ନିଖୋଜ ବାପାକୁ ଖୋଜି ଖୋଜି ନୟାନ୍ତ ପୁଅ

କାକଟପୁର(କେନ୍ୟୁଜ): ମଣିଷ ଏକ ସାମାଜିକ ପ୍ରାଣୀ ,ସାମାଜିକ ଚଳଣି ମଧ୍ୟରେ ବାପ ,ମା ,ପୁଅ ,ସ୍ତ୍ରୀ ,ସ୍ବାମୀ ,ଭାଇ ,ଭଉଣୀ ଙ୍କୁ ନେଇ ପରିବାର ଗଢା ହୋଇଥାଏ ,ପରିବାର ଭିତରେ ମଣିଷ ନିଜର ସମ୍ପର୍କ କୁ ନେଇ ବଞ୍ଚିଥାଏ । ଏହି ପରିବାର ଭିତରେ ପରିବାର ର ମୂଳଦୁଆ ବାପା ହୋଇଥାନ୍ତି । ଯେଉଁ ପରିବାର ରେ ବାପା ମଜଭୁତ ଥାନ୍ତି ସେହି ପରିବାର କୁ କୌଣସି ସାମାଜିକ ଝଡ କୌଣସି କ୍ଷତି ପହଞ୍ଚାଇ ପାରି ନ ଥାଏ । ଆଉ ବାପା ଯଦି କୌଣସି ପରିବାର ମଧ୍ୟରୁ ଚାଲିଯାନ୍ତି ତେବେ ସେ ପରିବାର ର ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗିପଡ଼ିଥାଏ । ଏଭଳି ଏକ ଚିତ୍ର ଏ ସବୁ କଥା କହିବାକୁ ଆମକୁ ବାଧ୍ୟ କରୁଛି ।

ହଁ ଆଜ୍ଞା ଆମ ପ୍ରତିନିଧି ଲୋକନାଥ ସ୍ଵାଇଁ ଅସ୍ତରଙ୍ଗ ଠାରୁ ଜାହାନିଆ ଯାଉଥିବା ବେଳେ ପାଟବଳଦା ଛକ ନିକଟରେ ଦୁଇ ଜଣ ଯୁବକ ବିଭିନ୍ନ ଲୋକ ମାନଙ୍କୁ ଏକ ଫୋଟ ଦେଖାଇ ଅତି ଅସହାୟ ଭାବରେ ଲୋକ ମାନଙ୍କୁ ପଚାରୁଥିଲେ ବାବୁ ଏ ଲୋକଙ୍କୁ କେଉଁ ଆଡେ ଦେଖିଛ କି, ସେହିଭଳି ଭାବରେ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ଫୋଟ ଦେଖାଇ ପଚାରୁଥିଲେ ଭାଇ ଏ ଲୋକଙ୍କୁ କେଉଁଠି ଦେଖିଛ କି ? ଆମେ ଘଟଣା କଣ ବୁଝିବା ପାଇଁ ସେଠାରେ ଅଟକି ଯାଇଥିଲୁ ଏବଂ ତାଙ୍କ ଶାହ କଥା ହୋଇଥିଲୁ । ଘଟଣା ସମ୍ପର୍କରେ ଜାଣିଲା ପରେ ଆମ ହୃଦୟ ମଧ୍ୟ ତରଳି ଯାଇଥିଲା । କିଭଳି ଜଣେ ପୁଅ ତା ବାପାଙ୍କ ପାଇଁ ବ୍ୟାକୁଳ ହୋଇପଡିଛି ।

ଘଟଣା ଅନୁଯାୟୀ ଏହି ଯୁବକ ଜଣକ ହେଉଛନ୍ତି ଫୁଲନଖରା ନିକଟ ମନ୍ଦାରିଆ ପାଟଣା ଗ୍ରାମର ପ୍ରଭାତ କୁମାର ସାହୁ । ପ୍ରଭାତଙ୍କ ବାପା ବସନ୍ତ କୁମାର ସାହୁ ଆଜକୁ ଏକ ମାସ ହେବ ଘରୁ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ପ୍ରଭାତଙ୍କ ବାପା ନିଜ ଗ୍ରାମରେ ପରିବା ବ୍ୟବସାୟ କରନ୍ତି ତା ସହିତ ସେ ଜଣେ ମୃଦଙ୍ଗ ବାଦକ । ସରକାରଙ୍କ କଳାକାର ଭତ୍ତା ଆବେଦନ କରିବା ପାଇଁ ଗତ ମେ ମାସ ୧ ତାରିଖ ଦିନ ଘରୁ ବାହାରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାହାରି ଯାଇଥିଲେ ବସନ୍ତ ସାହୁ । ବସନ୍ତ ସାହୁ ଯାଉଥିବା ସମୟର ନିଜ ଛକ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରେ ଦେଖାଯାଉଥିବା ସହିତ, ସେ ଯାଇଥିବା ମୋ ବସ୍ ର ସିସିଟିଭି ଫୁଟେଜରେ ମଧ୍ୟ ଦେଖିବାକୁ ମିଳିଛି ।

ସକାଳୁ ଯାଇ ସନ୍ଧ୍ୟା ସୁଦ୍ଧା ବସନ୍ତ ନ ଫେରିବା ଯୋଗୁଁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ ଏବଂ ତା ପରଦିନ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ଆରମ୍ଭ କରିଥିଲେ ମଧ୍ୟ ଆଜି ଯାଏ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଯାହାକୁ ନେଇ ତାଙ୍କ ପୁଅ ପ୍ରଭାତ ବାପାଙ୍କୁ ବିଭିନ୍ନ ସହର ,ବଜାର ,ମଠ ମନ୍ଦିର ଖୋଜି ଖୋଜି ନୟାନ୍ତ ହୋଇସାରିଲେଣି |

ଗୋଟିଏ ହାତରେ ଅଠା ଡିବା ସାଙ୍ଗକୁ ଅନ୍ୟ ହାତରେ ବାପାଙ୍କ ଫଟୋ ଥିବା ପୋଷ୍ଟରକୁ ବିଭିନ୍ନ ଛକ ବଜାରରେ ନିଜ ହାତରେ ମାରୁଛନ୍ତି ପ୍ରଭାତ । ମୁଣ୍ଡଫଟା ଖରା ସାଙ୍ଗକୁ ବାପାଙ୍କୁ ହରାଇଥିବା ଦୁଃଖ ପ୍ରଭାତଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । କଟକ, ଭୁବନେଶ୍ୱର, ଖୋର୍ଦ୍ଧା ,ପୁରୀ, କାକଟପୁର ,ଅସ୍ତରଙ୍ଗ ,କୋଣାର୍କର ବିଭିନ୍ନ ସ୍ଥାନରେ ବାପାଙ୍କୁ ଖୋଜି ଖୋଜି ଚପଲ ଘୋରି ହୋଇଗଲାଣି ପ୍ରଭାତଙ୍କର । ଏବେ ବୁଲି ବୁଲି ଅସ୍ତରଙ୍ଗ ଅଞ୍ଚଳରେ ଆସି ପହଞ୍ଚି ବିଭିନ୍ନ ଛକ ବଜାର ରେ ହାତରେ ଅଠା ଡିବା ଧରି ବାପାଙ୍କ ପୋଷ୍ଟର ମାରୁଥିବାର ଦେଖିବାକୁ ମିଳିଛି । ପୋଷ୍ଟର ମାରି ଅସ୍ତରଙ୍ଗ ନିକଟ ରଘୁନାଥ ଜୀଉ ମଠ ନିକଟରେ ପହଞ୍ଚି ଥିଲେ ,ଏବଂ ସେଠାରେ ରଘୁନାଥଙ୍କ ଶରଣ ପଶିବା ସହିତ ନିଜ ବାପାଙ୍କୁ ପାଇବା ଲାଗି ମାନସିକ କରିଥିଲେ ।

ତେବେ ଏ ଭଳି ଏକ କରୁଣ ଚିତ୍ର ବାପ ପୁଅର ସମ୍ପର୍କର ଗଭୀରତାକୁ ଦର୍ଶାଉ ଥିଲା ବେଳେ ନିଜ ବାପାଙ୍କ ପାଇଁ ପୁଅର ଏ ବିକଳର ଚିତ୍ର ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ସମସ୍ତଙ୍କ ପ୍ରାର୍ଥନା ପ୍ରଭାତ ତାଙ୍କ ବାପାଙ୍କ ପାଖରେ ଯେତେ ଶୀଘ୍ର ପହଁଚି ଯାଆନ୍ତୁ ।

 

Leave A Reply

Your email address will not be published.