Below header

ଶିମିଳିପାଳରେ ଫୁଟିଛି ରଙ୍ଗିନ ଅର୍କିଡ ଫୁଲ, ରହିଛି ୯୬ ପ୍ରକାରର ଅର୍କିଡ ଲତା

ଘଞ୍ଚ ଜଙ୍ଗଲ ଓ ସମ୍ପୂର୍ଣ୍ଣ ପ୍ରାକୃତିକ ଶୋଭାରାଜିରେ ପରିବେଷ୍ଟିତ ଶିମିଳିପାଳ । ବର୍ଷା ଆସିଲେ ତ ଏହାର ସୌନ୍ଦର୍ଯ୍ୟ ଆହୁରି ବଢିଯାଏ । ଭଳିକି ଭଳି ଜଙ୍ଗଲି ଫୁଲର ବାସ୍ନାରେ ମହକି ଉଠେ ଏହି ଜାତୀୟ ଉଦ୍ୟାନ । ଆକର୍ଷଣର କେନ୍ଦ୍ର ପାଲଟିଛି ଦୁର୍ଲଭ ଅର୍କିଡ ଫୁଲ ।

କରଞ୍ଜିଆ(କେନ୍ୟୁଜ୍): ଶିମିଳିପାଳର ନା ଶୁଣିଲେ ଆପେ ଆପେ ମନକୁ ଚାଲିଆସେ ପ୍ରକୃତି କଥା । ଘଞ୍ଚ ଜଙ୍ଗଲ ଓ ସମ୍ପୂର୍ଣ୍ଣ ପ୍ରାକୃତିକ ଶୋଭାରାଜିରେ ପରିବେଷ୍ଟିତ ଶିମିଳିପାଳ । ଭଳିକି ଭଳି ପ୍ରଜାତିର ଗଛ, ଲତା ଓ ପଶୁପକ୍ଷୀଙ୍କୁ ଦେଖିବାକୁ ମିଳେ । ଏପରିକି ଏଠାରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମଧ୍ୟ ରହିଛି । ବର୍ଷା ଆସିଲେ ତ ଏହାର ସୌନ୍ଦର୍ଯ୍ୟ ଆହୁରି ବଢିଯାଏ । ଭଳିକି ଭଳି ଜଙ୍ଗଲି ଫୁଲର ବାସ୍ନାରେ ମହକି ଉଠେ ଏହି ଜାତୀୟ ଉଦ୍ୟାନ । ଦେଶ ତଥା ବିଦେଶରୁ ଛୁଟି ଆସନ୍ତି ପର୍ଯ୍ୟଟକ । ଏହାରି ଭିତରେ ଏବେ ଶିମିଳିପାଳରେ ଆକର୍ଷଣର କେନ୍ଦ୍ର ପାଲଟିଛି ଦୁର୍ଲଭ ଅର୍କିଡ ଫୁଲ । ଏଠାରେ ୯୬ ପ୍ରକାରର ଅର୍କିଡ ଗଛ ଦେଖିବାକୁ ମିଳେ । ଅର୍କିଡ ଏକ ଲତା ପ୍ରଜାତିର । ଯେ କୌଣସି ବଡ଼ ଗଛକୁ ସାହାରା କରି ଏହି ଲତା ବଢିଥାଏ । ଏହି ଗଛର ଫୁଲ ଦୁର୍ଲଭ । ସବୁ ସ୍ଥାନରେ ଏହା ଦେଖିବାକୁ ମିଳି ନଥାଏ । ଦେଶରେ ଏପରି କିଛି ସ୍ଥାନ ରହିଛି ଯେଉଁଠି ଅର୍କିଡ ଫୁଲ ଫୁଟିଥାଏ । ସମୟ ଅନୁଯାୟୀ ଅଲଗା  ଅଲଗା ରଙ୍ଗର ଫୁଲ ଫୁଟିଥାଏ ଏଠାରେ ।

 

ବର୍ଷା ଆସି ସାରିଛି । ଆଉ ଏହାରି ଭିତରେ ଭଳିକି ଭଳି ପ୍ରଜାତି, ବିଭିନ୍ନ ରଙ୍ଗର ଅର୍କିଡ ଫୁଟିଛି ଏହି ଉଦ୍ୟାନରେ । ଯିଏ ବି ଦେଖିବ ସେ ପ୍ରକୃତି ପ୍ରେମରେ ବିମୋହିତ ହୋଇ ଉଠିବ । ଆଖିକୁ ସେଠାରୁ ଜମା ହଟାଇ ପାରିବେନି । ଇଚ୍ଛା ହେବ ପ୍ରକୃତିର ଏହି ସୁନ୍ଦର ସୃଷ୍ଟିକୁ କେବଳ ଦେଖୁଥାଏ । ଫେବୃଆରୀଠୁ ଆରମ୍ଭ କରି ଅକ୍ଟୋବର ପର୍ୟ୍ୟନ୍ତ ଭଳିକି ଭଳି ରଙ୍ଗର ଫୁଲ ଫୁଟିଥାଏ । ଅର୍ଥାତ ଖରା ଓ ବର୍ଷା ଉଭୟ ଋତୁରେ ଏହି ଫୁଲକୁ ଆପଣ ଦେଖିବାକୁ ପାଇବେ । ଏହାର ବିଶେଷ ଗୁଣ ହେଲା ଏହି ଫୁଲ ଥରେ ଫୁଟିଲେ ମାସେ ପର୍ଯ୍ୟନ୍ତ ରହିଥାଏ । ଅଭୟାରଣ୍ୟର ଗୁଡ଼ିଗୁଡ଼ିଆ ଠାରେ ୧୯୭୮ରେ ଅର୍କିଡ ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହିଗଛ ଶୀତଳ ଓ ଥଣ୍ଡା ପରିବେଶରେ ଭଲଭାବେ ବଢିଥାଏ । ସେଥିପାଇଁ ଶିମିଳିପାଳରେ ଏହି ଲତା ଅଧିକ ପରିମାଣରେ ଦେଖିବାକୁ ମିଳେ । କେବଳ ଯେ ସୌନ୍ଦର୍ଯ୍ୟ ପାଇଁ ନୁହେଁ ଏହି ଲତାର ଅନେକ ଔଷଧୀୟ ଗୁଣ ରହିଛି । ଏହାର ଚାହିଦା ବଢୁ ଥିବାରୁ ଶିମିଳିପାଳର ପାଟବିଲରେ ଆଉଏକ ଅର୍କିଡ ସଂରକ୍ଷଣ କେନ୍ଦ୍ର ଖୋଲାଯାଇଛି । ଆପଣ ବି ଶିମିଳିପାଳ ଆସି ଏହାର ସୌନ୍ଦର୍ଯ୍ୟର ମଜା ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.