ସରିଲା ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା, ୧୧ଦିନ ପରେ ବାପଘର ଛାଡି ମୁଖ୍ୟ ମନ୍ଦିରକୁ ଫେରିଲେ ମାଆ

ବ୍ରହ୍ମପୁର: ଶେଷ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା । ବିଳମ୍ବିତ ରାତି ୨ଟା ୧୫ମିନିଟରେ ବାପଘର ଛାଡି ମାଆ ମୁଖ୍ୟ ମନ୍ଦିରକୁ ଫେରି ଯାଇଛନ୍ତି । ଗତ ୯ ତାରିଖରେ ବୁଢୀ ସାଆନ୍ତାଣୀ ଝିଅ ରୂପେ ଆସିଥିଲେ ବାପ ଘର । ପ୍ରଥମେ ରାଜବାଟି ପରେ ବିଭିନ୍ନ ସାହି ଓ ପରେ ଜଉରା ସାହି ମାଉସୀ ମାଆଙ୍କ ଘରେ ଶେଷ ଦର୍ଶନ ଦେଇ ମୁଖ୍ୟ ମନ୍ଦିରକୁ ଫେରିଥିଲେ ।

ପ୍ରଥମେ ସହଶ୍ରାଧିକ ଶାନ୍ତିଘଟ ଯିବା ପରେ ମାଆଙ୍କ ମୁଖ୍ୟ ଘଟ ସମେତ ୮ଟି ପାର୍ଶ୍ୱ ଘଟ ଯାଇଥିଲା । ମାଆଙ୍କ ମୁଖ୍ୟଘଟକୁ ଦେଶୀବେହେରାଙ୍କ ପତ୍ନୀ ପି.ଦେବକୀ ମଣ୍ଡନ କରିଥିବା ବେଳେ ଅନ୍ୟ ୮ଟି ପାର୍ଶ୍ୱଘଟକୁ ଡେରା ସେନାପତିଙ୍କ ପତ୍ନୀମାନେ ମଣ୍ଡନ କରିଥିଲେ । ମାଆଙ୍କ ବିଦାୟୀ ବେଳେ ଢୋଲ, ମୃଦଙ୍ଗରେ ପ୍ରକମ୍ପିତ ହୋଇଥିଲା ପରିବେଶ । କୋଭିଟ କଟକଣା ପାଇଁ କେବଳ ସୀମିତ ସଂଖ୍ୟକ ପୂଜକ ଓ ସଦସ୍ୟଙ୍କୁ ନେଇ ଶୋଭାଯାତ୍ରା କରାଯାଇଥିଲା ।

ଦିର୍ଘ ୧୧ଦିନ ଧରି ମାଆ ବାପଘରେ ଥିବାରୁ ଖାଁ ଖାଁ ହୋଇପଡିଥିଲା ମୁଖ୍ୟ ମନ୍ଦିର । ଗତକାଲି ସଂଧ୍ୟାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଶଶୁର ଘର ପକ୍ଷରୁ ବାପଘରକୁ ଯାଇ ଆମନ୍ତ୍ରଣ କରାଯିବା ପରେ ମା ଆସିଥିଲେ । ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଥିଲା । ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ୧୦ପ୍ଳାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ସେପଟେ ୨ବର୍ଷ ପରେ ପୁଣି ଆସିବେ ମା । ଆଉ ଯାତ୍ରା ଧୁମ ଧାମରେ ପାଳନ କରାଯିବ ବୋଲି କହିଛନ୍ତି ଦେଶୀ ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.