ଅବହେଳିତ ଅବସ୍ଥାରେ ହଜାର ବର୍ଷ ପୁରୁଣା ମାଆ ଖଇରାଣିଙ୍କ ପୀଠ

ନରସିଂହପୁର(କେନ୍ୟୁଜ): କଟକ ଜିଲ୍ଲା ବଡମ୍ବା ବ୍ଲକର ମାଣିଆବନ୍ଧ ଠାରେ ରହିଛି ଦୀର୍ଘ ହଜାର ବର୍ଷ ପୁରୁଣା ପ୍ରସିଦ୍ଧ ମା ଖଇରାଣି ପିଠ । କିମ୍ବଦନ୍ତୀ ଅନୁଯାୟୀ ପ୍ରାଚୀନ କାଳରେ କିଛି ସୁତୁଳିଆ ଓ ଖଇରା ସମ୍ପ୍ରଦାୟର ଲୋକମାନେ ଆସି ଏଠାରେ ବାସ କରୁଥିଲେ। ଇତିହାସରୁ ଜଣାପଡେ ଯେ ଏଠାକୁ ଆସି ସେମାନେ ନିଜର ଜୀବିକା ନିର୍ବାହ କରିଥିଲେ। ତେବେ ଏଠାରେ ପାଣିର ଅଭାବ କାରଣରୁ ଲୋକମାନେ ସେଠାରେ ଏକ ପୋଖରି ଖୋଳି ଥିଲେ। ସେଠାରେ ନିଜର ସମସ୍ତ କାମ ସାରିବା ସହିତ ପୂଜାର୍ଚ୍ଚନା ପାଇଁ ପୋଖରୀ ହୁଡାରେ ନିର୍ମାଣ କରିଥିଲେ ଏକ ଛୋଟ ମନ୍ଦିର।

ଏହି ସମ୍ପ୍ରଦାୟର ଲୋକ ମନ୍ଦିରର ନାମକୁ ନିଜ ଜାତି ଅନୁସାରେ ନାମକରଣ କରାଇଥିଲେ। ଶେଷରେ ମନ୍ଦିରର ନାମ ହେଲା ମା ଖଇରାଣି ପୀଠ। ସେହିଦିନ ଠାରୁ ଏଠାରେ ମାଆଙ୍କର ପୂଜା ହୋଇଆସୁଛି। ମାଆ ଏଠି ସର୍ବପୂଜିତ ଓ ପରିଚିତ। ଏହି ପୀଠର ମଧ୍ୟ ଅନେକ ବିଶେଷତ୍ୱ ରହିଛି। ଏଠାକୁ ଲୋକମାନେ ଯେଉଁ ଆଶା ନେଇ ଆସିଥାନ୍ତି। ସେମାନଙ୍କ ଆଶା ନିଶ୍ଚିତ ଭାବେ ପୂରଣ ହୁଏ।

ତେବେ ଏହି ପୀଠକୁ ନେଇ କିନ୍ତୁ ଆଜି ର ସମୟରେ ଅନେକ ଅଭିଯୋଗ ରହିଛି। କିମ୍ବଦନ୍ତୀର ଏହି ପ୍ରସିଦ୍ଧ ମନ୍ଦିରକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଗ୍ରାମବାସୀଙ୍କ ତରଫରୁ ପ୍ରଶାସନଙ୍କ ନିକଟରେ ଅନେକ ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ କାମରେ କିଛି ସୁଧାର ଆସୁନାହିଁ। ଏଥିପାଇଁ ତୁରନ୍ତ ବିଚାର କରିବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ଏପରିକି ମନ୍ଦିରକୁ ଯିବା ପାଇଁ ହେଲେ ବିଲ ହୁଡ଼ା ଦେଇ ଯିବାକୁ ପଡ଼ୁଛି। ଯାହାଦ୍ୱାରା ଅନେକ ସମୟରେ ବୟସ୍କ ତଥା ଛୋଟ ପିଲା ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି।

ଏନେଇ ତହସିଲଦାରଙ୍କ ସହ ଯୋଗାଯୋଗ କରିବା ପରେ ସେ ଏହି ପୀଠକୁ ନିଜେ ଆସି ତଦାରଖ କରିବା ସହ ସ୍ଥାନୀୟ ସରପଞ୍ଚ ମଧ୍ୟ ଏନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସର୍ବ ପୁରାତନ ମଠ ମନ୍ଦିରର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସବୁ ପ୍ରକାର ପ୍ରଚେଷ୍ଟା ଜାରି ରହିଥିବା ବେଳେ ମା ଖଇରାଣିଙ୍କ ପୀଠ ଉପରେ ସ୍ଥାନୀୟ ପ୍ରଶାସନ କେବେ ଧ୍ୟାନ ଦେବେ ତାହା ଦେଖିବା ବାକି ରହିଲାା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.