Below header

ଆଜିର ଦିନରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀକୁ ମିଳିଥିଲା ଫାଶୀ, ଏଯାଏ ବି ପୂରା ହୋଇପାରିନି ନାଥୁରାମଙ୍କ ଅନ୍ତିମ ଇଚ୍ଛା

ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିବା ମହାନାୟକ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେକୁ ଆଜିର ଦିନରେ ହିଁ ଦିଆଯାଇଥିଲା ଫାଶୀ । ୧୫ ନଭେମ୍ବର ୧୯୪୯ରେ ଅମ୍ବାଲାର ଜେଲରେ ନାଥୁରାମଙ୍କୁ ଫାଶୀ ଦିଆଯାଇଥିଲା । ତେବେ ମହାତ୍ମା ଗାନ୍ଧୀଙ୍କୁ ତ ପୁରା ବିଶ୍ବ ଜାଣିଛି ହେଲେ ଖୁବ୍ କମ୍ ଲୋକ ଜାଣନ୍ତି ନାଥୁରାମଙ୍କୁ । ଗଡସେ ଙ୍କ ଜନ୍ମ ୧୯ ମେ ୧୯୧୦ରେ ପୁଣେର ବାରାମତୀରେ ହୋଇଥିଲା । ବ୍ରାହ୍ମଣ ପରିବାରେ ଜନ୍ମ ହୋଇଥିବା ନାଥୁରାମ୍ ମାଟ୍ରିକ୍ ମଧ୍ୟ ପାସ୍ କରିପାରିନଥିଲେ । ନାଥୁରାମଙ୍କ ନେଇ ଭିନ୍ନ ଭିନ୍ନ ବିଚାର ଅଛି ଦେଶବାସୀଙ୍କ ମନରେ । ହେଲେ ଖୁବ୍ କମ୍ ଲୋକ ଜାଣନ୍ତି ନାଥୁରାମଙ୍କ ପିଲାବେଳ ଝିଅଙ୍କ ପରି କଟିଥିଲା ।

ଆଜ୍ଞା ହଁ ଆପଣଙ୍କୁ ଅବିଶ୍ବାସ ଲାଗୁଥିବା ଏହି କଥାଟି ସମ୍ପୂର୍ଣ୍ଣ ସତ । ନାଥୁରାମଙ୍କ ଅସଲ ନାଁ ଥିଲା ନଥୁରାମ । ପରିବାର ଲୋକ ତାଙ୍କୁ ଏହି ନାମରେ ହିଁ ଡାକୁଥିଲେ । ନଥୁରାମରୁ କେମିତି ହେଲେ ନାଥୁରାମ ଏହା ପଛରେ ମଧ୍ୟ ଗୋଟିଏ କାରଣ ଅଛି । ନାଥୁରାମଙ୍କ ପୁର୍ବରୁ ଯେତେ ପୁଅ ତାଙ୍କ ଘରେ ଜନ୍ମ ହେଉଥିଲେ ସମସ୍ତଙ୍କର ଅକାଳ ମୃତ୍ୟୁ ହୋଇଥିଲା । ତେଣୁ ନାଥୁରାମ ଜନ୍ମ ହେବା ପରେ ତାଙ୍କୁ ଝିଅଙ୍କ ପରି ଘରେ ପାଳୁଥିଲେ । ଏପରିକି ଝିଅଙ୍କ ପରି ନାକରେ ନୋଥ ମଧ୍ୟ ଲଗାଯାଇଥିଲେ । ଯାହା ପରେ ସମସ୍ତେ ନଥୁରାମରୁ ନାଥୁରାମ ଡାକିବା ଆରମ୍ଭ କରିଥିଲେ । ଅନ୍ୟପଟେ ସେମିତି ସ୍କୁଲରେ ମଧ୍ୟ ଇଂରାଜୀ ସ୍ପେଲିଙ୍ଗ୍ ଯୋଗୁଁ ନଥୁରାମରୁ ନାଥୁରାମ ହୋଇଗଲା ସାର୍ଟିଫିକେଟରେ ।

ଏବେ ନାଥୁରାମଙ୍କୁ ନେଇ ଜାଣନ୍ତୁ ୧୫ ଟି ଅଜଣା କଥା :

– ନାଥୁରାମ୍ ନିଜର ଏକ ସମାଚାର ପତ୍ର ବାହାର କରିଥିଲେ ଯାହାର ନାଁ ଥିଲା ହିନ୍ଦୁ ରାଷ୍ଟ୍ର ।

– ନାଥୁରାମ୍ କଠୋର ହିନ୍ଦୁ ରାଷ୍ଟ୍ରବାଦୀ ଥିଲେ ।

– ଡୋମିନିକ୍ ଲୋପିୟର, ଲେରୀ କୋଲିନ୍ସ, ପେରୀ ମେସନଙ୍କ ଗୁଇନ୍ଦା ଗପ ଏବଂ ବାହାଦୁରୀର କାରନାମା ଉପରେ ଆଧାରିତ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ ନାଥୁରାମ ।

– ନାଥୁରାମଙ୍କ ପ୍ରଥମ ଆଦର୍ଶ ଥିଲେ ମହାତ୍ମା ଗାନ୍ଧୀ । ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ ଯୋଗୁଁ ପ୍ରଥମ ଥର ଜେଲ୍ ଯାଇଥିଲେ ନାଥୁରାମ୍ ।

– ଦେଶ ବିଭାଜନ କଥା ଉଠିବା ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ନାଥୁରାମଙ୍କ ମନରେ କଟୁତା ବଢି ଚାଲିଲା । ଯାହା ଫଳରେ ସେ ବୀର ସାବରକରଙ୍କ ସହ ଜଡିତ ହୋଇଗଲେ ।

– ଯେତେବେଳେ ଦେଶ ବିଭାଜନ ପାଇଁ ପ୍ରସ୍ତୁତି ହେଲା ଯେତେବେଳେ ନାଥୁରାମ୍ ଏବଂ ତାର କିଛି ସହଯୋଗୀ ବିରୋଧ କରିବାକୁ ଆରମ୍ଭ କଲେ । ୩ ଜୁଲାଇ ୧୯୪୭କୁ ଗଡସେ ଏବଂ ତାର କିଛି ସାଥୀ ତଥା ହିନ୍ଦୁବାଦୀ ନେତା ଶୋକ ଦିବସ ଭାବେ ପାଳନ କଲେ ।

– ନାଥୁରାମଙ୍କ କହିବା ଅନୁଯାୟୀ ଦେଶ ବିଭାଜନ ସମୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଯେଉଁ ଲକ୍ଷାଧିକ ହିନ୍ଦୁ ମରିଥିଲେ ସେଥିପାଇଁ ମହାତ୍ମା ଗାନ୍ଧୀ ଦାୟୀ ।

– ତେଣୁ ନାଥୁରାମ୍ ଦିଲ୍ଲୀସ୍ଥିତ ବିରଲା ଭବନରେ ବାପୁଙ୍କ ହତ୍ୟା କରିଥିଲା । ୩୦ ଜାନୁଆରୀ ୧୯୪୮ ସଂଧ୍ୟାରେ ବାପୁଙ୍କ ପାଦ ଛୁଇଁବା ବାହାନାରେ ତଳକୁ ନଇଁଲା ନାଥୁରାମ୍ ଏବଂ ପରେ ଗୁଳି ମାରି କରିଥିଲା ହତ୍ୟା ।

– ମହାତ୍ମା ଗାନ୍ଧୀଙ୍କ ହତ୍ୟା ଅଭିଯୋଗରେ ନାଥୁରାମଙ୍କୁ ଗିରଫ କରି ମାମଲା ଚାଲିଲା । ଏହା ପରେ ୧୫ ନଭେମ୍ବର ୧୯୪୯ରେ ଦିଆଯାଇଥିଲା ଫାଶୀ ।

– ମହାତ୍ମା ଗାନ୍ଧୀଙ୍କ ହତ୍ୟାରେ କେବଳ ନାଥୁରାମଙ୍କ ହାତ ନଥିଲା । ସହଯୋଗୀ ନାରାୟଣ ଆପ୍ତେଙ୍କୁ ମଧ୍ୟ ଫାଶୀ ଦଣ୍ଡାଦେଶ ହୋଇଥିଲା । ଅନ୍ୟ ଅଭିଯୁକ୍ତ ବିଷ୍ଣୁ କରକରେ, ମଦନଲାଲ୍ ପାହୱ, ଶଙ୍କର କିସ୍ତେୟା, ଗୋପାଳ ଗଡସେ ଏବଂ ଦତ୍ତାରିହ ପରଚୁରେଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା ।

– ପରେ ହାଇକୋର୍ଟ କିସ୍ତେୟା ଏବଂ ପରଚୁରେଙ୍କୁ ଦୋଷମୁକ୍ତ କରି ଖଲାସ କରିଥିଲେ ।

– ନାଥୁରାମର ଅନ୍ତିମ ଇଛା ଥିଲା ତାର ଅସ୍ଥିର କିଛି ଅଂଶ ସମ୍ଭାଳିକି ରଖାଯାଉ । ଯେତେବେଳେ ସିନ୍ଧୁ ନଦୀ ସ୍ବତନ୍ତ୍ର ଭାରତରେ ପୁଣି ଥରେ ସମାହିତ ହୋଇଯିବ ଏବଂ ପୁଣି ଥରେ ଅଖଣ୍ଡ ଭାରତର ନିର୍ମାଣ ହୋଇଯିବ ସେତେବେଳେ ତାର ଅସ୍ଥି ସେଥିରେ ବିସର୍ଜନ କରାଯିବ । ସେଥିପାଇଁ ଯେତେ ବର୍ଷ ଯେତେ ପିଢି ସମୟ ଲାଗୁ ନା କାହିଁକି ।

– ତେବେ ନାଥୁରାମଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇନଥିଲା । ନିକଟରେ ଥିବା ଘଘର ନଦୀ ନିକଟରେ ଅତ୍ୟନ୍ତ ଗୁପ୍ତ ଭାବରେ ଅନ୍ତିମ ସଂସ୍କାର କରିଦିଆଯାଇଥିଲା ।

– ତେବେ ନାଥୁରାମଙ୍କ ହିନ୍ଦୁ ମହାସଭାର ଜଣେ ସଦସ୍ୟ ପଛେ ପଛେ ଯାଇ ଅନ୍ତିମ ସଂସ୍କାର ପରେ କିଛି ଅସ୍ଥି ଏକ ଡବାରେ ନେଇ ଆସିଥିଲେ ।

– ଆଜି ବି ନାଥୁରାମଙ୍କ ଅନ୍ତିମ ଇଛାକୁ ସମ୍ମାନ ଦେଇ ଅସ୍ଥିକୁ ଚାନ୍ଦିର ଏକ କଳଶରେ ସୁରକ୍ଷିତ ରଖିଛନ୍ତି ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.