ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ ଶିକ୍ଷାବିତ୍‌ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ମିଳିଲା ଜୀବନ ଗୌରବ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ):  ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ ଶିକ୍ଷାବିତ୍‌ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଗଭର୍ଣ୍ଣିଂ କାଉନସିଲ୍‌ ଅଫ୍‌ ନ୍ୟାସ୍‌ନାଲ୍‌ ଟିଚର୍ସ କଂଗ୍ରେସ ପକ୍ଷରୁ ଜୀବନ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁନେ ସ୍ଥିତ ଏମ୍‌ଆଇଟି ୱାର୍ଲ୍ଡ ପିସ୍‌ ବିଶ୍ଵବିଦ୍ୟାଳୟଠାରେ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଚତୁର୍ଥ ନ୍ୟାସ୍‌ନାଲ୍‌ ଟିଚର୍ସ କଂଗ୍ରେସର ଉଦ୍‌ଯାପନୀ ଉତ୍ସବ ଅବସରରେ ଡ.ସାମନ୍ତଙ୍କୁ ଏହି ପୁରସ୍କାର ଭର୍ଚୁଆଲ୍‌ ମୋଡ୍‌ରେ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର, କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟୋଗୀକରଣ ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ, ଗ୍ଲୋବାଲ୍‌ ରିସର୍ଚ୍ଚ ଆଲିଆନ୍ସର ନ୍ୟାସନାଲ୍‌ ରିସର୍ଚ୍ଚ ପ୍ରଫେସର ଅଧ୍ୟକ୍ଷ ଡ.ଆର୍‌. ଏ. ମାସେଲ୍‌କର, ରିସର୍ଚ୍ଚ ଇନୋଭେସନ୍‌ ସର୍କଲ୍‌ ହାଇଦ୍ରାବାଦର ମହାନିର୍ଦ୍ଦେଶକ ଡ.ଅଜିତ ରାଙ୍ଗନେକର ଓ ଏମ୍‌ଆଇଟି ୱାର୍ଲ୍ଡ ପିସ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ. ବିଶ୍ୱନାଥ କରାଦ ପ୍ରମୁଖ ଉପସ୍ଥିତ ଥିଲେ ।

୨୦୧୬ରେ ପ୍ରତିଷ୍ଠିତ ଗଭର୍ଣ୍ଣିଂ କାଉନ୍‌ସିଲ୍‌ ଅଫ୍‌ ନ୍ୟାସନାଲ୍‌ ଟିଚର୍ସ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ଦେଶ ବିଦେଶର ବହୁ ନୀତି ନିର୍ଦ୍ଧାରକ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ବୈଜ୍ଞାନିକ, ଆଧ୍ୟାତ୍ମିକ ଗୁରୁ ଆଦିଙ୍କୁ ସାମିଲ କରିବା ସହ ସମ୍ମାନିତ କରିସାରିଛି । ଦୀର୍ଘ ୩୦ ବର୍ଷ ଧରି ଶିକ୍ଷାର ବିକାଶ ଦିଗରେ ତାଙ୍କ କାର୍ଯ୍ୟର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥିବାରୁ ଡ. ସାମନ୍ତ ଏଥପାଇଁ ଗଭର୍ଣ୍ଣିଂ କାଉନ୍‌ସିଲ୍‌ ଅଫ୍‌ ନ୍ୟାସ୍‌ନାଲ୍‌ ଟିଚର୍ସ କଂଗ୍ରେସକୁ ନିଜର କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.