ପ୍ରେମରେ ପଡ଼ି ଝିଅ ଭୁଲିଗଲା ବାପାର ସ୍ନେହ ମମତା ସମ୍ମାନ, ଯାହାକୁ ସହ୍ୟ କରି ପାରିଲେନି ବାପା ଜୀଅନ୍ତା ଶୁଦ୍ଧି ହୋଇପଡ଼ିଲେ

ବାପା ପାଠ ପଢ଼ାଇଲା, ମଣିଷ କଲା । ପର ଘରେ ରାତି ରାତି ଆଠ ମାସିଆ ଖଟି ଶିକ୍ଷିତ କଲି । ଆଜି ସେହି ବାପାର ସ୍ନେହ ମମତାକୁ ଭୁଲି ସମ୍ମାନକୁ ଭୁଲି ପର ପୁଅ ପାଖକୁ କେମିତି ଚାଲିଗଲୁ ?

ଚାନ୍ଦବାଲି (କେନ୍ୟୁଜ) : ଏମିତି ଭଲ ପାଇଲୁ ଲୋ ଝିଅ ଭୁଲିଗଲୁ ବାପା ମାଙ୍କ ସ୍ନେହ ? ଆକଟ କଲି ବୋଲି ଥାନାରେ ମୋ ନାଁରେ ଏଫଆଇଆର ଦେଲୁ । ବାପା ପାଠ ପଢ଼ାଇଲା, ମଣିଷ କଲା । ପର ଘରେ ରାତି ରାତି ଆଠ ମାସିଆ ଖଟି ଶିକ୍ଷିତ କଲି । ଆଜି ସେହି ବାପାର ସ୍ନେହ ମମତାକୁ ଭୁଲି ସମ୍ମାନକୁ ଭୁଲି ପର ପୁଅ ପାଖକୁ କେମିତି ଚାଲିଗଲୁ ? ତୋତେ କଣ ମୁଁ ଏଇଥିପାଇଁ ପାଠଶାଠ ପଢ଼ାଇଥିଲି, ବାପା ମୁହଁକୁ ଟିକେ ଚାହିଁଲୁନି ? ବାପା ଆକଟ କଲା ବୋଲି ତୁ ଝିଅ ହୋଇ ବାପା ନାଁରେ ଥାନାରେ ଏତଲା ଦେଲୁ ? ଏମିତି ସବୁ କହି ଯାଉଛନ୍ତି ବାପା ।

ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳର ଦୃଶ୍ୟ । ଯେଉଁଠି ଜଣେ ବାପା ଝିଅ ବଞ୍ଚିଥିବା ବେଳେ ତାକୁ ଜୀଅନ୍ତା ଶୁଦ୍ଧି ହୋଇ ପଡିଛନ୍ତି । କାହିଁକି ନା ଝିଅ ତାଙ୍‌କ କଥା ମାନିଲାନି । ପୁଣି ଯାହା କଲା ତ କଲା ବାପା ନାଁରେ ଥାନାରେ ଏତଲା ବି ଦେଇଦେଲା । ଆଉ କୋଉ ଝିଅ ତା ବାପାମାଆଙ୍କ ସାଥିରେ ଏମିତି କରିବନି କହି ଝିଅକୁ ଜୀଅନ୍ତା ଶୁଦ୍ଧି ହୋଇପଡ଼ିଛନ୍ତି ବାପା । ଝିଅକୁ ଯେତେ ବୁଝାଇଲେ ଶୁଣିଲାନି, ତାକୁ ବୁଝାସୁଝା କରି ଘରକୁ ନେବା ପାଇଁ ଆସିଥିଲେ, କିନ୍ତୁ ଝିଅର ଗୋଟାଏ ଜିଦ୍‌ ମୁଁ ସେଇ ପୁଅ ପାଖେ ରହିବି । ମୁଁ ତାକୁ ବାହା ହେଇଛି ମୁଁ ତାରି ପାଖରେ ରହିବି ।

ଜନ୍ମ କରି ବାପା ଏଡ଼େରୁ ଏଡୁଟେ କଲା । ହେଲେ କେଇ ମାସର ଭଲ ପାଇବା ଝିଅକୁ ବାପାଠାରୁ ଛଡ଼ାଇ ନେଲା । ବାପା , ମାଆକୁ ନଅନାଇ ଭଲ ପାଇଥିବା ପୁଅ ସହ ଘରୁ ପଲେଇଲା । ଖାଲି କଣ ସେତିକି ବାପା ଆକଟ କଲେ, ବିରୋଧ କଲେ ବୋଲି ବାପା ନାଁରେ ଚାନ୍ଦବାଲି ଥାନାରେ ଏତଲା ଦେଲା ଝିଅ । ଯାହାକୁ ସହ୍ୟ କରି ପାରିଲେନି ବାପା । ଚାନ୍ଦବାଲି ଥାନା ଛକରେ ନିଆଁ ଜାଳି ଝିଅକୁ ଶୁଦ୍ଧି ହେଲା ବୋଲି କହିଲେ। ତେବେ ଏହି ଘଟଣା ଏବେ ଚାନ୍ଦବାଲିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯାହା ଖବର ରହିଛି ଚାନ୍ଦବାଲି ଥାନା ଇଟୁଆ ଗାଁର କାଳି ଚରଣ ପଣ୍ଡାଙ୍କ ଝିଅ ଯୁକ୍ତ ତିନିର ପାଠ ପଢନ୍ତି । ହେଲେ ଝିଅ ପାଠ ପଢୁଥିବା ସମୟରେ ଘଂଟେଶ୍ବର ତରଫରାଇପୁର ଗାଁର ଜଣେ ଯୁବକକୁ ଭଲ ପାଇଲା । ଏବେ ସେହି ଯୁବକକୁ କୋର୍ଟ ମ୍ୟାରେଜ କରିଥିବା କଥା କହୁଛି ଝିଅ । ହେଲେ ଝିଅର ବାପା ଏ ବାହାଘରରେ ରାଜି ନଥିବାରୁ ବାହାଘରକୁ ବିରୋଧ କରୁଛନ୍ତି । ଖାଲି ବାପା କାହଁକି ପରିବାର ଲୋକେ ମଧ୍ୟ ବିରୋଧ କରୁଛନ୍ତି । ବାପାର ଅଭିଯୋଗ ହେଉଛି କି ଝିଅ ଯେଉଁ ପୁଅ ସହ ଯାଇଛି ସେ ପୁଅ ପୂର୍ବରୁ ଦୁଇଟା ବାହା ହୋଇ ବିଦା କରିଛି । ତେବେ ଏସବୁ କଥା ଶୁଣିବାକୁ କି ମାନିବାକୁ ପ୍ରସ୍ତୁତ ହେଲାନି ଝିଅ । ପରିବାର ଲୋକଙ୍କ କଥାକୁ ଆଡ଼େଇ ଦେଇ ଭଲ ପାଉଥିବା ଯୁବକ ସହ ପଳାଇ ଗଲା । ତାହା ସହ ପରିବାର ଲୋକ ତାକୁ ମାରଧର କରୁଥିବା ସେ ଚାନ୍ଦବାଲି ଥାନାରେ ମଧ୍ୟ ଏତଲା ଦେଇଛି ଝିଅ । ଯାହା ପରେ ଝିଅର ବାପା ଥାନା ଛକରେ ନଡ଼ାରେ ନିଆଁ ଲଗାଇ ଝିଅକୁ ଶୁଦ୍ଧି ହେଲେ ବୋଲି ଚିତ୍କାର କରି କରି କହିଲେ । ସମସ୍ତଙ୍କ ଆଗରେ ନିଜର ଅଭିମାନ, କ୍ରୋଧକୁ ଜାହିର କଲେ । କାରଣ ତାଙ୍କୁ ଖୁବ୍‌ ବାଧିଛି ଝିଅର ଏପରି ଆଚରଣ ।

ତେବେ ଆମେ କହିବାକୁ ଚାହିଁବୁ ଯେ ଭଲ ପାଇବା ଖରାପ ନୁହେଁ ଭଲପାଇ ବାହା ହେବା ବି ଭଲ କଥା । କିନ୍ତୁ ବାପା ମାଆଙ୍କ ସ୍ନେହ ମମତା ବାପା ମାଆଙ୍କ ଭାବନା ସମ୍ମାନକୁ ଭୁଲିଯିବା ବି ଠିକ୍‌ ନୁହେଁ । ବାପା ମାଆ ଜନ୍ମ ଦେଇ ଛୋଟରୁ ବଡ କଲେ, ସବୁ ଅଳି ଅର୍ଦ୍ଦଳି ସହି ବଡ କଲେ, ତାଙ୍କ ପାଇଁ ବି ଆମ ପିଲାମାନଙ୍କର କର୍ତ୍ତବ୍ୟ ଅଛି । ତାଙ୍କ ମନରେ ଆଘାତ ଦେଇ ତାଙ୍କୁ କଷ୍ଟ ଦେଇ ଜଣେ ପୁଅ ପାଇଁ ଏମିତି ବାପାକୁ ଦାଣ୍ଡରେ ଛିଡା କରିଦେବା ଆଦୌ ବି ଶୋଭନୀୟ ନୁହେଁ । ସବୁବେଳେ ବାପା ମା ପିଲାର ଭଲ ଚିନ୍ତା କରନ୍ତି । ହୁଏତ କେବେ କେବେ ନିଜ ଜିଦ୍‌ ଯୋଗୁଁ ଭୁଲ କରି ବସନ୍ତି ତେବେ ସେମାନଙ୍କୁ ବୁଝାଇ ଶୁଝାଇ ନିଜ କଥା ମନେଇ ନେବା ଉଚିତ । କାରଣ ସେମାନେ ଆମ ଠାରୁ ଅଧିକ ଦୁନିଆଁ ଦେଖିଛନ୍ତି । ଆମର କିଛି ଅସୁବିଧା ହେଲେ ସେଇମାନେ ହିଁ ଆମର ଦୁଃଖ ବୁଝିବେ । ତେଣୁ ଯୁବ ପିଢ଼ି ଏସବୁ ବୁଝିବା ଉଚିତ । କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବୁଝି ବିଚାରି ପାଦ ବଢ଼ାଇଲେ ଆଗକୁ ବିପଦ ପଡ଼ିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.