କାଶ୍ମୀରକୁ ନେଇ ଉତ୍ତେଜିତ ଭାଷଣ, ବଢ଼ିଲା ଲେଖିକା ଅରୁନ୍ଧତୀ ରାୟଙ୍କ ସମସ୍ୟା; ଚାଲିବ UAPA ଅଧୀନରେ ମକଦ୍ଦମା

ବିଶିଷ୍ଟ ଲେଖିକା ଅରୁନ୍ଧତୀ ରାୟଙ୍କ ବିରୋଧରେ UAPA (ୟୁଏପିଏ) ଅଧୀନରେ ମକଦ୍ଦମା ଚାଲିବ । ଦିଲ୍ଲୀ ଏଲ୍‌ଜି ଭି.କେ. ସକ୍ସେନା ଗତକାଲି ଏହାକୁ ମଞ୍ଜୁରି ଦେଇଛନ୍ତି । ଅରୁନ୍ଧତୀ ରାୟଙ୍କ ବିରୋଧରେ ଏହି ମାମଲା ବହୁତ ପୁରୁଣା, ଯେଉଁଥିରେ ବର୍ତ୍ତମାନ ତାଙ୍କର ସମସ୍ୟା ବଢ଼ିଛି । ଲେଖିକାଙ୍କ ବ୍ୟତୀତ କାଶ୍ମୀର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଆଇନ ବିଭାଗର ପୂର୍ବତନ ପ୍ରଫେସର ଡା. ଶେଖ୍‌ ଶୌକତ୍‌ ହୁସେନ୍‌ଙ୍କ ବିରୋଧରେ ମଧ୍ୟ ମକଦ୍ଦମା ଚଲାଇବାକୁ ଅନୁମତି ଦିଆଯାଇଛି । ତେବେ କେବେ ଏବଂ କେଉଁ ମାମଲାରେ ଏହି ମକଦ୍ଦମା ପଞ୍ଜିକୃତ ହୋଇଥିଲା, ଆସନ୍ତୁ ଜାଣିବା ।

କହି ରଖୁୁଛୁ ଯେ ୨୦୧୦ ଅକ୍ଟୋବର ୨୧ରେ ଅରୁନ୍ଧତୀ ରାୟ ଦିଲ୍ଲୀରେ ଆୟୋଜିତ ଏକ ସମ୍ମିଳନୀ ‘ଆଜାଦୀ- ଦ ଓନ୍‌ଲି ୱେ’ରେ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ । ଏହି ଭାଷଣକୁ ଭାରତ ବିରୋଧୀ ବୋଲି କୁହାଯାଇଥିଲା । ସମ୍ମିଳନୀରେ କାଶ୍ମୀରକୁ ଭାରତଠାରୁ ଅଲଗା କରିବାର କଥା କୁହାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା ।

ଅଭିଯୋଗ ଅନୁସାରେ, ଲେଖିକା ଉଚ୍ଚ ସ୍ୱରରେ ପ୍ରଚାର କରିଥିଲେ ଯେ କାଶ୍ମୀର କେବେ ବି ଭାରତର ଅଂଶ ନ ଥିଲା ଏବଂ ସଶସ୍ତ୍ର ବାହିନୀ ଏହାକୁ ଜବରଦସ୍ତ କବ୍‌ଜା କରିଛନ୍ତି । ଭାଷଣ ଦେବା ସମୟରେ ସେ ଜମ୍ମୁ-କାଶ୍ମୀରକୁ ଭାରତରୁ ଅଲଗା କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଥିଲେ । ତେବେ ଅଭିଯୋଗକାରୀ ଏହି କଥାକୁ ରେକର୍ଡ କରି ନେଇଥିଲେ ଏବଂ ପରେ ନୂଆଦିଲ୍ଲୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଯାଇ ଅଭିଯୋଗ ଦାଖଲ କରିଥିଲେ ।

୨୦୧୦ ନଭେମ୍ବର ୨୭ରେ କୋର୍ଟ ଏହି ମାମଲାରେ ଏଫ୍‌ଆଇଆର୍‌ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୨୦୨୩ରେ ଏଲ୍‌ଜି ସିଆର୍‌ପିସି ଧାରା ୧୯୬ ଅଧୀନରେ ମକଦ୍ଦମା କରିବାକୁ ଅନୁମତି ଦେଇଥିଲେ । ବର୍ତ୍ତମାନ ଏଲ୍‌ଜି ଗତକାଲି ଲେଖିକା ଅରୁନ୍ଧତୀ ରାୟଙ୍କ ବିରୋଧରେ UAPA ଅଧୀନରେ ମକଦ୍ଦମା ଚଳାଇବାକୁ ମଞ୍ଜୁରି ଦେଇଛନ୍ତି । UAPAର ଅର୍ଥ, ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ । ଏହି ନିୟମ ଅତ୍ୟନ୍ତ କଠୋର, ଯେଉଁଥିରେ କଠୋର ଦଣ୍ଡ ମିଳିଥାଏ ।

Leave A Reply

Your email address will not be published.