Below header

ଖରାଦିନ ହୋଇନି କିନ୍ତୁ ଏବେଠୁ ପାଣି ପାଇଁ ଡହଳ ବିକଳ ହେଲେଣି କୋଠାର ପଞ୍ଚାୟତ ବାସୀ

ଭଦ୍ରକ : ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ନାହିଁ କି ଖରାଦିନ ଆସି ନାହିଁ। କିନ୍ତୁ ଏବେ ଠାରୁ ଆରମ୍ଭ ହେଲାଣି ପାନୀୟ ଜଳ ସଙ୍କଟ। ପଞ୍ଚାୟତର କୌଣସି ନଳ କୂପରୁ ପାଣି ବାହାରୁ ନାହିଁ। ଫଳରେ ଲୋକ ମାନେ ପାନୀୟ ଜଳ ପାଇଁ ନାହିଁ ନ ଥିବା ସମସ୍ୟାର ସମୁଖୀନ ହେଉଛନ୍ତି। ଏଭଳି ଘଟଣା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାର ପଂଚାୟତରେ ଦେଖିବାକୁ ମିଳିଛି। ଏଠାରେ ଦିନକୁ ଦିନ ଭୁତଳ ଜଳସ୍ତର କମି କମି ଯାଉଥିବା ଯୋଗୁ ଜଳ ସଙ୍କଟ ଆରମ୍ଭ ହୋଇଯାଇଛି। ଶହ ଶହ ନଳ କୂପ ଅଚଳ ହୋଇ ଗଲାଣି। ଅନ୍ୟ ପକ୍ଷରେ ଏହି ପଂଚାୟତ ଦୁଇଟି ବଡ଼ ପାନୀୟ ଜଳ ପ୍ରକଳ୍ପ ଆଜିକୁ ୪ ବର୍ଷରୁ ଅଧିକ ହେବ ନିର୍ମାଣ ସରିଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଯାହା ଲୋକଙ୍କ ସମସ୍ୟାକୁ ଦିଗୁଣିତ କରିଦେଇଛି।

ଏହି ପଞ୍ଚାୟତର କୌଣସି ଲୋକଙ୍କ ଘରୋଇ ନଳ କୂପ ରୁ ଆଜିକୁ ଏକ ମାସ ହେଲା ପାଣି ବାହାରୁ ନାହିଁ। ଫଳରେ ପାନୀୟ ଜଳ ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ପଞ୍ଚାୟତବାସି। ଭୁତଳ ଜଳ ସ୍ତର କମି କମି ଗଲାଣି। ତେଣୁ ୩ ଶହ ଫୁଟରୁ ଅଧିକ ଗଭୀରରେ ଖୋଳାଯାଇଥିବା ସରକାରୀ ନଳକୂପରୁ ହିଁ ସାମାନ୍ୟ ପାଣି ବାହାରୁଛି। ତାହା ପୁଣି ସବୁ ସମୟରେ ନୁହେଁ। ଏହି ପଂଚାୟତରେ ୬ ଶହ ଅଧିକ ପରିବାର ରହିଛନ୍ତି। କିନ୍ତୁ ସରକାରୀ ଗଭୀର ନଳକୂପ ମାତ୍ର ୮ ଟି ରହିଛି। ତେଣୁ ଗ୍ରାମର ମହିଳାମାନେ ସେହି ନଳକୂପରୁ ପାନୀୟ ଜଳ ଆଣିବା ପାଇଁ ଯାଇ ରୁଣ୍ଡ ହେଉଛନ୍ତି କିନ୍ତୁ ଦୁଃଖର କଥା ସେହି ନଳକୂପରୁ ୪/୫ ବାଲତି ପାଣି ବାହାରିବା ପରେ ଆଉ ପାଣି ବାହାରୁ ନାହିଁ। ପୁଣି ଅଧ ଘଂଟାଏ ଅପେକ୍ଷା କରିବାକୁ ପଡୁଛି। ତେଣୁ ମହିଳା ମାନେ ବହୁ ଅସୁବିଧାରେ ସମୁଖୀନ ହେଉଛନ୍ତି। କିଏ ରାତିରୁ ସେହି ନଳକୂପକୁ ପାଣି ଆଣିବା ପାଇଁ ଦୌଡୁଛି ତ କିଏ ପୁଣି ପାଣି ଟିକିଏ ପାଇଁ ନଳ କୂପ ପାଖରେ ଯାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛି। ତେଣୁ ପାଣି ପାଇଁ ଏବେ ଠାରୁ ଲୋକ ମାନେ ଡହଳ ବିକଳ ହେଲେଣି। ଆଗକୁ ଖରା ଦିନ ଆସୁଛି ସ୍ଥିତି ଆହୁରି ଖରାପ ହେବ। ତେଣୁ ଏହାକୁ ନେଇ ଚିନ୍ତାରେ ପଂଚାୟତର ସବୁ ଲୋକ।

ତେବେ ଏ ସମ୍ପର୍କ ରେ ପଂଚାୟତର ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ଘଟଣା ସତ। ଭୂତଳ ଜଳସ୍ତର କମୁଛି। ପଞ୍ଚାୟତରେ ନିର୍ମାଣ କରାଯାଇଥିବା ଦୁଇ ଗୋଟି ପାନୀୟ ଜଳ ପ୍ରକଳ୍ପ ଏହି ଗୋଟିଏ ସପ୍ତାହ ଭିତରେ କାର୍ଯ୍ୟକ୍ଷମ ହେବ ଓ ପାନୀୟ ଜଳ ସମସ୍ୟା ଦୂର ହୋଇ ପାରିବ ବୋଲି କହିଛନ୍ତି ସରପଞ୍ଚ। ତେବେ ଏବେ କେବଳ ଦେଖିବାକୁ ବାକି ରହିଲା, କେବେ ଏମାନଙ୍କର ଦାବି ପୂରଣ ହେଉଛି। କାହିଁକିନା ଏବେଠୁ ଯଦି ଲୋକେ ପାଣି ପାଇଁ ଡହଳ ବିକଳ ହେଲେଣି ଆଗକୁ ଖରାଦିନେ ସ୍ଥିତି କେତେ ଯେ ଖରାପ ହେବ ତାହା ଅନୁମାନ କରାଯାଇପାରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.