Below header

ମୃତ ଶିକ୍ଷକ କରିବେ କୋଭିଡ ଡ୍ୟୁଟି !

ଉମରକୋଟ(କେ ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବ ନୀତି । ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମ୍‌ର କାର୍ଯ୍ଯ । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଏହା ସତ । ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାର୍ଯ୍ଯ ପାଇଁ ଚିଠି ଜାରି ହୋଇଛି । ଘଟଣା ଟି ଘଟିଛି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ୍‌ ଗୋଷ୍ଟି ଶିକ୍ଷାଧିକାରୀଙ୍କ କାର୍ଯ୍ଯଳୟରେ । ଶିକ୍ଷକ ମାନଙ୍କୁ କୋବିଦ୍‌ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ଯ କରିବା ପାଇଁ ପର୍ଯ୍ଯାୟ କ୍ରମେ ଡିଉଟି ପଡ଼ିଥାଏ । ଏହି କ୍ରମରେ ଚଳିତ ମାସ ଜୁଲାଇ ୨୮ ତାରିଖ ସନ୍ଧ୍ୟା ୬ ଟା ଠାରୁ ରାତ୍ର ୧୦ ଟା ପର୍ଯ୍ଯନ୍ତ ମୃତ ଶିକ୍ଷକ କୋଭିଡ କଣ୍ଟ୍ରୋଲ ଗୃହରେ କାର୍ଯ୍ଯ କରିବେ । କିନ୍ତୁ କୋଭିଡ କଣ୍ଟ୍ରୋଲ ଗୃହରେ ଡିଉଟି ପଡ଼ିଥିବା ଶିକ୍ଷକ ଜଣକଙ୍କର ଗତ ୧୬.୦୮.୨୦୨୦ ତାରିଖରେ ନବରଙ୍ଗପୁର ର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।

dead teacher

ଏହି ତଥ୍ୟ ତାଙ୍କ ମୃତ୍ୟୁ ପ୍ରମାଣପତ୍ର ରେ ଉଲ୍ଲେଖ ରହିଛି। କିନ୍ତୁ ମୃତ୍ୟୁ ପରେ ତାଙ୍କ ନାଁ ଡାବୁଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏହି ଡିଉଟି ତାଲିକା ଜାରି ହୋଇଛି । ସୂଚନା ଅନୁଯାୟୀ ଡାବୁଗାଁ ବ୍ଲକ କାର୍ଯ୍ଯାଳୟ ପରିସରରେ କୋଭିଡ ସଂକ୍ରାନ୍ତ ଅଭିଯୋଗ ଗ୍ରହଣ କରିବା ନିମନ୍ତେ ଏକ କୋଭିଡ କଣ୍ଟ୍ରୋଲ ରୁମ୍‌ ରହିଛି । ବ୍ଲକର ଶିକ୍ଷକ ମାନଙ୍କୁ ୪ ଟି ପର୍ଯ୍ଯାୟ ଯଥାକ୍ରମେ ସକାଳ ୭ ରୁ ୧ ଘଟିକା , ୧ ଟା ଠାରୁ ସନ୍ଧ୍ୟା ୬ ଟା , ସନ୍ଧ୍ୟା ୬ ଟା ଠାରୁ ରାତ୍ର ୧୦ ଟା ଓ ରାତ୍ର ୧୦ ଘଣ୍ଟ ରୁ ସକାଳ ୭ ଟା ପର୍ଯ୍ଯନ୍ତ କାର୍ଯ୍ଯକରିବା ନିମନ୍ତେ ଚିଠି ଜାରି ହୋଇଛି । ଶିକ୍ଷକ ମାନେ କଣ୍ଟ୍ରୋଲ ରୁମରେ ରହି କୋଭିଡ ଆକ୍ରାନ୍ତ ପରିବାର ର ଫୋନ୍‌ କଲ୍‌ ଗ୍ରହଣ କରିବା ,ଅଭିଯୋଗ ଶୁଣିବା ସହ ଅନ୍ଯାନ୍ଯ କାର୍ଯ୍ଯକରିବେ । ଚଳିତ ଜୁଲାଇ ମାସ ପାଇଁ ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ତରଫରୁ ଶିକ୍ଷକଙ୍କ ନାମ ଘୋଷଣା କରାଯାଇଛି । ଚିଠି ନଂ ୧୮୬୩/୨୧ ରେ ଜୁଲାଇ ୧ ତାରିଖରୁ ୩୧ ତାରିଖ ପର୍ଯ୍ଯନ୍ତ କୋଭିଡ କଣ୍ଟ୍ରୋଲ ରୁମ୍‌ରେ ରହି ଶିକ୍ଷକ ମାନେ କାର୍ଯ୍ଯ କରିବେ ।

ତେବେ ଆଶ୍ଚର୍ଯ୍ଯଜନକ ଭାବେ ବ୍ଲକର ଜଣେ ମୃତ ଶିକ୍ଷକ ମେଦିନିକାନ୍ତ ମେହେରଙ୍କୁ କୋଭିଡ କାର୍ଯ୍ଯ ପାଇଁ ଚିଠି ଜାରି ହୋଇଛି । ଜୁଲାଇ ମାସ ୨୮ ତାରିଖ ସନ୍ଧ୍ୟା ୬ ଘଟିକା ରୁ ରାତ୍ର ୧୦ ଟା ପର୍ଯ୍ଯନ୍ତ ମୃତ ଶିକ୍ଷକ କାର୍ଯ୍ଯ କରିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଯାହାକି ସମସ୍ତଙ୍କୁ ଚକିତ କରିଛି । ସୂଚନା ଥାଉ କି ଏହି ମୃତ ଶିକ୍ଷକଙ୍କୁ ପୂର୍ବରୁ ମଧ୍ୟ କୋଭିଡ କଣ୍ଟ୍ରୋଲ ରୁମ୍‌ ରେ କାର୍ଯ୍ଯ କରିବା ନେଇ ଚିଠି ଜାରି ହୋଇଥିଲା । ତେବେ ଜଣା ପଡ଼ିବା ପରେ ତରବରିଆ ଭାବେ ମୃତ ଶିକ୍ଷକଙ୍କ ନାମ ଲିଷ୍ଟରୁ କଟାଯାଇଥିଲା । ଡାବୁଗାଁ ବ୍ଲକ ରେ ବାହାର ଜିଲ୍ଲାର ବହୁ ସଂଖ୍ଯାରେ ଶିକ୍ଷକ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ଅବମାନନା କରି ବର୍ତ୍ତମାନ ଅନୁପସ୍ଥିତ ରହୁଥିବା ବେଳେ ସ୍ଥାନୀୟ ଶିକ୍ଷକ ମାନେ ବାଧ୍ୟ ହୋଇ କୋଭିଡ କାର୍ଯ୍ଯରେ ନିୟୋଜିତ ହୋଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା କେତେ ଶିକ୍ଷକ ବାହାର ଜିଲ୍ଲାରୁ ଫେରିଥିବା ବେଳେ ଏବେ ମଧ୍ୟ ବହୁ ସଂଖ୍ଯାରେ ଶିକ୍ଷକ ଅନୁପସ୍ଥିତ ଥିବାରୁ ତରବରିଆ ଭାବରେ ମୃତ ଶିକ୍ଷକଙ୍କୁ ମଧ୍ୟ କୋଭିଡ କାର୍ଯ୍ଯ କରିବାକୁ ଚିଠି ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଘଟଣା ସମ୍ପର୍କରେ ଡାବୁଗାଁ ଗୋଷ୍ଟି ଶିକ୍ଷାଧିକାରୀ କହିଛନ୍ତି ଯେ ଗତ ବର୍ଷ ମଧ୍ୟ ଏପରି ଭୁଲ ହୋଇଥିଲା । ଏବଂ ପରେ ତାହା ସଂଶୋଧନ କରାଯାଇଥିଲା । ଏବର୍ଷ ବି ଏହା ଭୁଲବଶତ ହୋଇଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.