Below header

ଦୟନୀୟ ଅବସ୍ଥାରେ ପୂର୍ବତନ କାଉନସିଲର, ପଲିଥିନ ଛପର ଘରେ ବିତୁଛି ଜୀବନ

ପୂର୍ବତନ କାଉନସିଲର ଏବେ ଦୟନୀୟ ସ୍ଥିତିରେ । ଯିଏ ଦିନେ ଜନ ପ୍ରତିନିଧୀ ହିସାବରେ ୱାର୍ଡ ସାରା ବୁଲି ବୁଲି ଲୋକଙ୍କ ପାଖରେ ପହଞ୍ଚି ସମସ୍ୟାର ସମାଧାନ କରିବା ସହ ବିକାଶମୂଳକ କାର୍ଯ୍ୟ କରୁଥିଲେ, ଆଜି ସେ ରୋଗ ଶଯ୍ୟାରେ ପଡି ଛଟପଟ ହେଉଛନ୍ତି ।

ଜଳେଶ୍ୱର (କେନ୍ୟୁଜ୍‌) : ପୂର୍ବତନ କାଉନସିଲର ଏବେ ଦୟନୀୟ ସ୍ଥିତିରେ । ଯିଏ ଦିନେ ଜନ ପ୍ରତିନିଧୀ ହିସାବରେ ୱାର୍ଡ ସାରା ବୁଲି ବୁଲି ଲୋକଙ୍କ ପାଖରେ ପହଞ୍ଚି ସମସ୍ୟାର ସମାଧାନ କରିବା ସହ ବିକାଶମୂଳକ କାର୍ଯ୍ୟ କରୁଥିଲେ, ଆଜି ସେ ରୋଗ ଶଯ୍ୟାରେ ପଡି ଛଟପଟ ହେଉଛନ୍ତି । ସକାଳୁ ସକାଳୁ ଯାହାଙ୍କ ପାଖରେ ଲୋକଙ୍କ ଧାଡ଼ି ଲାଗୁଥିଲା, ଏବେ ତାଙ୍କୁ ଆହା ପଦେ କହିବା ପାଇଁ ମଧ୍ୟ କାହା ପାଖରେ ସମୟ ନାହିଁ । ଶାସନ ବ୍ୟବସ୍ଥାରେ ଲୋକଙ୍କ ପ୍ରତିନିଧିତ୍ଵ କରୁଥିବା ମଣିଷ ପ୍ରତି ପ୍ରଶାସନିକ ଏହି ଅବହେଳା ବିଡ଼ମ୍ବନାର ବିଷୟ। ରୋଗଶଯ୍ୟାରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହି ଔଷଧ ଟିକେ ପାଇବାକୁ ସଙ୍ଘର୍ଷ କରୁଥିବା ଏହି ପୂର୍ବତନ କାଉନସିଲରଙ୍କ ଅବସ୍ଥା ଯିଏ ଆଖିରେ ଦେଖିନି ସେ ବିଶ୍ୱାସ କରିବ ନାହିଁ ।

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ମ୍ୟୁନିସିପାଲିଟି ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ନନ୍ଦୀକା ଗ୍ରାମର ବାସିନ୍ଦା ହେଉଛନ୍ତି ସାମରାୟ ହେମ୍ବ୍ରମ । ସାମରାୟ ଗତ ୨୦୦୮ ମସିହାରେ ଅନୁଷ୍ଠିତ ଜଳେଶ୍ଵର ଏନଏସି ନିର୍ବାଚନରେ ଟିକଟ ପାଇ ନିର୍ବାଚନ ଲଢି ଥିଲେ । ଟିକଟ ପାଇବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା ତାଙ୍କ ପାଖକୁ । ଉକ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ଠାରୁ ସାଧାରଣ ଲୋକଙ୍କ ଯାଏଁ ସମସ୍ତେ ତାଙ୍କ ଘରେ ପହଞ୍ଚି କୁଣ୍ଢେଇ ପକାଉଥିଲେ । ତାଙ୍କୁ ବାଇକରେ ବସାଇ ୱାର୍ଡର ଏ ସାହି ରୁ ସେ ସାହିକୁ ନେଇ ଶୋଭାଯାତ୍ରା କରୁଥିଲେ ।

ସାମରାୟ ସେହି ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଆଉ ୨୦୦୮ ରୁ ୨୦୧୩ ଯାଏଁ ଜଳେଶ୍ଵର ଏନଏସିରେ କାଉନସିଲର ଭାବେ ସଫଳତାର ସହ ତାଙ୍କ ଦାୟୀତ୍ୱ ତୁଲାଇଥିଲେ । ତାଙ୍କର ସେହି କାର୍ଯ୍ୟକାଳ ଭିତରେ ୱାର୍ଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରକଳ୍ପ ଚୟନ ପ୍ରକିୟା ହେଉ ଅଥବା ହିତାଧିକାରୀ ଚୟନ ସବୁଥିରେ ସେ ହିଁ ନିଷ୍ପତ୍ତି ନେଉଥିଲେ । ତାଙ୍କ ନିଷ୍ପତ୍ତି ଓ ଦସ୍ତଖତରେ ୱାର୍ଡର ଅନେକ ରାସ୍ତା ନିର୍ମାଣ ହୋଇଛି, ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଅନେକ ଲୋକଙ୍କୁ ଘର,ଭତ୍ତା ଓ ରେସନ ସାମଗ୍ରୀ ମିଳିଛି । ସେହି ସମୟରେ ଏନଏସି ଅଫିସରେ ହେଉ ଅଥବା ରାସ୍ତାଘାଟ,ଏସବୁ ସ୍ଥାନରେ ତାଙ୍କୁ କିଏ ସାର ଡାକୁଥିଲେ ତ ଆଉ କିଏ ଭାଇ ବୋଲି ଡାକୁଥିଲେ । ହେଲେ ଏବେ ସାମରାୟ ସମସ୍ତଙ୍କ ପାଇଁ ଅଲୋଡା ପାଲଟି ଯାଇଛନ୍ତି, ଅର୍ଥାଭାବ ଯୋଗb ଓଳିଏ ଖାଇଲେ ଆର ଓଳିକୁ ଉପାସ ରହୁଛନ୍ତି ।

ନନ୍ଦୀକା ମୌଜାରେ ରେଳ ଲାଇନ କଡରେ ଥିବା ଏକ ଗୋଚର ପଡିଆରେ ପଲିଥିନ ଛପରେ ଭିତରେ ସେ ନିଜ ୮୦ ବର୍ଷିୟା ମା ସୁଗୀ ଓ ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ସାନ ପୁଅ ସୁନୀଲ ସହ ଅତି ଦୟନୀୟ ଅବସ୍ଥାରେ ବାସ କରୁଛନ୍ତି । ଭତ୍ତା,ଘର ଓ ସ୍ବାସ୍ଥ୍ୟସେବା ପାଇବା ପାଇଁ ସାମରାୟ ଚାତକ ପରି ଚାହିଁ ରହିଛନ୍ତି । ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସାମରାୟ ଟିବି ରୋଗରେ ପୀଡିତ ଥିବା ବେଳେ ଦାରିଦ୍ର୍ୟତା କାରଣରୁ ଏବେ ଔଷଧ ଟିକେ ପାଇବା ତାଙ୍କ ଭାଗ୍ୟରେ ଜୁଟୁ ନାହିଁ। ହସ୍ପିଟାଲକୁ ଯିବାକୁ ତାଙ୍କ ପାଖରେ ସାମର୍ଥ୍ୟ ନାହିଁ । ସାମରାୟଙ୍କ ପତ୍ନୀ ମଧ୍ୟ ଗତ କିଛି ବର୍ଷ ତଳେ ତାଙ୍କୁ ଛାଡି ଚାଲିଯାଇଥିବା ବେଳେ ବଡ ପୁଅ ଲୁବିନ ଏବେ ଆନ୍ଧ୍ର ପ୍ରଦେଶ ରେ ଏକ ଟାଇଲ କାରଖାନା ରେ ଦାଦନ ଶ୍ରମିକ ଭାବେ କାମ କରୁଛି । ଏହି ଲୁବିନର ରୋଜଗାରରେ ହିଁ ଚଳୁଛି ସାମରାୟଙ୍କ ପରିବାର । ଅନ୍ୟପକ୍ଷରେ ଆମେ ଏନେଇ ଜଳେଶ୍ଵର ପୌର ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ରଙ୍କୁ ପଚାରିବାରୁ ଖୁବଶୀଘ୍ର ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

ଦୟନୀୟ ଅବସ୍ଥାରେ ପୂର୍ବତନ କାଉନସିଲର, ରୋଗଶଯ୍ୟାରେ ଔଷଧ ଟିକେ ପାଇଁ ସଙ୍ଘର୍ଷ,ମିଳିନାହିଁ ଭୂମିହୀନ ପଟ୍ଟା,ମିଳିନାହିଁ ଘର । ପଲିଥିନ ଛପରେ ଭିତରେ ରହୁଛନ୍ତି ପୁରା ପରିବାର । ତେବେ ତୁରନ୍ତ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.