ଦୁଇ ଝିଅଙ୍କ ଆଗରେ ସବୁଦିନ ପାଇଁ ନିରବୀ ଗଲେ ବାମା ମାଆ, କାଳ ସାଜି ଆସିଲା ଆମ୍ବୁଲାନ୍ସ
ବାପା ଗାଡି ରଖି ଦେଖାଉଥିଲେ ମହାନୀର ଜଳସ୍ତରକୁ । ଆଉ ପାଣି ଦେଖି ଦୁଇ ଭଉଣୀ ଭାରି ଖୁସି ହେଉଥିଲେ କିନ୍ତୁ ବେଶୀ ସମୟ ରହିଲାନି ସେମାନଙ୍କ ଖୁସି। ବ୍ରିଜରେ ଛିଡ଼ାହୋଇ ଦୁଇ ଭଉଣୀ ପାଣି ଦେଖୁଥିବା ବେଳେ ଏପଟେ ବାପାମା’ଙ୍କ ଉପରେ ମାଡ଼ିଗଲା ଆମ୍ବୁଲାନ୍ସ।

ବୌଦ୍ଧ (କେନ୍ୟୁଜ) : ବାପା, ବାପା ଗାଡି ରଖ, ଆମେ ମହାନଦୀ ପାଣି ଦେଖିବୁ…ଏୟା କହି ଗାଡିରୁ ଧପକି ଓହ୍ଲାଇ ପଡିଲେ, ବ୍ରିଜ୍ ଉପରେ ଛିଡା ହୋଇ ପାଣି ଦେଖିଲେ, ଆଉ ତାପରେ ଘଟିଗଲା ବଡ ଅଘଟଣ । ବାପା ସେଇଠି ନିରବୀ ଗଲେ ସବୁଦିନ ପାଇଁ ।ମାମୁଁ ଘରୁ ବଡ ଆନନ୍ଦରେ ବାପା ମାଆଙ୍କ ସାଥିରେ ବାହାରିଲେ ଘରକୁ । ଆସୁଆସୁ ବାଟରେ ପଡିଳା ମହାନଦୀ । ତେଣୁ ପାଣି ଦେଖିବାକୁ ଗାଡିରୁ ଓହ୍ଲାଇପଡିଲେ ଦୁୁଇ ଭଉଣୀ । ବ୍ରିଜ ଉପରେ ଠିଆ ହୋଇ ମହାନଦୀରେ ପାଣି ଦେଖି ଖୁସି ହେଉଥିଲେ। ବାପା ମାଆ ପାଖରେ ଥିଲେ । ବାପା ଗାଡି ରଖି ଦେଖାଉଥିଲେ ମହାନୀର ଜଳସ୍ତରକୁ । ଆଉ ପାଣି ଦେଖି ଦୁଇ ଭଉଣୀ ଭାରି ଖୁସି ହେଉଥିଲେ କିନ୍ତୁ ବେଶି ସମୟ ରହିଲାନି ସେମାନଙ୍କ ଖୁସି। ବ୍ରିଜରେ ଛିଡ଼ା ହୋଇ ଦୁଇ ଭଉଣୀ ପାଣି ଦେଖୁଥିବା ବେଳେ ଏପଟେ ବାପାମା’ଙ୍କ ଉପରେ ମାଡ଼ିଗଲା ଆମ୍ବୁଲାନ୍ସ। ପଛକୁ ବୁଲି ଚାହିଁଲା ବେଳକୁ ମୁଣ୍ଡ ଉପରୁ ବାପା ମାଆଙ୍କ ହାତ ଚାଲି ଯାଇଥିଲା । ଦୁର୍ଘଟଣାରେ ଚାଲିଗଲା ବାପାମା’ଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। ମୃତ ଦମ୍ପତି ହେଲେ ମିଟୁ ବେହେରା ଓ ତାଙ୍କ ସ୍ତ୍ରୀ ମନୋରମା ବେହେରା।
ଆଜି ସକାଳେ ମିଟୁ ଦୁଇ ଝିଅ ଓ ସ୍ତ୍ରୀଙ୍କୁନେଇ ବାଇକ୍ ଯୋଗେ ଆଠମଲ୍ଲିକରୁ ବୌଦ୍ଧ ଆସୁଥିଲେ। ବୌଦ୍ଧ ଟାଉନ ଥାନା ଅନ୍ତର୍ଗତ ମହାନଦୀ ବ୍ରିଜରେ ଦୁଇ ଝିଅ ପାଣି ଦେଖିବାକୁ ଜିଦ୍ କରିଥିଲେ। ମିଟୁ ଦୁଇ ପିଲାଙ୍କ ଜିଦ୍ ରକ୍ଷା କରି ଗାଡ଼ି ଅଟାଇଥିଲେ। ଦୁଇ ଝିଅ ବ୍ରିଜ ଉପରେ ଠିଆ ହୋଇ ପାଣି ଦେଖିବାକୁ ଯାଇଥିଲେ। ଛୋଟ ପିଲା ଦୁଇ ଜଣ ପାଣି ଦେଖି ଖୁସି ହେଉଥିଲେ। ହେଲେ ସେହି ଟିକକ ଖୁସି ଜୀବନ ସାରାର ଦୁଃଖ ଦେଇଗଲା । ଏପଟେ ବାପା ମା’ ଗାଡ଼ି ଉପରେ ବସି ଦୁଇ ଛୁଆଙ୍କ ଖୁସିକୁ ଦେଖୁଥିଲେ। ସେମାନଙ୍କୁ ଅପେକ୍ଷା କରିଥିଲେ। ବୋଧେ ଦଇବ ସହିଲା ନାହିଁ । ଠିକ୍ ଏହି ସମୟରେ ଯମ ଦୂତ ଭଳି ଏକ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଆସି ମିଟୁ ଓ ତାଙ୍କ ସ୍ତ୍ରୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ଘଟଣାସ୍ଥଳରେ ହିଁ ମିଟୁଙ୍କର ପ୍ରାଣବାୟୁ ଉଡିଗଲା । ଆଉ ଡାକ୍ତରଖାନାରେ ସ୍ତ୍ରୀ ମନୋରମା ମୃତ୍ୟୁ ସହ ସଂଗ୍ରାମ କରି ପାରିଲେନି । ହାରିଗଲେ । ସେ ବି ସ୍ୱାମୀଙ୍କ ସହ ଚାଲିଗଲେ ପରପାରିକୁ । ହଜାର ହଜାର ଲୋକଙ୍କୁ ନିଜ ଭିତରେ ନେଇ ଡାକ୍ତରଖାନାରେ ପହଞ୍ଚାଉଥିବା ଆଉ ଜୀବନ ଦେଉଥିବା ଆମ୍ବୁଲାନ୍ସ ଏମାନଙ୍କ ପାଇଁ କାଳ ସାଜିଲା ।
ସ୍ୱାମୀ ସ୍ତ୍ରୀ ସିନା ଏକାଠି ଚାଲିଗଲେ ଯେମିତି ବାହା ବେଦୀରେ ହୋମ ଅଗ୍ନିକୁ ସାକ୍ଷୀ ରଖି ମୃତ୍ୟୁ ଯାଏ ସାଥୀ ହୋଇ ରହିବେ ବୋଲି ଶପଥ କରିଥିଲେ । କିନ୍ତୁ ଛାଡି ଚାଲିଗଲେ ଦୁଇ କଅଁଳା ପିଲାଙ୍କୁ । ଦୁଇ ଝିଅ ବାପାମା’ଙ୍କୁ ହରାଇ ଭୋଭୋ ହୋଇ କାନ୍ଦୁଛନ୍ତି। ଭାବୁଛନ୍ତି ବୋଧହୁଏ ଆମେ ବାପାଙ୍କୁ ମହାନଦୀ ଦେଖିବାକୁ ଜିଦି ନଧରିଥିଲେ ଆମେ ଆଜି ସେମାନଙ୍କୁ ହରାଇ ନଥାନ୍ତୁ । ବାପା ମାଆ ଛେଉଣ୍ଡ ହୋଇ ନଥାନ୍ତୁ । ତେବେ ଯାହା ସୂଚନା ରହିଛି ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ମୃତ୍ୟୁ ତ ଏକ ବାହାନା ଥିଲା ମିଟୁ ଆଉ ତାଙ୍କ ସ୍ତ୍ରୀକୁ ନେବାର ଯେମିତି ବାଟ ଖୋଜୁଥିଲା । ହେଲେ କି ଦୋଷ କରିଥିଲେ ଏଇ ଦୁଇ ନିରୀହ ପିଲା ? ତାର ଉତ୍ତର କେବଳ ଭାଗ୍ୟ ପାଖରେ ଥିବ ।