୨୪ ଘଣ୍ଟାରେ ପ୍ରତିଶୃତି ପୂରଣ କଲେ ଜିଲ୍ଲାପାଳ,ସମାଧାନ ହେଲା ବିରିକୋଟ ପାନୀୟ ଜଳ ସମସ୍ୟା

ଲୋକେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଗଜପତି ଜ଼ିଲ୍ଲା ଜଳ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କର୍ମଚାରୀ ମାନେ ପାଇପ୍ ଫାଟିଯାଇଥିବା ସ୍ଥାନ ଗୁଡିକ ମରାମତି କରିବା ପରେ ମଙ୍ଗଳବାର ଗ୍ରାମରେ ଜଳ ଯୋଗାଣ ସ୍ୱାଭାବିକ ହୋଇଛି।

ମୋହନା(କେନ୍ୟୁଜ୍): ପ୍ରତିଶୃତି ଦେବାର ୨୪ ଘଣ୍ଟା ମଧ୍ୟରେ ସମସ୍ୟା ର ସମାଧାନ କଲେ ଗଜପତି ଜ଼ିଲ୍ଲାପାଳ, ଲୋକେ ପାଇଲେ ପାନୀୟ ଜଳ ଏଭଳି ଚିତ୍ର ଦେଖିବା ପାଇଁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକର ବିରିକୋଟ ଗ୍ରାମରେ। ଗତ ସୋମବାର ଗଜପତି ଜ଼ିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମାଣ୍ଡିମେରା ପଞ୍ଚାୟତରୁ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସାରି ଫେରିବା ବେଳେ ବିରିକୋଟ ଗ୍ରାମର କିଛି ମହିଳା ଗରା, ମାଠିଆ ଧରି ଜିଲ୍ଲାପାଳଙ୍କ ନିକଟରେ ଗ୍ରାମର ଜଳ ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ, ଜିଲ୍ଲାପାଳ ଘଟଣା ସ୍ଥଳରୁ ହିଁ ସଙ୍ଗେ ସଙ୍ଗେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗକୁ ସମସ୍ୟା ର ତ୍ୱରିତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବିରିକୋଟ ନାଳରୁ ବସୁଧା ଜଳଟାଙ୍କିକୁ ଦୀର୍ଘ ୪ କିଲୋମିଟର ଦୂର ପାଇପ୍ ଯୋଗେ ଜଳ ସଂରକ୍ଷିତ କରି ରଖିବା ପରେ ଗ୍ରାମବାସୀଙ୍କୁ ଜଳ ଯୋଗାଣ କରାଯାଏ ।  ଏଥିନିମନ୍ତେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ବ୍ୟବହାର କରାଯାଉଛି, କିନ୍ତୁ ମୋଟର ଏବଂ ଟାଙ୍କିକୁ ସଂଯୋଗ କରୁଥିବା ପାଇପଟି ୪ ଇଞ୍ଚର ହୋଇଥିବା ଯୋଗୁଁ ଟାଙ୍କିକୁ ଜଳ ଉଠାଣ ବେଳେ ତାହା ବିଭିନ୍ନ ସ୍ଥାନରେ ଫାଟିଯାଇଥିଲା ଫଳରେ ଟାଙ୍କିକୁ ଠିକ୍ ଭାବେ ଜଳ ଯାଇପାରୁନଥିଲା ଏବଂ ଲୋକଙ୍କୁ ମଧ୍ୟ ଜଳ ଯୋଗାଣ ହୋଇପାରୁନଥିଲା।

ଏନେଇ ଲୋକେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଗଜପତି ଜ଼ିଲ୍ଲା ଜଳ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କର୍ମଚାରୀ ମାନେ ପାଇପ୍ ଫାଟିଯାଇଥିବା ସ୍ଥାନ ଗୁଡିକ ମରାମତି କରିବା ପରେ ମଙ୍ଗଳବାର ଗ୍ରାମରେ ଜଳ ଯୋଗାଣ ସ୍ୱାଭାବିକ ହୋଇଛି। ଆଗକୁ ଜଳ ସମସ୍ୟା ର ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି ଜ଼ିଲ୍ଲା ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବିକାଶ ପତି । ଜ଼ିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଉପକୃତ ହୋଇଥିବା ଯୋଗୁଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିରିକୋଟ ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.