ବିଦ୍ୟୁତ୍ ଆଘାତରେ ଚାଲିଗଲା ଜେଜେମା ଓ ନାତୁଣୀର ଜୀବନ

ଉମରକୋଟ(କେନ୍ଯୁଜ୍): ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଦେଓଭରଣ୍ଡି (ନୂଆପରା )ଗ୍ରାମରେ ଅଘଟଣ। ବିଦ୍ୟୁତ ଆଘାତରେ ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଘରେ ଲାଗିଥିବା ଲୁହା କବାଟ ଖୋଲିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁହିଁଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ ଦୁର୍ଘଟଣା ଘଟିଥିବା ଘରେ କେବଳ ଜେଜେମା ପାଚୋ ଗଣ୍ଡ ଏବଂ ନାତୁଣୀ ତିଲିକା ଗଣ୍ଡ ଶୋଇଥିଲେ । ସବୁଦିନ ଭଳି ରାତିରେ ରୋଷେଇ ସାରି ପରିବାର ସମସ୍ତ ସଦସ୍ୟ ମିଶି ଏକାଠି ବସି ଖାଇଥିଲେ । ଏହାପରେ ଜେଜେମା ଏବଂ ନାତୁଣୀ ଗ୍ରାମ ମଧ୍ୟରେ ଥିବା ଘରେ ସୋଇଥିବା ବେଳେ ପୁଅ ବୋହୁ ଜଣେ ନାତୁଣୀ ଓ ଦୁଇ ନାତି ମିଶି ଚାଷ କରୁଥିବା ଜମିରେ ଥିବା ଘରକୁ ଶୋଇବାକୁ ଯାଇଥିଲେ। ସକାଳେ ବଡ ପୁଅ ସାମନାଥ ଗଣ୍ଡ ଘର କବାଟ ଖୋଲା ନ ହେବା ଦେଖି, ନିଜେ ଖୋଲିବାକୁ କବାଟରେ ହାତ ମାରିଲା ବେଳକୁ ବିଦ୍ୟୁତ ଆଘାତ ଲାଗିଥିଲା , କିନ୍ତୁ ତାଙ୍କର ବିଶେଷ କିଛି ହୋଇନଥିଲା ।

କବାଟରେ ବିଦ୍ୟୁତ ସଂଯୋଗ ହୋଇଥିବା ଜାଣିପାରି ବିଦ୍ୟୁତ୍ କର୍ମଚାରୀଙ୍କୁ ଡାକି ଘରକୁ ଯାଇଥିବା ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରିଥିଲେ। ଏହାପରେ କବାଟ ଖୋଲି ଘର ଭିତରକୁ ପଶି ଦେଖିଲା ବେଳକୁ , ଦେଖିବାକୁ ମିଳିଥିଲା ପାଚୋ ଓ ତିଲିକା ଦୁହେଁ ତଳେ ପଡି ରହିଛନ୍ତି ଏବଂ ସେମାନଙ୍କର ମୃତ୍ୟୁ ହୋଇସାରିଛି । ଏହା ପରେ ରାଇଘର ଥାନାକୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଶରୀର ଜବତ କରି ସ୍ଥାନୀୟ ତହସିଲଦାର ଏବଂ ବିଦ୍ୟୁତ ବିଭାଗ ଙ୍କୁ ଖବର କରିଥିଲା । ତହସିଲଦାର ଏବଂ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରିବା ପରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।

ବିଦ୍ୟୁତ ଆଘାତ ରେ ମୃତ୍ୟୁ ହୋଇଥିବାରୁ ରେଡ କ୍ରସ ତରଫରୁ ୨୦ହଜାର ଟଙ୍କା ଅତିରିକ୍ତ ତହସିଲଦାର ଜଗୁ ପୂଜାରୀ ପ୍ରଦାନ କରିଥିଲେ। ଏହି ବିଷୟରେ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ କହିଥିଲେ ଯେହେତୁ ଘଟଣାଟି ଘର ଭିତରେ ହୋଇଛି ତେଣୁ ଏଥିପାଇଁ ବିଭାଗ କୌଣସି ପ୍ରକାର ଦାୟୀ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.