ପଖାଳ ସାଥିରେ ଯୋଡି ହୋଇଛି ପରିବାର, ଜମୁଛି ଖାଇବା ଅସର; ସୋସିଆଲ ମିଡିଆରେ ଛାଇ ଯାଇଛି ପଖାଳ ଦିବସ ଶୁଭେଚ୍ଛା

ସାଲେପୁର(କେନ୍ୟୁଜ୍): ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଏହା କେବଳ ଓଡ଼ିଶାରେ ସୀମିତି ହୋଇ ରହିନାହିଁ ମାର୍ଚ୍ଚ-୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ରୂପେ ପାଳନ କରାଯାଏ । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ଯାହାକି ପଖାଳ ଦିବସ ରୂପେ ପାଳନ ହୋଇ ଆସୁଛି । କି ଧନୀ କି ଗରିବ ସମସ୍ତଙ୍କ ପାଖରେ ପଖାଳ ତାର ସ୍‌ୱତନ୍ତ୍ର ସ୍ଥାନ ବଜାଇ ରଖୁଛି ।

ସାଲେପୁର ଅଞ୍ଚଳ ରେ ଆଜିର ଦିନରେ ବିଭିନ୍ନ ପରିବାର ସଦସ୍ଯ ମାନେ ଏକାଠି ହୋଇ ଏହି ପଖାଳ ର ମଜା ନେଉଛନ୍ତି । ବିଭିନ୍ନ ପ୍ରକାର ପ୍ରସ୍ତୁତ ପଖାଳ ସାଙ୍ଗକୁ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଏହି ଦିବସ ଟିକୁ ପାଳନ କରୁଛନ୍ତି ଯାହା ଆମ ଓଡ଼ିଆର ପ୍ରାଣ ପଖାଳକୁ ଆହୁରି ପ୍ରିୟ ଭାଜନ କରି ପାରୁଛି । ପଖାଳ କାହା ପାଇଁ ସଞ୍ଜିବନୀ ତ ଆଉ କାହା ପାଇଁ ଗୋଟିଏ ଦିବସ ।  ଗାଁ ଗହଳିରେ ପଖାଳ ନିତିଦିନିଆ । ସକାଳୁ ସକାଳୁ ପଖାଳ କଂସାଏ ଖାଇ ଦେଇ ଯିଏ ଯାହାର କାମରେ ବାହାରି ଯାଆନ୍ତି । ପଖାଳ ଓଡ଼ିଆଙ୍କ ପାଇଁ କିଛି ସ୍‌ୱତନ୍ତ୍ର ଦିନ ନ ଥାଏ I ହେଲେ ଏବେ ଏହା ଏକ ଟ୍ରେଣ୍ଡ ହେଇଗଲାଣି I ହୋଟେଲ ମାନଙ୍କରେ ପଖାଳକୁ ନେଇ  ସ୍ବତନ୍ତ୍ର ଅଫର ମଧ୍ୟ ଦେଇଥାନ୍ତି ।

ଦୈନନ୍ଦିନ ଜୀବନର ଖାଦ୍ୟ ଭିତରେ ପଖାଳ ସଦା ସର୍ବଦା ସର୍ବଗେ ରହି ଆସିଛି

ପଖାଳ ଓଡ଼ିଶା ବ୍ଯତୀତ ଆସାମ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼, ଆନ୍ଧ୍ର ପ୍ରଦେଶରେ ମଧ୍ୟ ପ୍ରଚଳିତ । ହେଲେ ଏହି ସବୁ ରାଜ୍ଯରେ ପଖାଳର ଭିନ୍ନ ଭିନ୍ନ ନାମ ମଧ୍ୟ ରହିଛି ।  ଆସାମରେ “ପୋଇତା ଭାତ”, ପଶ୍ଚିମ ବଙ୍ଗରେ “ପନ୍ତ ଭାତ”, ଝାଡ଼ଖଣ୍ଡ ଓ ବିହାରରେ “ମାରା ଭାତ” ଓ ଛତିଶଗଡ଼ରେ ପଖାଳ ବା “ବୋରେ ଭାତ” ବୋଲି କୁହନ୍ତି । ତାମିଲନାଡୁରେ ପଖାଳ କୁ ବକାଳ ବାତ ବୋଲି କୁହନ୍ତି ।

ପଖାଳ କେବଳ ଖରା ଦିନରେ ପେଟକୁ ଥଣ୍ଡା ପାଇଁ ଖାଇନଥାନ୍ତି । ପଖାଳରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଚାଇଁ ପଖାଳ ଖାଇଲେ କୋଷ୍ଠ କାଠିନ୍ଯ, ଅଗ୍ନୀମାନ୍ଦ୍ଯ, ଅଜୀର୍ଣ୍ଣ ଓ ପେଟବ୍ଯଥା ଆଦି ରୋଗ ଦୂର ହୋଇଥାଏ । ପିତ୍ତ ରୋଗ ବିସୂଚିକା, ଅତିସାର ଭଳି ରୋଗ ପାଇଁ ପଖାଳ ତୋରାଣି ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ହେଲେ ଯେଉଁମାନଙ୍କର କଫ ସମସ୍ଯା ଅଛି ସେମାନେ ପଖାଳ ଠାରୁ ଦୁରେଇ ରହିବା ଭଲ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି । ତଥାପି ଆଧୁନିକତା ଏବଂ ବିଦେଶୀ ଖାଦ୍ୟର ପ୍ରତିଯୋଗିତା ମଧ୍ୟରେ ପଖାଳ ସବୁରି ମଣିଷର ରୁଚି ପାଲଟିଛି ।

ତେବେ ଆମ ଓଡ଼ିଆମାନେ ଯେଭଳି ପଖାଳକୁ ଗୁରୁତ୍ୱ ଦିଅନ୍ତି ଅନ୍ୟମାନେ ସେତିକି ଦିଅନ୍ତି ନାହିଁ । ଆଗରୁ ଏହାକୁ ନାକ ଟେକୁଥିବା ଲୋକେ ବି ଏବେ ପଖାଳ ଦିବସ ମନାଇବାକୁ ପଛାଉ ନାହାନ୍ତି । କାରଣ ଗରିବଙ୍କ ଖାଦ୍ୟ ବୋଲି କୁହାଯାଉଥିବା ପଖାଳ ଏବେ ବଡ଼ବଡ଼ିଆଙ୍କ ଜୀବନଧନ ପାଲଟିଛି । ତେଣୁ ଆଜି ଦେଖନ୍ତୁ କେମିତି ସୋସିଆଲ ମିଡିଆଠାରୁ ଆରମ୍ଭ କରି ସବୁ ଗଣମାଧ୍ୟମରେ ଛାଇ ରହିଛି ପଖାଳ ଦିବସ ଶୁଭେଚ୍ଛା । ଖରା ଦିନ ଆସିଲେ ସରକାର ବି କହିଲେଣି ପଖାଳ ମଣିଷକୁ ଅଂଶୁଘାତରୁ ରକ୍ଷା କରିବ । ତେଣୁ ଆମ ପୂର୍ବ ପୁରୁଷମାନେ ଖାଲି ଏମିତିରେ ପଖାଳ ଖାଉ ନଥିଲେ। ତା ପଛରେ ଅନେକ କାରଣ ଥିଲା । ଯାହା ଏବେ ସ୍ପଷ୍ଟ ହେଉଛି । ଆଉ ପ୍ରଚାର ହେବା ପରେ ପଖାଳର ମହତ୍ୱ ସହ ବେପାର ବି ବଢ଼ି ଚାଲିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.