ଭରସା କରିବ କାହାକୁ ? ବ୍ୟାଙ୍କ ସାମନାରୁ ଟଙ୍କା ଭର୍ତ୍ତି ଗାଡ଼ି ଧରି ଚମ୍ପଟ ମାରିଲା ଡ୍ରାଇଭର

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଛୁ । ଏଟିଏମକୁ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଭ୍ୟାନ ଗାଡ଼ି ନେଇ ଡ୍ରାଇଭର ଛୁ ମାରିଛି । ଗାଡିରେ ସିକ୍ୟୁରିଟି ଗାର୍ଡ ଓ ଦୁଇ ବ୍ୟାଙ୍କ କର୍ମଚାରୀଙ୍କୁ ନନେଇ ଡ୍ରାଇଭର ଚମ୍ପଟ ମାରିଛି । ଖଡିଆଳ ପୋଲିସ ଦ୍ଵାରା ଭରୁଆକାନି ଜଙ୍ଗଲ ନିକଟରେ ଭ୍ୟାନ ଜବତ ହୋଇଛି । ହେଲେ ଭ୍ୟାନରେ ୫୭ ଲକ୍ଷ ଟଙ୍କା ନଥିବା ପୋଲିସ ସୂଚନା ଦେଇଛି । ପୋଲିସର ତନାଘନା ଜାରି ରହିଛି ।

ସୂଚନା ଅନୁଯାୟୀ ସିନାପାଲି ଓ ବୋଡେନ୍‌ ଅଞ୍ଚଳରେ ଥିବା ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ଖଡ଼ିଆଳ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଶାଖାରୁ ଟଙ୍କା ଯିବାର ଥିଲା। ସେଥିପାଇଁ ଏଟିଏମ୍‌ରେ ଟଙ୍କା ନେଉଥିବା ସିଏମ୍‌ଏସ୍‌ କମ୍ପାନୀ ଗାଡ଼ି ନିର୍ଦ୍ଧାରିତ ସମୟରେ ବ୍ୟାଙ୍କ ଆଗରେ ଲାଗିଥିଲା। ଗାଡ଼ିରେ ପ୍ରାୟ ୫୭ ଲକ୍ଷ ଟଙ୍କା ରଖାଯାଇଥିଲା। ପରେ ଦୁଇ ଏଟିଏମ୍‌ କର୍ମଚାରୀ କୌଣସି କାମରେ ବ୍ୟାଙ୍କ ଭିତରକୁ ଯାଇଥିବା ବେଳେ ସିକ୍ୟୁରି ଗାର୍ଡ ପରିଶ୍ରା କରିବା ପାଇଁ ଯାଇଥିଲେ।

ଏହାର ସୁଯୋଗ ନେଇ ଡ୍ରାଇଭର ଟଙ୍କା ଭର୍ତ୍ତି ଗାଡ଼ି ଧରି ଚମ୍ପଟ ମାରିଥିଲା। ଗାଡିଟି କଣ୍ଟାବାଞ୍ଜି ଅଞ୍ଚଳକୁ ଯାଇଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଜଣାପଡ଼ିଲା, ଟଙ୍କା ଭର୍ତ୍ତି ଗାଡ଼ିଟି ନୂଆପଡ଼ା-ବଲାଙ୍ଗିର ସୀମା ଭରୁଆକାନି ଜଙ୍ଗଲ ନିକଟରେ ଅଟକିଛି। ଏହା ପରେ ପୁଲିସ ଉକ୍ତ ଗାଡିଟିକୁ ଜବତ କରିଥିଲା। ମାତ୍ର ସେଥିରେ ଟଙ୍କା ନଥିବା ଦେଖିବାକୁ ମିଳିଥିଲା। ଡ୍ରାଇଭର ସବୁ ଟଙ୍କା ଧରି ଚମ୍ପଟ ମାରିଥିବା ଆଲୋଚନା ହେଉଛି। ଖଡ଼ିଆଳ ଓ ତୁରେଇକେଲା ଥାନା ପୁଲିସ ମାମଲାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.