ନନ୍ଦନକାନନରେ ହାତୀମୃତ୍ୟୁ ଘଟଣା, ତଦନ୍ତ ପାଇଁ ଆଜି ଆସିବେ ସେଣ୍ଟ୍ରାଲ ଜୁ ଅଥରିଟି ଅଧିକାରୀ

ଭୁବନେଶ୍ବର(କେନ୍ୟୁଜ୍): ନନ୍ଦନକାନନରେ ହାତୀମୃତ୍ୟୁ ଘଟଣାର ତଦନ୍ତ ପାଇଁ ଆଜି ଆସିବେ ସେଣ୍ଟ୍ରାଲ ଜୁ ଅଥରିଟି ଅଧିକାରୀ । ଦିନ ୩ଟାରେ ନନ୍ଦନକାନନରେ ପହଞ୍ଚି ତଦାରଖ କରିବେ । ୪ ହାତୀ ମୃତ୍ୟୁର ପ୍ରକୃତ କାରଣ କଣ ? ହର୍ପିସ ଭୂତାଣୁ ସଂକ୍ରମଣ ନା ଅନ୍ୟ କିଛି କାରଣରୁ ମୃତ୍ୟୁ ଘଟିଛି ? ଏ ବାବଦରେ ଅନୁଧ୍ୟାନ କରିବେ । ହାତୀ ମୃତ୍ୟୁ ରୋକିବା ପାଇଁ କି କି ପଦକ୍ଷେପ ନିଆଯିବା ଦରକାର ସେ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ । ମାସକ ଭିତରେ ୪ ହାତୀଙ୍କ ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜିଯାଇଛି । ଜୁଲି, ଚନ୍ଦନ, କମଳା ପରେ ଗୌରୀର ମୃତ୍ୟୁ ଘଟିଛି । ନନ୍ଦନକାନନରେ ଏବେ ଅଛନ୍ତି ଆଉ ୪ ହାତୀ । ଘାତକ ଭୂତାଣୁ ହର୍ପିସ ସଂକ୍ରମଣରୁ ସେମାନଙ୍କୁ କିପରି ଦୂରେଇ ରଖାଯିବ ତାକୁ ନେଇ ବିଭିନ୍ନ ବୈଠକରେ ଆଲୋଚନା ହୋଇଛି । ୪ଟି ହାତୀକୁ ଏବେ ଅଲଗା ଅଲଗା ରଖାଯାଇଛି । ହାତୀଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ୧୯ ବର୍ଷ ତଳେ ୨୦୦୦ ମସିହାରେ ନନ୍ଦନକାନନରେ ୧୨ଟି ବାଘଙ୍କ ମୃତ୍ୟୁ ଘଟିଥିଲା । ଏବେ ପ୍ରାଣୀ ଉଦ୍ୟାନରେ ଥିବା ମୋଟ ୮ଟି ହାତୀରୁ ୪ ହାତୀଙ୍କ ମୃତ୍ୟୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

Leave A Reply

Your email address will not be published.