ନୂଆ ରୂପରେ ସଜ୍ଜା ଯାଉଛି କଟକ, ଉଦଘାଟନ ହେବ ଆର୍ଟ ଗ୍ୟାଲେରୀ

କଟକ ସହରକୁ ଅଧିକ ସୁନ୍ଦର ତଥା ଆକର୍ଷଣୀୟ କରିବାର ପ୍ରୟାସ ବେଶ କିଛି ବର୍ଷ ଧରି ଜାରି ରହିଛି। ଏହି କ୍ରମରେ କେଉଁଠାରେ ନୂଆ ନୂଆ ବିଷୟ ସମ୍ପର୍କିତ ନିର୍ମାଣ ଆଗେଇ ଚାଲିଛି ତ କେଉଁଠି ପୁରୁଣା ଜିନିଷଗୁଡିକୁ ନୂଆ ରୂପରେ ସଜ୍ଜା ଯାଉଛି ।

କଟକ(କେନ୍ୟୁଜ): ଓଡ଼ିଶାରେ ଅନେକ କଳାକାର ଅଛନ୍ତି କିନ୍ତୁ ସେମାନଙ୍କ କଳା ଲୋକଲୋଚନ ସାମ୍ନାକୁ ଆସି ପାରୁନାହିଁ । ଏନେଇ ନୂଆ ପ୍ରଚେଷ୍ଟା ଆରମ୍ଭ କରାଯାଇଛି । ସମୟକ୍ରମେ ଅଧିକରୁ ଅଧିକ ଝଲସିବା ଆରମ୍ଭ କରୁଛି ସାଂସ୍କୃତିକ ପ୍ରାଣକେନ୍ଦ୍ର ରୌପ୍ୟ ନଗରୀ ହଜାର ବର୍ଷର ସହର କଟକ। ନୂଆ ନୂଆ ବିଷୟକୁ ସହର ଭିତରେ ସ୍ଥାନ ଦିଆଯିବା ସହ, କିଛି ପୁରୁଣା ଜିନିଷଗୁଡିକର କରାଯାଉଛି ନବୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ନୂତନ ଭାବରେ ଚଳିତ ମାସ ଶେଷ ସୁଦ୍ଧା ଉଦଘାଟିତ ହେବାକୁ ଯାଉଛି ସହରର ପ୍ରଥମ ଆର୍ଟ ଗ୍ୟାଲେରୀ। ସେପଟେ ଏପ୍ରିଲ ପରେ ପରେ ନୂଆ ରୂପରେ ସାମ୍ନାକୁ ଆସିବ, କଟକର ସହୀଦ ଭବନ, କଲ୍ୟାଣ ମଣ୍ଡପ ଓ ଐତିହ ସମ୍ପନ୍ନ ଚନ୍ଦନ ପୋଖରୀ।

କଟକ ସହରକୁ ଅଧିକ ସୁନ୍ଦର ତଥା ଆକର୍ଷଣୀୟ କରିବାର ପ୍ରୟାସ ବେଶ କିଛି ବର୍ଷ ଧରି ଜାରି ରହିଛି। ଏହି କ୍ରମରେ କେଉଁଠାରେ ନୂଆ ନୂଆ ବିଷୟ ସମ୍ପର୍କିତ ନିର୍ମାଣ ଆଗେଇ ଚାଲିଛି ତ କେଉଁଠି ପୁରୁଣା ଜିନିଷଗୁଡିକୁ ନୂଆ ରୂପରେ ସଜ୍ଜା ଯାଉଛି । ନୂଆ କରି ତିଆରି ହୋଇଥିବା କଟକ ଆର୍ଟ ଗ୍ୟାଲେରୀରେ କେବଳ କଳା ପ୍ରଦର୍ଶନୀ ହେବ ନାହିଁ, ଏଠାରେ କଳାକାରମାନେ ଏକାଠି ମିଶିବେ,ବସିବେ ଓ ଆଲୋଚନା କରିବେ । କଳା ପ୍ରଦର୍ଶନୀ ସହିତ ଆୟୋଜିତ ହେବ କଳା ଓ କଳାକାରଙ୍କ ସମ୍ପର୍କିତ ବିଭିନ୍ନ କର୍ମଶାଳା । ଟାଉନ ହଲ ନିକଟରେ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚରେ ଆଗେଇ ଚାଲିଛି ଏହି କାମ । ଫେବୃଆରୀ ମାସ ଶେଷ ସୁଦ୍ଧା ଏହା ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ସିଏମସି ଅଧୀନରେ ଥିବା ସହୀଦ ଭବନର କାୟାକଳ୍ପ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଆଲୋକୀକରଣ, ଉନ୍ନତ ଆଧୁନିକ ସାଉଣ୍ଡ ବ୍ୟବସ୍ଥା, ସେଣ୍ଟ୍ରାଲ ଶୀତ ତାପ ନିୟନ୍ତ୍ରଣ ବ୍ୟବସ୍ଥା, ପ୍ରଥମ ଫ୍ଲୋରରେ ସମ୍ମିଳନୀ କକ୍ଷ ଆଦି ଅନେକ ଅନେକ ନୂଆ ସିଷ୍ଟମ ଯୋଡିବାକୁ ଚେଷ୍ଟା କରାଯାଉଛି । ଏହାର ନବୀକରଣ କାର୍ଯ୍ୟ ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ ହେଉଛି । କଟମ ମହାନଗର ନିଗମ କଲ୍ୟାଣ ମଣ୍ଡପର ଉନ୍ନତିକରଣ ପାଇଁ ଖର୍ଚ୍ଚ କରାଯାଉଛି ୫ କୋଟି ଟଙ୍କା। ନୂଆ ରୂପରେ ଝଲସିବ କଲ୍ୟାଣ ମଣ୍ଡପ। ନିକଟରେ ଥିବା ପୁରାତନ ଚନ୍ଦନ ପୋଖରୀର ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ସିଏମସି ପକ୍ଷରୁ ଆଗେଇ ନିଆଯାଉଛି । ଏହି ପୋଖରୀରେ ଜନସାଧାରଣଙ୍କ ପାଇଁ ବସି ଅବସର ବିନୋଦନ କରିବାର ବ୍ୟବସ୍ଥା ରହିବ । ଜଳକ୍ରୀଡ଼ା ପାଇଁ ମଧ୍ୟ ବ୍ୟବସ୍ଥା ହୋଇପାରେ । ଏହି ତିନୋଟି ଯାକ କାର୍ଯ୍ୟ ଆସନ୍ତା ଏପ୍ରିଲ ମାସ ଶେଷ ସୁଦ୍ଧା ଶେଷ କରାଯିବ ।

ବିଗତ କିଛି ବର୍ଷ ଭିତରେ କଟକ ସହରର ରୂପରେଖରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ସେହି ତାଲିକାରେ ଏହି ବିଷୟଗୁଡିକ ଯୋଡି ହୋଇ ସହରର ଆହୁରି ଶୋଭା ବର୍ଦ୍ଧନ କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.