ବିହାର ସ୍ପୋର୍ଟସ କନ୍‍କ୍ଲେଭ-୨୦୨୨ରେ ଯୋଗଦେଲେ ଡ.ଅଚ୍ୟୁତ ସାମନ୍ତ, କହିଲେ ଓଡ଼ିଶାର କ୍ରୀଡ଼ା ମଡେଲ ସର୍ବୋତ୍କୃଷ୍ଟ

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶାର କ୍ରୀଡ଼ା ମଡେଲ୍‍ ସମଗ୍ର ଦେଶରେ ସର୍ବୋତ୍କୃଷ୍ଟ ବୋଲି କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ଗୁରୁବାର ବିହାର ସରକାରଙ୍କ ପକ୍ଷରୁ ପାଟନାଠାରେ ଦୁଇ ଦିନିଆ ବିହାର ସ୍ପୋର୍ଟସ କନ୍‍କ୍ଲେଭ-୨୦୨୨ ଉଦ୍‍ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାମନ୍ତ ଏହା ପ୍ରକାଶ କରିଛନ୍ତି । ଏହି କନ୍‍କ୍ଲେଭକୁ ବିହାର ସରକାରଙ୍କ କଳା, ସଂସ୍କୃତି ଓ ଯୁବ ବିଭାଗ ମନ୍ତ୍ରୀ ଡ. ଆଲୋକ ରଞ୍ଜନ ଉଦ୍‍ଘାଟନ କରିଥିଲେ ।

ଶ୍ରୀ ସାମନ୍ତ କହିଲେ, କ୍ରୀଡ଼ା କ୍ଷେତ୍ରରେ କୌଣସି ରାଜ୍ୟକୁ ଆଗେଇ ନେବାକୁ ହେଲେ ଏଥିପାଇଁ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ନିଷ୍ଠାର ସହ ନିଜକୁ ସଂଶ୍ଳିଷ୍ଟ କରି କାର୍ଯ୍ୟ କରିବାକୁ ପଡ଼ିବ । ତେବେ ସେହି ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିବ ବୋଲି ନିଜ ବକ୍ତବ୍ୟରେ ଶ୍ରୀ ସାମନ୍ତ କହିଥିଲେ । ଓଡ଼ିଶା କ୍ରୀଡ଼ା ମଡେଲ ସମ୍ପର୍କରେ ସେ କହିଲେ, କ୍ରୀଡ଼ା ପ୍ରତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଗ୍ରହ ଏବଂ ପ୍ରାଧାନ୍ୟ ପାଇଁ ଓଡ଼ିଶା ଆଜି ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି । ଓଡ଼ିଶାରେ ଆଜି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ଓଡ଼ିଶାରୁ ବହୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‍ ସୃଷ୍ଟି ହୋଇପାରିଛନ୍ତି ।

sports conclave2

ସେହିପରି କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଓଡ଼ିଶା ସରକାର ଆଗରେ ରହିଛନ୍ତି । ଓଡ଼ିଶାରେ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ାବିତ୍‍ଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହିତ ରାଶି ସମଗ୍ର ଦେଶରେ ସର୍ବାଧିକ ବୋଲି ବୋଲି ଶ୍ରୀ ସାମନ୍ତ କହିଥିଲେ । ଓଡ଼ିଶା ମଡେଲକୁ ସବୁ ରାଜ୍ୟ ଗ୍ରହଣ କଲେ କ୍ରୀଡ଼ା କ୍ଷେତ୍ରରେ ଭାରତ ଯଥେଷ୍ଟ ଉନ୍ନତି କରିପାରିବ । କିଟ୍‍ ଓ କିସ୍‍ ପ୍ରତିଷ୍ଠା ହେବା ଦିନଠାରୁ ଶିକ୍ଷା ସହିତ କ୍ରୀଡ଼ାକୁ ମଧ୍ୟ ସମାନ ଗୁରୁତ୍ୱ ପ୍ରଦାନ କରିଆସୁଛି । ଆଜି କିଟ୍‍ ଓ କିସ୍‍ର ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି, କ୍ରୀଡ଼ାବିତ୍‍ ଓ କ୍ରୀଡ଼ା ଆୟୋଜନକାରୀଙ୍କୁ ଆକର୍ଷିତ କରିଛି । କିଟ୍‍ ଓ କିସ୍‍ରୁ ୫ ହଜାରରୁ ଊର୍ଦ୍ଧ୍ୱ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର କ୍ରୀଡ଼ାବିତ୍‍ ସୃଷ୍ଟି ହୋଇପାରିଛନ୍ତି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ରଗ୍‍ବୀ ଇଣ୍ଡିଆର ସଭାପତି ରାହୁଳ ବୋଷଙ୍କ ସମେତ ଦେଶର ବହୁ ବିଶିଷ୍ଟ କ୍ରୀଡ଼ାବିତ୍‍ ଓ କୋଚ ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.