ରାତି ସୁଦ୍ଧା ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ

୧୨ତାରିଖ ସକାଳୁ ମୋଖା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ। ୧୩ତାରିଖ ସଂଧ୍ୟା ବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହେବା ସହ ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରିଛି IMD।

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଗଭୀର ଅବପାତ । ରାତି ସୁଦ୍ଧା ନେବ ବାତ୍ୟାର ରୂପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟା ମୋଖାରେ ପରିଣତ ହେବ। କ୍ରମଶଃ ଅଧିକ ଘନୀଭୂତ ହୋଇ କାଲି ସକାଳ ସୁଦ୍ଧା ମୋଖା ଭୀଷଣ ବାତ୍ୟାର ରୂପ ନେବ। ଏହା ଦକ୍ଷିଣ ପୂର୍ବ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ କାଲି ମଧ୍ୟରାତ୍ରି ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଏହା ପରେ ବାତ୍ୟାର ଗତିପଥ ବଦଳିବ।

୧୨ତାରିଖ ସକାଳୁ ମୋଖା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ। ୧୩ତାରିଖ ସଂଧ୍ୟା ବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହେବା ସହ ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରିଛି IMD। ବାଂଲାଦେଶ ଓ ମିଆଁମାରରେ ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ଓ ଝଟକା ପବନ ୧୩୦ କିମି ବେଗରେ ବହିପାରେ। ଓଡ଼ିଶା ଉପରେ କିନ୍ତୁ ରହିବନି ବାତ୍ୟାର ପ୍ରଭାବ।

ବାତ୍ୟାର ଲ୍ୟାଣ୍ଡଫଲ ନେଇ ନଜର ରଖିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା। ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ୱିଣ୍ଡିର ଆମେରିକାନ୍‌ GFS ଓ ୟୁରୋପିଆନ୍‌ ECMWF ମଡେଲରେ ମିଆଁମାରରେ ଲ୍ୟାଣ୍ଡଫଲ ନେଇ ଆକଳନ କରିଛନ୍ତି। GFS ମଡେଲ ଅନୁସାରେ ୧୩ ତାରିଖ ସଂଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା। ECMWF ମଡେଲ ଆକଳନ ଅନୁଯାୟୀ ୧୪ ତାରିଖ ଅପରାହ୍‌ଣରେ କରିବ ଲ୍ୟାଣ୍ଡଫଲ। ସେହିପରି ପାଣିପାଗ ସଂସ୍ଥା ସ୍କାଏମେଟ ଆକଳନ ଅନୁଯାୟୀ ମୋଖା ଉତ୍ତର ବର୍ମା କିମ୍ବା ପୂର୍ବ ବାଂଲାଦେଶରେ ଲାଣ୍ଡଫଲ କରିପାରେ। ବଙ୍ଗୋପସାଗରରେ ଗଭୀର ଅବପାତ ଉତ୍ତର ଦିଗରେ ଗତି କରିବା ସହ ସମୁଦ୍ରରେ ଉଚ୍ଚ ଜୁଆର ଉଠିବ। ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ପ୍ରବଳ ବର୍ଷା ସହ ଜୁଆର ବହିବ। ୧୨ ଓ ୧୩ ତାରିଖ ବେଳକୁ ମିଆଁମାର, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ବଡ଼ ଜୁଆର ସହ ଜୋରରେ ପବନ ବହିବା ସମ୍ଭାବନା ରହିଛି।  ଗଭୀର ଅବପାତ ପ୍ରଭାବରେ ବଙ୍ଗୋପସାଗରରେ ଅଶାନ୍ତ ରହିଛି ସମୁଦ୍ର। ସମୁଦ୍ରରେ ପବନର ବେଗ ଅଧିକ ସହ ଜୁଆରିଆ ରହିଛି। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.