ପୁରୀରେ ଦନ୍ତା ହାତୀର ଉତ୍ପାତ, ଖୁବଶୀଘ୍ର କରାଯିବ ଟ୍ରାଙ୍କୁଲାଇଜ୍

ପୁରୀ (କେନ୍ୟୁଜ): ପୁରୀ ବାଲିଗୁଆଳିରେ ହାତୀ ଆତଙ୍କ । ସୋମବାର ରାତିରେ ପୁରୀ ସହର ଆଡକୁ ଏକ ଦନ୍ତା ହାତୀ ମାଡ଼ି ଆସିଥିଲା । ପୁରୀ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବନବିଭାଗର ସ୍ୱତନ୍ତ୍ର ଟିମ୍ ଦ୍ବାରା ଟ୍ରାଙ୍କୁଲାଇଜ୍ କରାଯିବାକୁ ଉଦ୍ୟମ ଜାରି ରହିଛି।ଏନେଇ ରେଞ୍ଜର ବେଣୁଧର ବେହେରା ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ ସୋମବାର ରାତି ୯ଟା ସୁଦ୍ଧା ଏହି ଦନ୍ତା ହାତୀ ତଳଜଙ୍ଘ ଅଞ୍ଚଳରେ ଥିବା ବେଳେ ରାତି ପ୍ରାୟ ୧୧ଟା ବେଳକୁ ପୁରୀ ସଦର ଅଞ୍ଚଳ ଅର୍ଥାତ ସହରକୁ ଲାଗିଥିବା ଖଣ୍ଡିଆବନ୍ଦ ଅଞ୍ଚଳରେ ଏହି ଦନ୍ତା ହାତୀ ପଶିଥିଲା । ଏହାକୁ କାବୁ କରିବା ପାଇଁ ପୁରୀ ଜିଲ୍ଲା ବନ ବିଭାଗ, ସଦର ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା, କୁମ୍ଭରପଡ଼ା ଥାନା ଅଧିକାରୀ ଦିଲୀପ କୁମାର ସ୍ୱାଇଁ ଓ ଅନ୍ୟ ବନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମାତ୍ର ଦନ୍ତା ହାତୀଟିକୁ କାବୁ କରି ନଥିଲା ବନ ବିଭାଗ । ହାତୀ ଉପରେ ଜଙ୍ଗଲ ବିଭାଗ ପକ୍ଷରୁ ତୀକ୍ଷ୍ମ ନଜର ରଖାଯାଇଛି। ସୋମବାର ସକାଳେ ପୁରୀ ସଦର ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତର କୃଷ୍ଣାଜନପୁର ଗାଁର ହୋତା ସାହି ଅଞ୍ଚଳରେ ପଶିଥିଲା ଦନ୍ତା। ସକାଳୁ ସକାଳୁ ହାତୀକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ତେବେ ହାତୀଟି କୃଷ୍ଣାଜନପୁର ଗାଁ ନିକଟରେ ଏକ ଜଙ୍ଗଲରେ ରହିଥିଲା ।