କରୋନା କଟକଣାକୁ ଫୁ ! ନାଚୁଛନ୍ତି ଚିୟର ଗାର୍ଲ, ଚାଲିଛି ଫୁଟବଲ ମ୍ୟାଚ୍; ତଦନ୍ତ ନିର୍ଦ୍ଦେଶ ଦେଲେ କୋରାପୁଟ ଏସପି

କୋଭିଡ କଟକଣାର ଖୋଲାଖୋଲି ଧଜିଆ ଉଡାଇଛନ୍ତି କୋରାପୁଟବାସୀ। ଯାହାର ଚିତ୍ର ଦେଖିଲେ ଆପଣଙ୍କୁ ଚିନ୍ତାରେ ପକାଇଦେବ। କୋଭିଡ ସଂକଟ ସମୟରେ କୋରାପୁଟ ଜିଲ୍ଲା ଲମତାପୁଟରୁ ଆସିଛି ଅଭାବନୀୟ ଚିତ୍ର। ଏଠାରେ ଆୟୋଜନ ହୋଇଛି ଫୁଟବଲ ମ୍ୟାଚ୍। କଟକଣା ସତ୍ତ୍ୱେ ଶହ ଶହ ଲୋକ ଏକାଠି ହୋଇ ଆୟୋଜିତ ଫୁଟବଲ ମ୍ୟାଚର ମଜା ନେଉଛନ୍ତି। ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ଚିୟରଗାର୍ଲଙ୍କ ନାଚ ବି ଚାଲିଛି। ଏ ଦୃଶ୍ୟ ଦେଖିଲେ ଲାଗୁଛି ଯେପରି ଫୁ କରି ଉଡାଇ ଦିଆଯାଇଛି କରୋନା କଟକଣାକୁ। କଟକଣା ସତ୍ତ୍ୱେ ଏହି ମ୍ୟାଚ ଆୟୋଜିତ ହୋଇଥିବା ବେଳେ ନା ଥିଲା ସାମାଜିକ ଦୂରତା ନା ଥିଲା କାହା ମୁହଁରେ ମାସ୍କ। ଦିନେ କି ଦୁଇ ଦିନ ନୁହଁ ବରଂ ସପ୍ତାହେ ଧରି ଏହି ଫୁଟବଲ ମ୍ୟାଚ ଏଠାରେ ଚାଲିଥିବା ବେଳେ ଆଜି ଥିଲା ଏହାର ଫାଇନାଲ ମ୍ୟାଚ।
ହେଲେ ସବୁଠୁ ବଡ କଥା ହେଲା ପ୍ରଶାସନର ବିନା ଅନୁମତିରେ ଏହା ସପ୍ତାହେ ଧରି ଚାଲିଥିଲେ ବି ଏହା ଉପରେ ନା ପୋଲିସ ନା ପ୍ରଶାସନ ରୋକ ଲଗାଇଥିଲା ବରଂ ଆଜିର ଫାଇନାଲ ମ୍ୟାଚରେ ସ୍ଥାନୀୟ ଥାନା ଅଧିକାରୀ ପ୍ରଫୁଲ ଲାକ୍ରା ଏଠି ଅତିଥି ଭାବେ ଯୋଗ ଦେଇଥିଲେ। ଯାହାକୁ ନେଇ ଏବେ ପୋଲିସର ପାରିଆ ପଣିଆ ଉପରେ ପ୍ରଶ୍ନ ଉଠିଛି । କାହା ଅନୁମତିରେ ଏହି ମ୍ୟାଚ ସପ୍ତାହେ ଧରି ଚାଲିଥିଲା ଓ ପୋଲିସ ବାବୁ ଜଣଙ୍କ କାହା ଅନୁମତିରେ ଏଠି ଅତିଥି ଭାବେ ଯୋଗ ଦେଇଥିଲେ।
ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬ ହଜାର ପାର କରିଥିବା ବେଳେ ଲୋକଙ୍କୁ ସଚେତନ କରିବାରେ ଲାଗି ପଡିଛି ପ୍ରଶାସନ। ହେଲେ ଏହି ସମୟରେ ପୋଲିସ ବାବୁଙ୍କ ଏପରି ମ୍ୟାଚରେ ଯୋଗ ଦେବାକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି। ଖେଳାଳୀ କରୋନା କାଳରେ କୋରାପୁଟ ଲମତାପୁଟର ଏପରି ଚିତ୍ର କରୋନା କଟକଣାକୁ ଉପହାସ ପରି ହୋଇଛି। ଏହାର ଫଟୋ ଏବଂ ଭିଡିଓ ସୋସିଆଲମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବୁଦ୍ଧିଜୀବୀ, ଆୟୋଜକ ଓ ପୋଲିସ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଯାହା ସୂଚନା ରହିଛି ଏ ଚିତ୍ର ଦେଖିବା ପରେ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଏସପି।