ଇଏ ଆଉ ଜଣେ ମୀରାବାଇ, ଜଗନ୍ନାଥଙ୍କ ପ୍ରେମରେ ପାଗଳ ହୋଇଛନ୍ତି
, ଅନାମିକା ଜଣେ ଉଚ୍ଚ ଶିକ୍ଷିତା ଓ ବ୍ୟାଙ୍କ ମ୍ୟାନେଜର। କିନ୍ତୁ କେବେବି ଏହାକୁ ନେଇ ମନରେ ଗର୍ବ କରନ୍ତି ନାହିଁ। ପ୍ରତି ମାସରେ ପୁରୀ ଧାଇଁ ଆସନ୍ତା, ସାଙ୍ଗରେ ଜଗନ୍ନାଥଙ୍କ ବିଗ୍ରହ ନେଇ । ସ୍ନାନ ଶୌଚକୁ ଛାଡିଦେଲେ ନିଜ ପାଖରୁ ଜଗନ୍ନାଥଙ୍କୁ କେବେ ବି ଦୂରେଇ ନାହାନ୍ତି ଅନାମିକା ।
କେନ୍ୟୁଜ୍(ବ୍ୟୁରୋ): କିଏ କହିଲା ଜଗା ପ୍ରେମ ପାଗଳ କରେନି ବୋଲି? ତା ପ୍ରେମରେ ଯିଏ ଥରେ ପଡିଛି ସେ ହିଁ ଅନୁଭବ କରିଛି, ପ୍ରତିଟି ମୁହୂର୍ତ୍ତ ଯେମିତି ଜଗନ୍ନାଥମୟ ହୋଇପଡୁଛି। ନହେଲେ ନାମ ରସକୁ ପାନ କରି ନଦିଆରୁ କଣ ପୁରୀ ଧାଇଁ ଆସିଥାନ୍ତେ ଚୈତନ୍ୟ ଗୋସାଇଁ ? କେବଳ ଭାବ ଥିଲେ ହିଁ ସେ ଭାବବିନୋଦିଆ ପାଖରୁ ଛାଡିକି ଯାଏନାହିଁ। ଆଉ ଏମିତି ତା ପ୍ରେମରେ ପକାଇଦିଏ ଯେ ଦୁନିଆଟା ବି ତୁଚ୍ଛଲାଗେ ତା ପ୍ରେମ ଆଗରେ। ଚକା ଚକା ଦିଟା ଆଖିକୁ ଅନାଇ ଦେଲେ ସଂସାରର ସବୁ ମୋହ ମାୟା ଦୂରେଇଯାଏ। ଆଉ ଇଚ୍ଛା ହୁଏ ତା କଳାବଦନକୁ ସେମତି ଅନେଇ ରହିବାକୁ। ଯେମିତି ଏବେ ଜଣେ ବଙ୍ଗୀୟ ଯୁବତୀ ହୋଇଯାଇଛନ୍ତି। ଶୟନେ ସପନେ ଜାଗାରଣେ କ୍ଷଣିକ ସମୟ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ନିଜ ପାଖରୁ ଦୁରେଇ ଦେଉନାହାନ୍ତି। ନାଁ ତାଙ୍କର ଅନାମିକା। ବାୟସ ୪୦ ଛୁଇଁବାକୁ ବସିଲାଣି। କିନ୍ତୁ ବିବାହ କଲେ ନାହିଁ। ତାଙ୍କୁ ପଚାରିଲେ ସେ କହୁନ୍ତି ମୁଁ ଜଗନ୍ନାଥଙ୍କୁ ବାହା ହୋଇଯାଇଛି। ସେ ମୋ ଜୀବନ ଧନ ଓ ଆଉ ମୁଁ ତାଙ୍କ ପ୍ରେମିକା । ତେଣୁ ସମସ୍ତଙ୍କୁ ନିଜର ପରିଚୟ ଦେଇ କୁହନ୍ତି ମୁଁ ଜଗନ୍ନାଥଙ୍କ ପ୍ରେମିକା।
ଜାଣି ଆଶ୍ଚର୍ଯ୍ୟ ହେବେ, ଅନାମିକା ଜଣେ ଉଚ୍ଚ ଶିକ୍ଷିତା ଓ ବ୍ୟାଙ୍କ ମ୍ୟାନେଜର। କିନ୍ତୁ କେବେବି ଏହାକୁ ନେଇ ମନରେ ଗର୍ବ କରନ୍ତି ନାହିଁ। ପ୍ରତି ମାସରେ ପୁରୀ ଧାଇଁ ଆସନ୍ତା, ସାଙ୍ଗରେ ଜଗନ୍ନାଥଙ୍କ ବିଗ୍ରହ ନେଇ । ସ୍ନାନ ଶୌଚକୁ ଛାଡିଦେଲେ ନିଜ ପାଖରୁ ଜଗନ୍ନାଥଙ୍କୁ କେବେ ବି ଦୂରେଇ ନାହାନ୍ତି ଅନାମିକା । ଯେଉଁ କାରଣରୁ ବାଙ୍କ ଷ୍ଟାଫ୍ ଓ ଅନ୍ୟାନ ବନ୍ଧୁ ବି କହୁନ୍ତି ‘ତୁ ଜଗନ୍ନାଥଙ୍କ ପାଇଁ ପାଗଳ ହୋଇଯାଇଛୁ’। ଅନାମିକା ମଧ୍ୟ ବନ୍ଧୁ ମାନଙ୍କ ଏହି ତାତ୍ସଲ୍ୟଭରା କଥା ଶୁଣି ଖୁସି ଅନୁଭବ କରନ୍ତି। କାହିଁକି ନା ବ୍ରହ୍ମାଣ୍ଡ ଗୋସାଇଁଙ୍କ ପାଇଁ ଯଦି ପାଗଳ ବୋଲି ଶୁଣିବାକୁ ପଡେ ଏହାଠାରୁ ବଡ଼ ସୌଭାଗ୍ୟ କଣ ହୋଇପାରେ ବୋଲି ସେ ଭାବନ୍ତି।
ପ୍ରତି ମାସରେ ପୁରୀ ଆସି ଅନେକ ସେବାୟତଙ୍କ ସହ ମିଶନ୍ତି। ନିଜ କୁନି ଠାକୁର ପାଇଁ ମଧ୍ୟ ଅଙ୍ଗ ବସ୍ତ୍ର, ମକୁଟ ଓ ଠାକୁରଙ୍କ ଅନ୍ୟାନ ସାମଗ୍ରୀ କିଣି ନେଇକି ଯାଆନ୍ତି। ଓଡ଼ିଆ କହିପାରନ୍ତିନି ସତ କିନ୍ତୁ ଓଡିଆଙ୍କ ପ୍ରତି ଅହେତୁକ ଦୁର୍ବଳତା ରହିଛି ତାଙ୍କ ମନରେ । ଓଡିଆଙ୍କ ଚାଲିଚଳଣ ପୋଷାକ ପରିଧାନ ଇତ୍ୟାଦି ତାଙ୍କୁ ବିଶେଷ ଆକୃଷ୍ଟ କରିଛି। ତେଣୁ ଯେତେବେଳେ ପୁରୀ ଆସନ୍ତି ଓଡ଼ିଆଙ୍କ ପରି ଶାଢୀ ପିନ୍ଧି କୁନି ଜଗନ୍ନାଥଙ୍କ ବିଗ୍ରହକୁ କାଖେଇ ବଡ଼ ଦାଣ୍ଡରେ ଚାଲି ଚାଲି ଆସି ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରନ୍ତି। ଏମିତି କି ଶୁଣିବାକୁ ମିଳୁଛି, ନିଜର ଆୟର କିଛି ଅଂଶ ଶ୍ରୀମନ୍ଦିରକୁ ଦାନ କରନ୍ତି। ଅନାମିକାଙ୍କ ଜଗନ୍ନାଥଙ୍କ ପ୍ରତି ପ୍ରେମ ଦେଖି ପରୀରେ ଅନେକ ଶ୍ରଦ୍ଧାଳୁ କହିଦିଅନ୍ତି, ମହାପ୍ରଭୁଙ୍କ ଦୟା ହୋଇଛି ଏହି ବଙ୍ଗୀୟ ଯୁବତୀଙ୍କ ଉପରେ । ନହେଲେ ଦର୍ଶନ ଦେବାପାଇଁ ଅନେକ ହଟ୍ଟ ରଚୁଥିବା ହଟ୍ଟିଆ ଠାକୁର ସୁଦୂର କଲିକତାରୁ ପ୍ରତି ମାସରେ କେମତି ଡୋରି ଲଗାଇ ଆଣନ୍ତା ତା ଧାମକୁ ?
ଅନାମିକାଙ୍କର ପ୍ରେମ ହେଉ ଅବା ଭକ୍ତି । କିନ୍ତୁ ଏତିକି ତ ନିଶ୍ଚିତ, ସେ ଗୁପ୍ତରେ ପାଇଛନ୍ତି ମହାପ୍ରଭୁଙ୍କ ସାନ୍ନିଧ୍ୟ। ନହେଲେ ତାଙ୍କ ବୟସର ଯୁବତୀ, ଯେଉଁମାନେ ସଂସାର ଗଢି ଖୁସିରେ ଜୀବନ ଯାପନର ସ୍ବପ୍ନ ଦେଖନ୍ତି, ସେଠି ଅନାମିକା ମହାପ୍ରଭୁଙ୍କୁ ନେଇ ମୁକ୍ତି ଅନ୍ବେଷଣରେ ଅଛନ୍ତି।