ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ପାଟନା ହସ୍ପିଟାଲରେ ଭର୍ତ୍ତି

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା । ଆଜି ସକାଳେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପାଟନାର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ ସକାଳେ ଉଠିବା ପରେ ନୀତୀଶ ତାଙ୍କ ହାତରେ ଜୋର୍‌ରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯନ୍ତ୍ରଣା ଧୀରେ ଧୀରେ ବଢ଼ିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ।

ଡାକ୍ତରଙ୍କ ମୁତାବକ, ହସ୍ପିଟାଲର ଅସ୍ଥି ରୋଗ ବିଭାଗରେ ନୀତୀଶ କୁମାରଙ୍କ ଚିକିତ୍ସା ଚାଲିଛି । ଏକ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି । ଗତ କିଛି ମାସ ଧରି ନୀତୀଶ କୁମାର ବହୁତ ବ୍ୟସ୍ତ ଥିଲେ । ଲୋକସଭା ନିର୍ବାଚନ ବେଳେ ମାସ ମାସ ଧରି ନିର୍ବାଚନୀ ପ୍ରଚାର ଚାଲିବା ସହିତ କେନ୍ଦ୍ରରେ ସରକାର ଗଠନକୁ ନେଇ ଦିଲ୍ଲୀରେ ଘନ ଘନ ବୈଠକ ଜାରି ରହିଥିଲା ।

୩ ମାସ ପରେ ଗତକାଲି ନୀତୀଶ କୁମାର କ୍ୟାବିନେଟ୍‌ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ବେକାରୀ ଭତ୍ତା ଏବଂ ସରକାରୀ କର୍ମଚାରୀମାନଙ୍କ ଆବାସ ଭତ୍ତା ଭଳି ୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।

ଏହା ବ୍ୟତୀତ ଜୁନ୍‌ ୨୯ରେ ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ନୀତୀଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ଉପସ୍ଥିତ ରହିବା ଅନିବାର୍ଯ୍ୟ । କହି ରଖୁଛୁ ଯେ ଏହା ପୂର୍ବରୁ ବି ନୀତୀଶ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ ସେ ସୁସ୍ଥ ଅନୁଭବ କରିବା ପରେ ଆକ୍ଟିଭ୍‌ ନଜର ଆସିଥିଲେ । ନିର୍ବାଚନ ଫଳାଫଳ ଆସିବା ପରେ ସେ ଦିଲ୍ଲୀ ଯାଇଥିଲେ ଏବଂ ସରକାର ଗଠନ ସହିତ ମନ୍ତ୍ରୀମଣ୍ଡଳରେ ନିଜ ଦଳରୁ ଦୁଇ ନେତାଙ୍କୁ ସ୍ଥାନ ଦେଇଥିଲେ ।

ସୂଚନାଯୋଗ୍ୟ, ଏଥର ଲୋକସଭା ନିର୍ବାଚନରେ ନୀତୀଶ କୁମାରଙ୍କ ଦଳ ଜେଡିୟୁ ଭଲ ପ୍ରଦର୍ଶନ କରିଛି । ଏଠାରେ ଦଳ ୧୨ଟି ଆସନରେ ବିଜୟ ହାସଲ କରିଛି ।

Leave A Reply

Your email address will not be published.