ପ୍ରେମକୁ ମିଳିଲାନି ସ୍ୱୀକୃତି: କାଜୁ ବଗିଚାରେ ଗଛରେ ଗାମୁଛା ଲଗାଇ ଝୁଲିପଡିଲେ ପ୍ରେମୀ ଯୁଗଳ

ନବରଙ୍ଗପୁର(କେନ୍ୟୁଜ): ପ୍ରେମ ପାଇଁ ଜୀବନ ହାରି ଦେଲେ ପ୍ରେମୀ ଯୁଗଳ। ଗୋଟିଏ ପରିବାରର ଦୁଇ ସମ୍ପର୍କୀୟ ହୋଇଥିବାରୁ ଦୁହିଁଙ୍କ ପ୍ରେମକୁ ମିଳିଲାନି ସ୍ୱୀକୃତି। ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଲେ ଏଇ ପ୍ରେମୀ ଯୁଗଳ। ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡ଼ା ଗ୍ରାମ ନିକଟ ଏକ କାଜୁ ବଗିଚାରେ ଆଜି ସକାଳେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ପ୍ରେମୀ ଯୁଗଳ ସମ୍ପର୍କୀୟ ଗୋଟିଏ ପରିବାରର ବୋଲି ଜଣା ପଡିଛି।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଞ୍ଚାୟତ ଅନ୍ତର୍ଗତ ଦାମାପାଲା ଗ୍ରାମର ଡମ୍ବୁରୁଧର ହରିଜନ (୧୯) ଓ ଡାବୁଗାଁ ଥାନା ଜବାଗୁଡ଼ା ଗ୍ରାମର ତିଲାଇ ହରିଜନ( ୨୦) ମଧ୍ୟରେ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ଗଡି ଉଠିଥିଲା। ଡମ୍ବୁରୁଧର ହରିଜନର ମାମୁଁ ଲାଇବାନ ହରିଜନ ଜବାଗୁଡ଼ା ଗ୍ରାମରେ ରହୁଥିବା ବେଳେ ମାମୁଁ ଲାଇବାନର ଝିଅ ତିଲାଇ ହରିଜନ ସହ ଗତ କିଛି ବର୍ଷ ହେଲା ଡମ୍ବୁରୁଧର ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ପ୍ରେମୀ ଯୁଗଳ ଡମ୍ବୁରୁ ଓ ତିଲାଇ ଜବାଗୁଡ଼ା ଗ୍ରାମ ନିକଟ ଏକ କାଜୁ ବଗିଚାକୁ ଯାଇ ରାତ୍ର ସମୟରେ ଗଛରେ ଏକ ଗାମୁଛାରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ବୁଧବାର ସକାଳୁ କାଜୁ ବଗିଚା ଦେଇ ଯାତାୟାତ କରୁଥିବା ଲୋକେ ଦୁଇ ପ୍ରେମିଯୁଗଳଙ୍କ ଝୁଲନ୍ତା ଶବ ଦେଖିଥିଲେ। ଜବାଗୁଡ଼ା ଗ୍ରାମରେ ଏହା ପ୍ରଚାର ହେବା ପରେ ପ୍ରେମୀ ଯୁଗଳଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। ଖବର ପାଇ ଡାବୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।ପ୍ରେମୀ ଯୁଗଳଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରେମକୁ ନେଇ ଉଭୟ ପରିବାର ସ୍ଵୀକୃତି ଦେଇ ନ ଥିବାରୁ ଦୁହେଁ ଏଭଳି ପଦକ୍ଷେପ ନେଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.