ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ସମଲେଶ୍ବରୀ, ଲାଗିଛି ଭକ୍ତଙ୍କ ଭିଡ଼

ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ । ପବିତ୍ର ମହାଳୟା ଅବସରରେ ମା' ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷ ତମାମ ମା' ସିନ୍ଦୁର ମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ।

ସମ୍ବଲପୁର (କେନ୍ୟୁଜ): ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ । ପବିତ୍ର ମହାଳୟା ଅବସରରେ ମା’ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷ ତମାମ ମା’ ସିନ୍ଦୁର ମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ମହାଳୟା ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଂଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ମା’ ଙ୍କର ଏହି ବେଶକୁ ଗଙ୍ଗା ବେଶ ବୋଲି କୁହାଯାଇଥାଏ ।

ତେବେ ପବିତ୍ର ମହାଳୟା ପାଇଁ ସମଲେଶ୍ୱରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରାଯାଇଛି । ବର୍ଷ ତମାମ ମା’ ସମଲେଶ୍ୱରୀ ସିନ୍ଦୁରମୁହିଁ ବେଶରେ ଦର୍ଶନ ଦେଉଥିବା ବେଳେ କେବଳ ମହାଳୟା ତିଥିରେ ମା’ ସମଲେଶ୍ୱରୀ ଧବଳମୁଖୀ ବେଶ ବା ଗଙ୍ଗା ବେଶରେ ଦର୍ଶନ ଦିଅନ୍ତି । ଶ୍ରାଦ୍ଧ କଲା ପରେ ଗଙ୍ଗା ସ୍ନାନର ଵିଧି ଥିବା ବେଳେ ଯେଉଁମାନେ ଗଙ୍ଗା ଯାଇ ପାରନ୍ତି ନାହିଁ ସେହି ଲୋକମାନେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆଜି ମାଁ ସମଲେଶ୍ୱରୀଙ୍କ ପୂଜକ ମାନେ ମଧ୍ୟ ଧଳା ରଙ୍ଗର ବସ୍ତ୍ର ପରିଧାନ କରି ମାଙ୍କର ଆଳତି ସହ ପୂଜା କରୁଛନ୍ତି l ତେଣୁ ମହାଳୟା ତିଥିରେ ମା’ଙ୍କ ଧବଳମୁଖୀ ବେଶର ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏଥିପାଇଁ ଆଜି ମନ୍ଦିରରେ ଅଧିକ ଗହଳି ହେବାର ସମ୍ଭାବନା ଥିବାରୁ କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁ ଭୋଗ, ନୈବେଦ୍ୟ ନେଇ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ । ସେମାନେ କେବଳ ଦର୍ଶନ କରିବେ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଗାଇଡ଼ ଲାଇନ ଜାରି କରିଛି । ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.