ସରକାର ଘୋଷଣା କଲେ ମରୁଡି ପ୍ୟାକେଜ୍‌, ପ୍ରଭାବିତ ଅଂଚଳରେ ସ୍କୁଲ କଲେଜ ଫି ଛାଡ

ରାଜ୍ୟରେ ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ୩୩ ପ୍ରତିଶତ ବା ଅଧିକ ଫସଲ ନଷ୍ଟ ହୋଇଥିଲେ ଏହି ପ୍ୟାକେଜ୍‌ ମିଳିବ । ମରୁଡ଼ି ପ୍ରଭାବିତ ଅଞ୍ଚଳର ସରକାରୀ ଓ ସରକାର ଅନୁଦାନପ୍ରାପ୍ତ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଓ ପରୀକ୍ଷା ଫି’ ଛାଡ଼ ହେବ । ବୃଷ୍ଟିପୃଷ୍ଟ କିମ୍ବା ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କୁ ସହାୟତା ମିଳିବ । କ୍ଷଦ୍ର ଓ ନାମମାତ୍ର ଚାଷୀ ହେକ୍ଟର ପ୍ରତି ୬ ହଜାର ୮୦୦ ଟଙ୍କା ଓ ନିଶ୍ଚିତ ଜଳସେଚିତ ଅଞ୍ଚଳ ଚାଷୀଙ୍କୁ ୧୩ ହଜାର ୫୦୦ ଟଙ୍କା, ବର୍ଷବ୍ୟାପୀ ଫସଲ ପାଇଁ ୧୮ ହଜାର ଟଙ୍କା ଦିଆଯିବ । ପ୍ରତି ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ଜମି ପର୍ଯ୍ୟନ୍ତ ଫସଲ ନଷ୍ଟ ଲାଗି ସହାୟତା ମିଳିବ । ବର୍ଷ ବ୍ୟାପୀ ଫସଲ ନିମନ୍ତେ ସର୍ବନିମ୍ନ ୨୦୦୦ ଟଙ୍କା, ଅନ୍ୟାନ୍ୟ ଫସଲ ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ଦିଆଯିବ । ସେହିପରି ପ୍ରଭାବିତ ଚାଷୀଙ୍କୁ ମାଗଣାରେ ମିନିକିଟ୍‌ ଯୋଗାଇ ଦିଆଯିବ ।

୨୦୧୮-୧୯ରେ ରବି ଫସଲ ପାଇଁ ଚାଷୀଙ୍କୁ ଏକ ଲକ୍ଷ ଡାଲି ମିନିକିଟ୍‌, ୩୦ ହଜାର ତୈଳବୀଜ ଓ ୨୦ ହଜାର ପନିପରିବା ବିହନ ମିନିକିଟ୍‌ ପ୍ରଭାବିତ ଚାଷୀଙ୍କୁ ମାଗଣାରେ ଦିଆଯିବ । ସେପଟେ ଶତକଡା ୫୦ ଭାଗ ଓ ସର୍ବାଧିକ ୧୫ ହଜାର ଟଙ୍କା ରିହାତିରେ ୩ ହଜାର ପାଣିପମ୍ପ୍‌ ଏବଂ ୯୦ ପ୍ରତିଶତ ଓ ସର୍ବାଧିକ ୫୪ ହଜାର ଟଙ୍କା ରିହାତିରେ ସୌର ଜଳନିଧି ଯୋଜନାରେ ଏକ ହଜାର ସୌରଚାଳିତ ପାଣି ପମ୍ପ ମିଳିବ । ୩ ହଜାର ୮୦୦ ଟଙ୍କା ରିହାତିରେ ବ୍ୟାଟେରୀ ଚାଳିତ ସିଞ୍ଚନ ଯନ୍ତ୍ର ଓ ୬୦୦ ଟଙ୍କା ରିହାତିରେ ହସ୍ତ ଚାଳିତ ସିଞ୍ଚନ ଯନ୍ତ୍ର ଦିଆଯିବ । ସେପଟେ ଖରିଫ ପାଇଁ ଦିଆଯାଇଥିବା ସ୍ୱଳ୍ପ ଅବଧି ଋଣକୁ ମଧ୍ୟମ ଅବଧି ଋଣରେ ପରିବର୍ତ୍ତନ କରାଯାଇଛି । MNREGA ଅଧୀନରେ ଅତିରିକ୍ତ ୫୦ ଶ୍ରମଦିବସ ସୃଷ୍ଟି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.