ସହାୟତା ମିଳିବା ଲୋଭରେ ଯାହା କଲେ ପରିବାର ଲୋକେ, ଶୁଣିଲେ ଚକିତ ହେବେ

ଭଦ୍ରକ ( କେନ୍ୟୁଜ ) : ପ୍ରଥମେ ପୋତି ଦେଇଥିଲେ ପରେ ପୁଣି ମାଟି ତଳୁ କାଢ଼ି ଆଣିଲେ । ମହାବାତ୍ୟା ଅମ୍ଫାନ ସହାୟତା ଟଙ୍କା ପାଇବା ଆଶାରେ ଜଣେ ମୃତ ମହିଳାଙ୍କ ଶବକୁ ପ୍ରଥମେ ପୋତାଯିବା ଓ ପରେ ତାକୁ ପୁଣି ମାଟି ତଳୁ ପୁଣି କଢା ଯିବା ଘଟଣା ସମସ୍ତଙ୍କୁ କରି ଦେଇଛି ଆଶ୍ଚର‌୍ୟ୍ୟ। ଏପରି ଘଟଣା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନସ୍ଥ ବାରୋ ପଞ୍ଚାୟତର ବରୋଡିହ ଗାଁରେ ଦେଖିବାକୁ ମିଳିଛି। ୫୫ ବର୍ଷୀୟ ଜ୍ୟୋତ୍ସ୍ନାରାଣୀ ଦାସଙ୍କର ବାତ୍ୟା ଦିନ କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଏବଂ ସମ୍ପର୍କୀୟ ତାଙ୍କୁ ଶଶ୍ମାନରେ ମାଟି ତଳେ ପୋତି ଦେଇଥିଲେ।

କିଛି ରାଜନୈତିକ ସ୍ୱାର୍ଥ ଥିବା ବ୍ୟକ୍ତି ଶବ ବ୍ୟବଚ୍ଛେଦ କରାଇଲେ ସରକାରୀ ସହାୟତା ମିଳିବ ବୋଲି ତାଙ୍କୁ ବୁଝାଇ ଦେଲେ। ଫଳରେ ମୃତ ମହିଳାଙ୍କ ପରିବାର ଓ ସଂପର୍କୀୟ ଲୋକମାନେ କିଛି ଘଣ୍ଟା ପରେ ତାଙ୍କ ଶବକୁ ପୁଣି ମାଟି ଖୋଳି ବାହାର କରିଥିଲେ। ସ୍ଥାନୀୟ ତହସିଲଦାର ଓ ପୁଲିସକୁ ଖବର ଦେଇଥିଲେ। ତେବେ ତହସିଲଦାର ପୂର୍ବରୁ ଘଟଣାର ସତ୍ୟତା ଜାଣିଥିବାରୁ ଘଟଣା ସ୍ଥଳକୁ ଆସିନଥିଲେ। ଫଳରେ ସରକାରୀ ସହାୟତା ମିଳିବାର ଆଶ ନଥିବାରୁ ପରିବାର ଲୋକେ ପୁଣି ମହିଳାଙ୍କ ଶବକୁ ନେଇ ପୋତି ଦେଇଥିଲେ ।

Leave A Reply

Your email address will not be published.