ଶେଷ ହୋଇଛି କନ୍ଧମାଳରେ ଦୁଇଦିନ ଧରି ଚାଲିଥିବା ମେଗା ନିଯୁକ୍ତି ମେଳା, ଚାକିରୀ ପାଇବେ ୭ ହଜାର ଯୁବକ ଯୁବତୀ

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାଧାନରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଯୁବକ ଓ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇଦେବା ପାଇଁ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଚାଲିଥିବା ମେଗା ନିଯୁକ୍ତି ମେଳା ଶେଷ ହୋଇଛି । ଏଥିରେ ସମଗ୍ର ଦେଶରୁ ୭୧ଟି କମ୍ପାନୀ ଯୋଗଦେଇଥିଲେ । ଏହି ୨ଦିନିଆ ନିଯୁକ୍ତି ମେଳାରେ ବିଭିନ୍ନ କମ୍ପାନୀରେ ଚାକିରୀ ପାଇଁ ଜିଲ୍ଲାର ୭ ହଜାର ଯୁବକ ଯୁବତୀ ମନୋନୀତ ହୋଇଛନ୍ତି । ଏହି ଯୁବକ ଯୁବତୀଙ୍କ ସର୍ବନିମ୍ନ ମାସିକ ବେତନ ୧୦ ହଜାର ଟଙ୍କା ଥିବାବେଳେ ସର୍ବାଧିକ ବେତନ ରହିଛି ୨୦ ହଜାର ଟଙ୍କା । ଏହାସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ମଧ୍ୟ କମ୍ପାନୀମାନେ ପ୍ରଦାନ କରିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କ ମଧ୍ୟରୁ ଅଧିକାଂଶଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀରୁ କମ୍‌ ହୋଇଥିବାବେଳେ ସମସ୍ତ ଯୁବକ ଯୁବତୀ ଗ୍ରାମାଞ୍ଚଳରୁ ଆସିଥିଲେ ।

ଏହି ନିଯୁକ୍ତି ମେଳାରେ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୪ ହଜାର ଯୁବକ ଯୁବତୀ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୨ ହଜାର ପିଲା ପଞ୍ଜୀକରଣ କରିଥିଲେ। ଗୁରୁବାର କନ୍ଧମାଳ ଜିଲ୍ଲା, ସଦର ମହକୁମା ଫୁଲବାଣୀରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ଫୁଲବାଣୀ, ବାଲିଗୁଡା, ଜି.ଉଦୟଗିରି, ତୁମୁଡିବନ୍ଧ, କେ.ନୂଆଗାଁ, ଦାରିଙ୍ଗିବାଡି, ଟିକାବାଲି, ରାଇକିଆ, ଚକାପାଦ, ଫିରିଙ୍ଗିଆ, ଖଜୁରୀପଡା, କୋଟଗଡ ବ୍ଳକ ସମେତ ଫୁଲବାଣୀ ପୌରାଞ୍ଚଳ, ନୟାଗଡ ଜିଲ୍ଲାର ଦଶପଲ୍ଲା, ଗଣିଆ ଓ ନୂଆଗାଁ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଲକର ୧୨ ହଜାର ଯୁବକ ଯୁବତୀ ଯୋଗଦେଇଥିବାବେଳେ ସେଥିମଧ୍ୟରୁ ୧୦ ହଜାର ପଞ୍ଜୀକରଣ କରିଥିଲେ ।

ଏଥିରେ ୬ ହଜାର ୩ଶହ ଯୁବକ ଯୁବତୀ ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୧୩ଶହ ପିଲା ତାଲିମ ପରେ ନିଯୁକ୍ତି ପାଇବା ଲାଗି ମନୋନୀତ ହୋଇଛନ୍ତି । ସେହିପରି ଆଜି ବୌଦ୍ଧଠାରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ୨୦ରୁ ଅଧିକ କମ୍ପାନୀ ଯୋଗଦେଇଥିବାବେଳେ ବୌଦ୍ଧ ଓ କଣ୍ଟାମାଳ ବ୍ଲକର ୨ହଜାର ପିଲା ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ୭ଶହ ଯୁବକ ଯୁବତୀ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ। ଏହି ମେଗା ନିଯୁକ୍ତି ମେଳା ଆୟୋଜନ ପାଇଁ ସାଂସଦ ଡ.ସାମନ୍ତ ଦୀର୍ଘ ୬ ମାସ ଧରି ଉଦ୍ୟମ କରିଆସୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.