ଶ୍ରୀମନ୍ଦିର ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ: ଆସନ୍ତା ୨ ତାରିଖ ସୁଦ୍ଧା ସରିବ ଦୋଳବେଦୀ କାର୍ଯ୍ୟ
ଆସନ୍ତା ୭ ତାରିଖ ଦୋଳପୂର୍ଣ୍ଣିମା ଦିନ ସକାଳ ୮ଟାରେ ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବେ । ଏହାପରେ୮ଟାରୁ ସାଢ଼େ ୯ଟା ଭିତରେ ସୁନାବେଶ ସମ୍ପର୍ଣ୍ଣ କରାଯିବ ।
ପୁରୀ (କେନ୍ୟୁଜ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ଆଜି ବୈଠକ ବସିଥିଲା। ଶ୍ରୀମନ୍ଦିର ଚତୁଃର୍ପାଶ୍ୱରେ ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଚାଲିଥିବାରୁ ଦୋଳ ପୂର୍ଣ୍ଣିମା ଦିନ ବିମାନରେ ଠାକୁର ବିଜେ କରି କିଭଳି ଦୋଳବେଦୀକୁ ଆସିବେ ଓ ନୀତିକାନ୍ତି ହେବ ସେନେଇ ଛତିଶାନିଯୋଗ ସଦସ୍ୟମାନେ ବୈଠକରେ ପ୍ରଶ୍ନ ଉଠାଇଥିଲେ। ଆସନ୍ତା ୨ ତାରିଖ ସୁଦ୍ଧା ଅଗ୍ରାଧିକାର ଭିତ୍ତିରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ତଥା ମହାପ୍ରଭୁଙ୍କ ସୁରୁଖୁରୁରେ ନୀତି ସମ୍ପାଦନ ହେବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ଦୋଳପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନରେ ଦୋଳବେଦୀକୁ ଆସି ଚତୁର୍ପାଶ୍ୱରେ ପ୍ରଦିକ୍ଷଣ କରିବା ପରେ ପୂଜା ଓ ଭୋଗ କରାଯାଇଥାଏ। ଏଥିପାଇଁ ମେଣ୍ଢାପୋଡି ଓ ଦୋଳପୂର୍ଣ୍ନିମା ଦିନ ଚୂଡାନ୍ତ ହୋଇଥିବା ନୀତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଆସନ୍ତା ୭ ତାରିଖ ଦୋଳପୂର୍ଣ୍ଣିମା ଦିନ ସକାଳ ୮ଟାରେ ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବେ । ଏହାପରେ୮ଟାରୁ ସାଢ଼େ ୯ଟା ଭିତରେ ସୁନାବେଶ ସମ୍ପର୍ଣ୍ଣ କରାଯିବ । ଏହାପରେ ସକାଳ ୧୦ଟାରେ ବିମାନକୁ ଦିଅଁ ବିଜେ କରି ବେଢା ପରିକ୍ରମା କରିବେ। ରାତି ସାଢ଼େ ୯ଟା ଯାଏ ଦୋଳବେଦୀରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ।