ରେଲୱେରେ ବିଭିନ୍ନ ପଦବୀରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କାର ଠକେଇ

ରାଉରକେଲା(କେନ୍ୟୁଜ୍): ରେଲୱେରେ ବିଭିନ୍ନ ପଦପଦବୀରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କାର ଠକେଇ। ରାଉରକେଲା ଫର୍ଟିଲାଇଜର ଅଞ୍ଚଳର ୪୬ଜଣ ବେକାର ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଜଣକୁ ଗିରଫ କରିଛି ରଘୁନାଥପଲ୍ଲୀ ଥାନା ପୋଲିସ। ଅଭିଯୁକ୍ତ ଠକ ଯୁବକ ଦେବାଶିଷ ସାମନ୍ତରାୟର ଛେଣ୍ଡ କଲୋନୀ ସ୍ଥିତ ଘରେ ଚଢାଉ କରି ଗିରଫ କରିଛି ପୋଲିସ। ଚାକିରିର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକିବା ସହ ଅନ୍ୟ ଯୁବକ ଯୁବତୀଙ୍କୁ ଯୋଗାଡ଼ କରିଦେଲେ କମିସନ ଦେବାକୁ ମଧ୍ୟ କହିଥିଲା ଦେବାଶିଷ। ତେବେ ଠକାମୀର ଶିକାର ହେବା ଜାଣିବା ପରେ ଯୁବକ, ଯୁବତୀ ମାନେ ତାଙ୍କୁ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ। ବହୁତ ଦଉଡ଼ାଇବା ପରେ ଦେବାଶିଷ ସେମାନଙ୍କୁ ଚେକ୍ ଦେଇଥିଲେ। ତେବେ ଏହା ବାଉନ୍‌ସ ହୋଇଯିବା ପରେ ଠକାମୀର ଶିକାର ଯୁବକ ଯୁବତୀମାନେ ରଘୁନାଥପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏହି ଠକେଇ ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି।