Below header

ଘର ନା ଗୁଳିଗୋଳା କାରଖାନା, ପୁଣି ‘ଡି’ ବ୍ରଦର୍ସ ଘରୁ ସର୍ଚ୍ଚ ବେଳେ ସିକ୍ରେଟ ଚାମ୍ବରରୁ ମିଳିଲା ବନ୍ଧୁକ ଓ ଶତାଧିକ ରାଉଣ୍ଡ ଗୁଳି

କଟକ(କେନ୍ୟୁଜ୍): ପୁଣି ଡିବ୍ରଦର୍ସ ଘରୁ ଜବତ ହେଲା ବନ୍ଧୁକ ଓ ବିପୁଳ ପରିମାଣର ଗୁଳି। ସର୍ଚ୍ଚ ବେଳେ ସିକ୍ରେଟ ଚାମ୍ବରରୁ ମିଳିଲା ବନ୍ଧୁକ ଓ ଶତାଧିକ ରାଉଣ୍ଡ ଗୁଳି।  ଉଭୟଙ୍କୁ ରିମାଣ୍ଡରେ ନେଇଥିବା କମିସନରେଟ୍‌ ପୁଲିସକୁ ଆଜି କଟକ ସିଡିଏସ୍ଥିତ ବାସଭବନରେ ଚଢ଼ାଉ ସମୟରେ ୩ଟି ବନ୍ଧୁକ ଓ ୧୪୦ଟି ଗୁଳି ମିଳିଛି। ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି।

ଚୋରାବନ୍ଧୁକ କାରବାରର ଚାଲିଛି ଛାନଭିନ। ଧଳସାମନ୍ତ ବ୍ରଦର୍ସ ଘରେ ପୁଣି ପୋଲିସ। ଧଳସାମନ୍ତ ଭାଇଙ୍କ ଉପସ୍ଥିତିରେ ଘରେ ଚାଲିଛି ତନାଘନା। ପୁଣି ଜବତ ହେଲା ବନ୍ଧୁକ ଓ ଗୁଳି। ପାଖାପାଖି ୫ ବର୍ଷ ବ୍ୟବଧାନରେ କଡ଼ା ସୁରକ୍ଷା ମଧ୍ୟରେ ଘରକୁ ଆସିଛନ୍ତି ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ। ତିନିଦିନିଆ ରିମାଣ୍ଡରେ ଆଣି ଚୋରା ବନ୍ଧୁକ କାରବାରର ଖିଅ ଖୋଜୁଛି କମିସନରେଟ ପୋଲିସ। କଟକରୁ ବନ୍ଧୁକ ବେପାରୀ ଗିରଫ ହେବା ପରେ ଧଳସାମନ୍ତଙ୍କୁ ପକ୍ଷଭୁକ୍ତ କରିବାକୁ କଟକ ଜେଏମଏଫସି କୋର୍ଟରେ ଆବେଦନ କରାଯାଇଥିଲା। ଆଜିଠାରୁ ତିନିଦିନିଆ ରିମାଣ୍ଡରେ ଜେରା ଚଳାଇଛି ପୋଲିସ। ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିଙ୍କୁ ନେଇ ଗଠିତ ଟିମ ଜେରା କରୁଛି।

ବନ୍ଧୁକ କାରବାର ଡିଲ ବେଳେ ଚୌଦ୍ୱାର ଠାରୁ ଜଣକୁ ଗିରଫ କରିଥିଲା ପୋଲିସ। ପରେ ଅନ୍ୟ ଜଣେ ଗିରଫ କରାଯାଇଥିଲା। ଉଭୟଙ୍କୁ ଜେରା ବେଳେ ଆସିଥିଲା ଡିବ୍ରଦର୍ସଙ୍କ ଲିଙ୍କ । କଟକ ଡିସିପିଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ ଗତ ୧୦ ତାରିଖରେ ସେକ୍ଟର ୬ସ୍ଥିତ ଧଳସାମନ୍ତଙ୍କ ଘରେ କରିଥିଲା ଚଢଉ। ସିକ୍ରେଟ ଚାମ୍ବରରୁ ଜବତ ହୋଇଥିଲା ୮ଟି ବନ୍ଧୁକ, ୧୬ ମାଗାଜିନ, ୧୦୫୫ ରାଉଣ୍ଡ ଗୁଳି। ଅଧିକ ପଚରାଉଚରା ବେଳେ ଗିରଫ ହୋଇଥିବା ବ୍ୟକ୍ତି ଧଳସାମନ୍ତଙ୍କ ନିର୍ଦ୍ଦେଶରେ ଅନେକ ଅପରାଧୀଙ୍କ ନିକଟକୁ ବନ୍ଧୁକ ଚାଲାଣ କରିଥିବା ମାନିଥିଲା। ସବୁ ବନ୍ଧୁକ ବିହାରରୁ ଆସୁଥିବା ପୋଲିସ ଜାଣିବାକୁ ପାଇଥିଲା।

ହତ୍ୟା, ଦାଦାବଟି ଭଳି ଜଘନ୍ୟ ଅପରାଧ ସଂପୃକ୍ତିରେ ୨୦୧୬ରେ ଗିରଫ ହୋଇଥିଲେ ଡିବ୍ରଦର୍ସ। ସେମାନଙ୍କ ଘରୁ ମିଳିଥିଲା ବିପୁଳ ବନ୍ଧୁକ ଓ ଗୁଳିଗୋଳା। ଦୁହିଁଙ୍କୁ ଭିନ୍ନ ଭିନ୍ନ ଜେଲରେ ରଖାଯାଇଥିଲେ ମଧ୍ୟ ସେମାନଙ୍କ ନିର୍ଦ୍ଦେଶରେ କଟକରେ ଚାଲିଛି ବନ୍ଧୁକ କାରବାର। ରିମାଣ୍ଡରେ ଅନେକ ତଥ୍ୟ ମିଳିବ ବୋଲି ଆଶା ରଖିଛି କମିସନରେଟ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.