ଗଛରୁ ପଡ଼ି ଶଯ୍ୟାଶାୟୀ ଏହି ଯୁବକ, ଦୁନିଆ ସହ ସଂଘର୍ଷ କରିବା ପୂର୍ବରୁ ଜୀବନ ସହ ସଂଗ୍ରାମ କରୁଛନ୍ତି

ଆଜକୁ ୧୩ ବର୍ଷ ତଳେ ଏକ ନଡ଼ିଆ ଗଛରେ ନଡ଼ିଆ ତୋଳିବା ପାଇଁ ଚଢ଼ିଥିବା ବେଳେ ଗଛରୁ ତଳେ ପଡ଼ି ଯାଇଥିଲେ ତରୁଣ l ତାଙ୍କ ଅଣ୍ଟା ଭାଙ୍ଗି ଯାଇଥିଲା l ସେହି ଦିନ ଠାରୁ ଗୋଡ ହାତ ଚଳେ ନାହିଁ l ସେ ଚାଲି ପାରନ୍ତି ନାହିଁ । ତାଙ୍କ ହାତ ଗୋଡ଼ ସବୁବେଳେ ଥରୁଥାଏ । କିନ୍ତୁ ତରୁଣ ଅଠର ବର୍ଷ ଯାଏ ସାଧାରଣ ଯୁବକ ଭାବରେ କାମ ଦାମ କରୁଥିଲେ l ଏହି ଦୁର୍ଘଟଣା ତାଙ୍କୁ ପଙ୍ଗୁ କରି ଦେଇଛି । ଦୀର୍ଘ ବର୍ଷ ହେଲା ସେ ସଂଘର୍ଷ କରି ବଞ୍ଚି ରହିଛନ୍ତି l

ଏ ଶରୀର କ୍ଷଣସ୍ଥାୟୀ । ଏକଥା ଆମେ କହୁନୁ ଏ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ ସବୁ କିଛି ଠିକ୍ କିନ୍ତୁ ଯଦି ଛୋଟିଆ ଅଘଟଣଟେ ଘଟି ଯାଉଛି ତେବେ ବଞ୍ଚିବା ଆମ ପାଇଁ ମୁସ୍କିଲ ହୋଇଯାଏ । ଖାସ୍ କରି ଯୁବା ଅବସ୍ଥାରେ ଯଦି କୌଣସି ଅଘଟଣ ଘଟୁଛି ତେବେ ଜୀବନଟା ଯେମିତି ଅସହ୍ୟ ହୋଇପଡ଼େ । ସାକାର କରିବା ପାଇଁ ଦେଖିଥବା ସବୁ ସ୍ୱପ୍ନ ଭାଙ୍ଗି ଚୁର୍ମାର୍ ହୋଇଯିବ କେଇ ମୁହୂର୍ତ୍ତରେ। ଆମେ କହୁଛୁ ପିପିଲି ଅଞ୍ଚଳ ଠଣଠଣା ଗାଁର ଦିବ୍ୟାଙ୍ଗ ତରୁଣଙ୍କ କଥା । ଯିଏ କି ଏବେ ଛିଡ଼ା ହୋଇ ଦୁଇ ପାଦରେ ଚାଲିବା ପାଇଁ କରୁଛନ୍ତି ସଂଘର୍ଷ ।

ଗାଁର ଏମୁଣ୍ଡରୁ ସେମୁଣ୍ଡ ଏକଦମ୍‌ ଚକାଚକ୍‌ । ଏହି ଗାଁକୁ ଦେଖିଲେ ମନ ପୁରି ଉଠିବ l କିନ୍ତୁ ଗାଁ ଭିତରେ ଏଭଳି ଅବସ୍ଥାରେ ରହିଛି ଗୋଟିଏ ଘର l ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲୁ । କିଛି ସମୟ ଘରଟି ଉପରୁ ନଜର ହଟିଲାନି l ଏତେ ସୁନ୍ଦର ଘର ଦ୍ୱାର ଥିବା ଗାଁ ଭିତରେ ଏମିତି ଅବସ୍ଥାରେ ବି ଲୋକମାନେ ରହୁଛନ୍ତି ? ଆଖିକୁ ଟିକିଏ ବିଶ୍ୱାସ ହେଲାନି l ଘର ବାହାର ଦୃଶ୍ୟ ମଧ୍ୟ ସେମିତି କିଛି ଆକର୍ଷଣୀୟ ନଥିଲା l ଘର ବାହାରେ ଖଣ୍ଡେ ଛିଣ୍ଡା ସପ ପଡିଥାଏ l ଲାଗୁଥାଏ ସତେ ଯେମିତି ବର୍ଷ ବର୍ଷ ଧରି ଏଇଠି ଏମିତି ସପଟି ପଡ଼ି ରହିଛି । ଘର ବାହାର କାନ୍ଥ ସବୁ ମାଟିରେ ତିଆରି ହୋଇଥିଲା କେଉଁ ଯୁଗରୁ l ତେଣୁ ବୋଧେ ବାତ୍ୟା ବେଳେ କାନ୍ଥ ସବୁ ଭୁଶୁଡି ଯାଇଛି l ଦଦରା କାନ୍ଥ ସବୁ ଫାଟି ଆଁ କରିଛି l ଘର ଅଧା କାନ୍ଥ ନାହିଁ ପୁଣି ଭାଙ୍ଗି ଯାଇଥିବା ଅଧା କାନ୍ଥ ଉପରେ ପ୍ଲାଷ୍ଟିକ ପଲିଥିନ ପରଦା ଦେଇ ଘର ଭିତରର ଦୁର୍ଦ୍ଦଶାକୁ ଢାଙ୍କିବା ପାଇଁ ଚେଷ୍ଟା କରାଯାଇଛି । ଘର ଆଗରେ କିଛି ମାଟିଖଣ୍ଡ ପଡି ରହିଛି l ଆମେ ଘର ପାଖକୁ ଯାଇ ଦେଖିଲୁ ଘର ଭିତର ତାଠାରୁ ବଳି ଦୟନୀୟ ଅବସ୍ଥାରେ l ଚାରି ପାଖରେ ପଲିଥିନ ଘେରା ହୋଇଛି l ସେହି ଭଙ୍ଗା ଦଦରା ଘର ଭିତରେ ନିଜ ମା’ଙ୍କ ସହ ରହୁଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ, ତାଙ୍କ ନାଁ ତରୁଣ l ଆମେ ପହଞ୍ଚିଲା ବେଳକୁ ଯୁବକ ଜଣକ ଗୋଟିଏ ଖଟ ଉପରେ ବସିଥାନ୍ତି l ସେ ଚଲାବୁଲା କରି ପାରୁ ନାହାନ୍ତି l ତାଙ୍କର ଏକମାତ୍ର ସାହା ଭରସା ହେଉଛି ହ୍ଵିଲ୍ ଚେୟାର । ଘରେ ବାପା ମାଆ ଆଉ ଗୋଟିଏ ସାନ ଭାଇ l ବାପା ରୋଗୀକୁ ମାଆ ରୋଗିଣା l ଏଣେ ତରୁଣ ନିଜେ ମଧ୍ୟ ଦିବ୍ୟାଙ୍ଗ l

ସବୁଠାରୁ ଦୁଃଖର କଥା ହେଉଛି ଆଜକୁ ୧୩ ବର୍ଷ ତଳେ ଏକ ନଡ଼ିଆ ଗଛରେ ନଡ଼ିଆ ତୋଳିବା ପାଇଁ ଚଢ଼ିଥିବା ବେଳେ ଗଛରୁ ତଳେ ପଡ଼ି ଯାଇଥିଲେ ତରୁଣ l ତାଙ୍କ ଅଣ୍ଟା ଭାଙ୍ଗି ଯାଇଥିଲା l ସେହି ଦିନ ଠାରୁ ଗୋଡ ହାତ ଚଳେ ନାହିଁ l ସେ ଚାଲି ପାରନ୍ତି ନାହିଁ । ତାଙ୍କ ହାତ ଗୋଡ଼ ସବୁବେଳେ ଥରୁଥାଏ । କିନ୍ତୁ ତରୁଣ ଅଠର ବର୍ଷ ଯାଏ ସାଧାରଣ ଯୁବକ ଭାବରେ କାମ ଦାମ କରୁଥିଲେ l ଏହି ଦୁର୍ଘଟଣା ତାଙ୍କୁ ପଙ୍ଗୁ କରି ଦେଇଛି । ଦୀର୍ଘ ବର୍ଷ ହେଲା ସେ ସଂଘର୍ଷ କରି ବଞ୍ଚି ରହିଛନ୍ତି l ଅବଶ୍ୟ ନିଜକୁ ସମ୍ପୂର୍ଣ୍ଣ ଅକ୍ଷମ ବୋଲି ଭାବି ନାହାନ୍ତି l ସେଥିପାଇଁ କିପରି ନିଜ ଗୋଡ଼ରେ ଠିଆ ହୋଇ ଦୁଇ ପାଦ ଚାଲିବେ ସେ ଚଳାଇଛନ୍ତି ପ୍ରୟାସ । ସାଇକେଲ ପ୍ୟାଡେଲ ମାରି ଚାଲିବା ପାଇଁ କରୁଛନ୍ତି ଉଦ୍ୟମ ।

ଜଣେ ସ୍ୱାଭିମାନୀ ଯୁବକ ହେଉଛନ୍ତି ତରୁଣ । ଭିକ ମାଗି ବଞ୍ଚିବାକୁ ପସନ୍ଦ କରନ୍ତିନି l ତେବେ ସରକାରୀ ସହାୟତା କହିଲେ ଘରକୁ ଆସେ ୩୫ କେଜି ଚାଉଳ । ସେଥିରେ ଚଳନ୍ତି ସେ ଆଉ ତାଙ୍କ ବାପା, ମା, । କିଏ କିଛି ସାହାଯ୍ୟ କଲେ ଚଳିବା ସାମାନ୍ୟ ସହଜ ହୋଇଯାଏ । ହେଲେ ଅସଲ କଷ୍ଟ ଦୂର ହୁଏ ନାହିଁ । ତଥାପି କିଛି ମାତ୍ରାରେ ଚିକିତ୍ସା ବାବଦ ଖର୍ଚ୍ଚରେ ଚାଲିଯାଏ ।ଆଶା ରହିଛି ଭଲ ଚିକିତ୍ସା କରାଗଲେ ତରୁଣ ସୁସ୍ଥ ହୋଇଯିବେ । ତେଣୁ ସରକାରୀ ଓ ବେସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତ । ସରକାରଙ୍କ ତରଫରୁ ଏଭଳି ଗରିବ ଏବଂ ଦିବ୍ୟାଙ୍ଗ ପାଇଁ ଅନେକ ଯୋଜନା ରହିଛି । ତେଣୁ ପ୍ରଶାସନିକ ଅଧିକାରୀ ତରୁଣଙ୍କ ପ୍ରତି ଦୃଷ୍ଟି ଦେଲେ ବଦଳି ଯାଆନ୍ତା ତାଙ୍କ ଭାଗ୍ୟ । ସେ ପୁଣି ରୋଗଶଯ୍ୟାରୁ ଉଠି ସ୍ୱାଭାବିକ ଜୀବନ ଜିଇ ପାରନ୍ତେ । ଆଉ ପରିବାର ମଧ୍ୟ ଭଲରେ ଚଳନ୍ତା । ହେଲେ ଏ କାମ କରିବ କିଏ ? ଏବେ ନିର୍ବାଚନ ସମୟରେ ଜନପ୍ରତିନିଧିମାନେ ଭୋଟ୍‌ ଭିକ୍ଷାରେ ଲାଗିଛନ୍ତି । ସେମାନେ ଯଦି ତରୁଣଙ୍କ ସହାୟତା ପାଇଁ ଛିଡ଼ା ହୁଅନ୍ତେ ଅନେକ ସମସ୍ୟା ଦୂର ହୋଇଯାଆନ୍ତ ଏଇ ଦୁଃଖୀ ପରିବାରର ।

You might also like