ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଓ ତାଙ୍କ ପତ୍ନୀ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ, ଯନ୍ତ୍ରୀଙ୍କୁ ୩ ବର୍ଷ କାରାଦଣ୍ଡାଦେଶ
ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ସୀମାଦ୍ରୀ ନାୟକ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଟିଟିଲାଗଡ : ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ସୀମାଦ୍ରୀ ନାୟକ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟ ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ମିଳିବ ବୋଲି କୋର୍ଟ କହିଛନ୍ତି।
ସୀମାଦ୍ରୀଙ୍କ ପତ୍ନୀ ଲକ୍ଷ୍ମୀ ନାୟକଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କଲେ କୋର୍ଟ। ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ନିର୍ଦ୍ଦେଶ ରହିଛି ।
ଏହାସହ ସୀମାଦ୍ରୀଙ୍କ ପେନସନ ବନ୍ଦ କରିବା ପାଇଁ ମଧ୍ୟ ଭିଜିଲାନ୍ସ ଲେଖିବ। ୨୦୧୪ ମସିହାରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୀମାଦ୍ରୀଙ୍କର ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ନବରଙ୍ଗପୁର ଉମରକୋଟ ଆର ଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଥିଲେ ସୀମାଦ୍ରୀ। ତାଙ୍କ ଠାରୁ ୩୮ ଲକ୍ଷ ୪୦ ହଜାର ୭୬୯ ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ।