Below header

ଧାନ ବିକିବାର ୩ଦିନ ଭିତରେ ଚାଷୀଙ୍କୁ ମିଳିବ ପ୍ରାପ୍ୟ, ମୁଣ୍ଡପିଛା ୩ କ୍ୱିଣ୍ଟାଲ କାଟ୍‌ ବ୍ୟବସ୍ଥା ଉଚ୍ଛେଦ

ଭୁବନେଶ୍ବର (କେନ୍ଯୁଜ୍) : ଚଳିତ ବର୍ଷ ୫୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସରକାର। ଗତ ବର୍ଷଠାରୁ ୬ ଲକ୍ଷ ମେଟ୍ରିକ ଟନ୍‌ ଅଧିକ। ଏହାସହ ଭାଗ ଓ ନାମମାତ୍ର ଚାଷୀଙ୍କୁ ସୁବିଧା ଦେବା ଲାଗି ମୁଣ୍ଡ ପିଛା ୩ କ୍ୱିଣ୍ଟାଲ କାଟ୍‌ ବ୍ୟବସ୍ଥା ଉଚ୍ଛେଦ ହୋଇଛି। ଆଜି ୨୦୧୮-୧୯ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ନୀତିକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛି ।

ଧାନ ବିକ୍ରୀ କଲେ, ୨୪ରୁ ୭୨ ଘଣ୍ଟା ଭିତରେ ସିଧା ଅନ ଲାଇନରେ ଚାଷୀଙ୍କ ବ୍ୟାଙ୍କ ଖାତାରେ ପହଞ୍ଚିବ ଅର୍ଥ। ଏହାସହ ମୁଣ୍ଡ ପିଛା ୩କ୍ୱିଣ୍ଟାଲ ଧାନକାଟି ବିକ୍ରି କରିବା ବ୍ୟବସ୍ଥା ଉଚ୍ଛେଦ ହୋଇଛି। ଫଳରେ ଅଧିକ ସଂଖ୍ୟାରେ ପ୍ରକୃତ ଚାଷୀ, ଭାଗଚାଷୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରୀ ବ୍ୟବସ୍ଥାରେ ସାମିଲ ହୋଇ ପାରିବେ। ପୂର୍ବରୁ ଚାଷୀ ତାଙ୍କ ପରିବାରର ପ୍ରତ୍ୟକ ସଦସ୍ୟଙ୍କ ପାଇଁ ୩ କ୍ୱିଣ୍ଟାଲ ଲେଖାଏଁ ଧାନ ରଖିବା ପରେ ବଳକା ସରକାରଙ୍କୁ ବିକ୍ରୀ କରୁଥିଲେ। ଆଜି ୨୦୧୮-୧୯ ଖରିଫ ବିପଣନ ବର୍ଷ ପାଇଁ ଧାନ ସଂଗ୍ରହ ନୀତି ଘୋଷଣା ହୋଇଛି।

ଏଥର ୫୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ହୋଇଛି ଲକ୍ଷ୍ୟ। ଅର୍ଥାତ ୩୭ ଲକ୍ଷ ଟନ୍‌ ଚାଉଳ ସଂଗ୍ରହ କରାଯିବ। ନଭେମ୍ବର ୨୦୧୮ରୁ ଏପ୍ରିଲ ୨୦୧୯ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ। ଓଡ଼ିଶା ଯୋଗାଣ ନିଗମ, ପ୍ୟାକ୍ସ, ଲ୍ୟାମ୍ପ୍ସ ଓ ପାଣି ପଞ୍ଚାୟତ ମାଧ୍ୟମରେ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ କରିବ। ଯଦି ଆବଶ୍ୟକ ପଡେ ଅନ୍ୟ ସଂଗ୍ରହକାରୀ ସଂସ୍ଥାଗୁଡିକୁ ଚାଉଳ ବଳକା ଜିଲ୍ଲାଗୁଡିକରେ ନିୟୋଜିତ କରାଯିବ। କୌଣସି ମିଲରଙ୍କ ପୂର୍ବ ବକେୟା ଥିଲେ ସେମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥାରେ ଅଂଶ ଗ୍ରହଣ କରିବାକୁ ଦିଆଯିବ ନାହିଁ। ଅଧିକରୁ ଅଧିକ ଭାଗ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଧାନସଂଗ୍ରହ ବ୍ୟବସ୍ଥାରେ ସାମିଲ ପାଇଁ ଗୁରୁତ୍ୱ ଦିଆଯାଇଛି।

୨୦୧୭-୧୮ରେ ୪୯ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା। ଏଥର, ୬ ଲକ୍ଷ ମେଟ୍ରିକ ଟନ୍‌ ଅଧିକ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି। କେନ୍ଦ୍ର ସରକାର ସାଧାରଣ ଧାନ ପାଇଁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଓ ଗ୍ରେଡ୍‌-ଏ ଧାନ ପାଇଁ ୧୭୭୦ ଟଙ୍କା ନିର୍ଦ୍ଧାରିତ କରିଛନ୍ତି। ଏହି ମୂଲ୍ୟରେ ଧାନ ସଂଗ୍ରହ ହେବ। ଅନ୍‌ ଲାଇନ୍‌ ବ୍ୟବସ୍ଥାରେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.