Below header

ରାମ ମନ୍ଦିରରେ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ, ଆଜି ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ବିଗ୍ରହ

ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟା ସହର । ପ୍ରାଣ ପ୍ରତିଷ୍ଠା ପୂଜାର ଦ୍ୱିତୀୟ ଦିନରେ ମନ୍ଦିରରେ ପୁରୁଷୋତମଙ୍କ ଶ୍ୟାମଳ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ ହୋଇଛି । ଆଜି ଗର୍ଭଗୃହରେ ରାମ ଲଲାଙ୍କ ମୂର୍ତ୍ତିକୁ ସ୍ଥାପନ କରାଯିବ ।

ନୂଆଦିଲ୍ଲୀ : ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ୨୨ ଜାନୁଆରୀରେ ସିଂହାସନରେ ବସିବେ ରାମଲଲା । ଏଥିପାଇଁ ଜୋରଦାର୍‌ ଚାଲିଛି ପ୍ରସ୍ତୁତି । ରାମମନ୍ଦିରକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ସବୁଠି ରାମନାମ । ସବୁଠି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଗୁଣଗାନ । ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟା ସହର ।

ପ୍ରାଣ ପ୍ରତିଷ୍ଠା ପୂଜାର ଦ୍ୱିତୀୟ ଦିନରେ ମନ୍ଦିରରେ ରାମ ଲାଲାଙ୍କ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ ହୋଇଛି । ବିବେକ ସୃଷ୍ଟି ଆଶ୍ରମରୁ କଡ଼ା ସୁରକ୍ଷା ବଳରେ ରାମ ଲାଲାଙ୍କ ଅଚଳ ପ୍ରତିମାକୁ ମନ୍ଦିର ପରିସରକୁ ଅଣାଯାଇଛି । ରାମଲଲାଙ୍କ ଆସନ ୩ ଦଶମିକ ୪ଫୁଟ ଉଚ୍ଚ ରହିଛି । ଯାହାକୁ ମକରାନା ପଥରରେ ତିଆରି କରାଯାଇଛି । ଶ୍ରୀରାମଙ୍କ ମୂର୍ତ୍ତି ମନ୍ଦିର ପ୍ରବେଶ ପୂର୍ବରୁ ପୁରା ରାମ ମନ୍ଦିରକୁ ଫୁଲରେ ସଜ୍ଜା ଯାଇଥିଲା । ମୂର୍ତ୍ତିକୁ ନିବୁଜ ଟ୍ରକରେ ବିରାଜମାନ କରାଇ କ୍ରେନ ଦ୍ବାରା ଅଣାଯାଇଛି । ଅଚଳ ପ୍ରତିମାକୁ ଆଜି ସ୍ବର୍ଣ୍ଣ ସିଂହାସନରେ ବିରାଜମାନ କରାଯିବ ।

ଗତକାଲି ରାମ ଜନ୍ମଭୂମି ପରିସରରେ ରାମଲାଲାଙ୍କୁ ଭ୍ରମଣ କରାଯାଇଛି । ପ୍ରତିମାର ଓଜନ ୨୦୦ କିଲୋଗ୍ରାମ ହୋଇଥିବାରୁ ଏହାକୁ ବୁଲାଇବାକୁ ସମ୍ଭବ ହୋଇନଥିଲା । ତେଣୁ ରାମଲଲାଙ୍କ ୧୦ କିଲୋର ଚାନ୍ଦି ମୂର୍ତ୍ତିକୁ ଭ୍ରମଣ କରାଯାଇଛି । ପୂର୍ବରୁ ରାମଲଲାଙ୍କ ଅଚଳ ପ୍ରତିମୂର୍ତ୍ତି ସମଗ୍ର ଅଯୋଧ୍ୟାରେ ବୁଲାଯିବାର ଯୋଜନା ଥିଲା । କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ କେବଳ ମନ୍ଦିର ପରିସରରେ ବୁଲାଇବା ପାଇଁ ଧାର୍ଯ୍ୟ ହୋଇଥିଲା ।

ଏପଟେ ଅଯୋଧ୍ୟାରେ ଆରମ୍ଭ ହୋଇଛି, ସୂର୍ଯ୍ୟ କୁଣ୍ଡ ଗାଥା। ଜାନୁଆରୀ ୧୯ରେ ଅଗ୍ନିକୁଣ୍ଡ ସ୍ଥାପନ ଏବଂ ନବଗ୍ରହ ପୂଜା ହେବ । ୨୦ ତାରିଖରେ ୮୧ କଳସ ଜଳ ଦ୍ୱାରା ଗର୍ଭଗୃହର ଶୁଦ୍ଧିକରଣ କରାଯିବ । ୨୧ରେ ୧୨୧ କଳସ ଜଳରେ ରାମଲଲାଙ୍କ ସ୍ନାନ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯିବ । ୨୨ ତାରିଖରେ ମୃଗଶିରା ନକ୍ଷତ୍ରରେ ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ରାମ ମନ୍ଦିର ଉଦଘାଟନୀ ସମାରୋହ ପୂର୍ବରୁ ଲେଜର ସୋ, ଅଯୋଧ୍ୟାକୁ ଆହୁରି ଆକର୍ଷିତ କରିଛି ।

ପ୍ରାଣ ପ୍ରତିଷ୍ଠା ପାଇଁ ଜାନୁଆରୀ ୨୨ରେ ସବୁ କୋର୍ଟ ଲାଗି ଛୁଟି ଘୋଷଣା ନିମନ୍ତେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ମନନ କୁମାର ମିଶ୍ର ଆଜି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ପ୍ରାଣ ପ୍ରତିଷ୍ଠାର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏ ନେଇ ମଣ୍ଡଳାୟୁକ୍ତ ଗୌରବ ଦୟାଲ କହିଛନ୍ତି, ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.