ଚାଲିଯାଇଛି ଅଫେରା ରାଇଜକୁ ।

ଦେଖନ୍ତୁ କ୍ୟାପିଟାଲ ହସ୍ପିଟାଲ ଆଗରେ କେତେ ଲୋକ ଗହଳୀ । କାଳେ କାନ ଶୁଣା କଥା ମିଛ ହୋଇଥିବ ଆଉ ମିତ୍ରଭାନୁ ବଞ୍ଚିଥିବ । ସେହି ଆଶା ନେଇ ସମସ୍ତେ ଧାଈଁ ଆସିଛନ୍ତି କ୍ୟାପିଟାଲ ହସ୍ପିଟାଲକୁ । କିନ୍ତୁ ମିତ୍ରଭାନୁ ଶୋଇଥିଲା ଶବଗୃହରେ । ମୁହଁକୁ ଚାହିଁ ହେଉନଥିଲା, ଦେହ ବୁଡି ଯାଇଛି ରକ୍ତରେ । ସାଙ୍ଗମାନେ ବି ବିଶ୍ୱାସ କରିପାରୁନଥିଲେ ଯେ ନୂଆବର୍ଷରେ ସକାଳେ ଶୁଭେଚ୍ଛା ଜଣାଇଥିବା ତାଙ୍କ ସାଙ୍ଗ ମିତ୍ରଭାନୁ ରାତିରେ ଏମିତି ଛାଡି ଚାଲିଯିବ ବୋଲି ।

ପୁଅ ଆସିଥିଲା କନ୍ଧମାଳ ଟିକାବାଇ ଟିପିରିଗାଁରୁ ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱର ରାଜଧାନୀ କଲେଜରେ ପୁଅ ପିଜି ପଢ଼ୁଥିଲା । ଆଉ ତାସାଙ୍ଗକୁ ହଷ୍ଟେଲରେ ରହି ବ୍ୟାକିଙ୍ଗ କୋଚିଂ ନେଉଥିଲା, କମ୍ପିଟେଟିଭ୍‌ ପରୀକ୍ଷା ବି ଦେଉଥିଲା । ବାପାଙ୍କ ଇଚ୍ଛା ଥିଲା ପୁଅ ପିଜି ସହିତ ଓଏଏସ ପାଇଁ ବି ପଢ଼ାପଢ଼ି କରୁ । ସେଥିପାଇଁ ପୁଅକୁ ନେଇ କେତେ ସ୍ୱପ୍ନ ଦେଖିଥିଲେ ବାପା । କିନ୍ତୁ ଏବେ କାନ୍ଦି କାନ୍ଦି କହୁଛନ୍ତି ମୋ ପୁଅ ଭଗବାନଙ୍କ ପାଖକୁ ପଳେଇଲା, ତାକୁ ନେଇଗଲେ ଭଗବାନ ଆମଠୁ ।

ମାଆକୁ ଏପଟେ କିଏ ସମ୍ଭାଳିବ । ୨୧ ବର୍ଷ ହେଲା ପୁଅକୁ ବଢ଼େଇଥିଲା ପରା । କେତେ ଅଳି ଅର୍ଦ୍ଦଳି ସହିଥିଲା ପୁଅର । କେତେ ଅଝଟ କରୁଥିଲା ମାଆ ପାଖରେ । କିନ୍ତୁ ଆଜି ସେହି ପୁଅ ମାଆର କୋଳ ଶୂନ୍ୟ କରି ଚାଲି ଯାଇଛି । ଗୁମୁରୀ ଗୁମୁରୀ କାନ୍ଦୁଛି କଣ ସବୁ ହେଇଗଲା, ଭୁବନେଶ୍ୱର ମୋ ପୁଅ ଚାକିରି କରିଥାନ୍ତା ସେହି ଖୁସିରେ ଆସିଥାନ୍ତୁ କିନ୍ତୁ ଆଜି ତାର ମଲା ଖବର ଶୁଣି ଆସିଛୁ । ସତରେ ଭାରି ହୃଦୟ ବିଦାରକ ଏ ଦୃଶ୍ୟ । ବର୍ଷ ଆରମ୍ଭରୁ ଏତେ ବଡ ଗୋଟେ କ୍ଷତି ସହିବ ଏ ମାଆ ଜାଣିନଥିଲା । କାନ୍ଦକୁ ଅଟକାଇ ପାରୁନି, କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇପଡୁଛି । କେମିତି ବା ଥୟ ଧରିବ, ସେ ପା ମାଆ । ଦଶ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ କରି ଏତେ ବଡ କରିଥିଲା । ଆଜି ସେ କଣ ସେହି ପୁଅର ଏମିତି ଅବସ୍ଥା ଦେଖି ସମ୍ଭାଳିପାରିବ ।

ଗତକାଲି ନିୟୁ ଇୟର ଥିଲା । ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ କିଏ କେତେ କଣ ସବୁ ସେଲିବ୍ରେସନ କରୁଥିଲେ । ଏହାରି ଭିତରେ ରାଜଧାନୀ କଲେଜରେ ପାଠ ପଢ଼ୁଥିବା ୨୧ ବର୍ଷିୟା ମିତ୍ରଭାନୁ ଦିଗଲ ବି ସାଙ୍ଗ ସହିତ ନିୟୁ ଇୟରରେ ବୁଲାବୁଲି କରୁଥିଲେ । କିନ୍ତୁ କେଉଁଠି ଥିଲା କେଜାଣି ଏ କାଳ ସମୟ , ଆସି ପହଁଚିଗଲା ମିତ୍ରଭାନୁଙ୍କ ପାଖରେ । ସ୍କୁଟିରେ ଯାଉଥିବା ମିତ୍ରଭାନୁ ପଡିଗଲେ ସ୍କୁଟିରୁ । ଆଉ ସେଇଠାରେ ହିଁ ଉଡିଗଲା ତାଙ୍କ ପ୍ରାଣ ବାୟୁ । କିଏ ତାଙ୍କ ସ୍କୁଟିକୁ ଧକ୍କା ଦେଲା ନା ସେ ନିଜେ କୌଣସି କାରଣରୁ ପଡିଗଲେ । ଏକଥା ଅସ୍ପଷ୍ଟ ରହିଛି । ୧୦୮ ଆମ୍ବୁଲାନ୍ସ ଯୋଗେ ମିତ୍ରଭାନୁକୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିଲା କିନ୍ତୁ ସେତେବେଳକୁ ତାଙ୍କ ଦେହରୁ ଜୀବନ ଚାଲିଯାଇଥିଲା । ଆଉ ନୂତନ ବର୍ଷ ଆରମ୍ଭ ଦିନରୁ ହିଁ ସବୁଦିନ ପାଇଁ ବାପା ମାଆ ସାଙ୍ଗସାଥିଙ୍କୁ ଛାଡି ଚାଲିଗଲେ ମିତ୍ରଭାନୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.