ଭୋଟ ଦେବା ଆଙ୍ଗୁଠିରୁ ସହଜରେ ଛାଡ଼େନି କାଳି ଚିହ୍ନ, ଜାଣନ୍ତୁ ସିକ୍ରେଟ୍‌ ଫର୍ମୁଲା

ଭୋଟ୍ ଦେବା ପରେ ମତଦାନ କର୍ମଚାରୀମାନେ ଭୋଟରଙ୍କ ବାମ ହାତର ବିଶି ଆଙ୍ଗୁଠିରେ ବାଇଗଣୀ ରଙ୍ଗର କାଳି ଲଗାନ୍ତି, ଯାହା ଦ୍ୱାରା ଭୋଟର ତାଙ୍କ ଭୋଟ୍ ଦେଇଛନ୍ତି ବୋଲି ଜଣା ପଡ଼ିଯାଏ ।

ଆପଣଙ୍କ ଆଙ୍ଗୁଠିରେ ଯେ କୌଣସି କାଳି ଲାଗିଲେ ଏହା ସାଙ୍ଗେ ସାଙ୍ଗେ ଛାଡ଼ିଯାଏ । କିନ୍ତୁ ଭୋଟ ଦେବା ପରେ ଆଙ୍ଗୁଠିରେ ଯେଉଁ କାଳି ଲଗାଯାଏ ତାହା ସହଜରେ ଛାଡ଼ି ନଥାଏ । ଏହା ପଛରେ କାରଣ କଣ? ଆପଣ କେବେ ଏ ବିଷୟରେ ଚିନ୍ତା କରିଛନ୍ତି କି ? ଏହି କାଳି କାହିଁକି ସହଜରେ ଛାଡ଼େ ନାହିଁ ଆସନ୍ତୁ ଜାଣିବା ।

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହୋଇଛି । ଭୋଟ୍ ଦେବା ପରେ ମତଦାନ କର୍ମଚାରୀମାନେ ଭୋଟରଙ୍କ ବାମ ହାତର ବିଶି ଆଙ୍ଗୁଠିରେ ବାଇଗଣୀ ରଙ୍ଗର କାଳି ଲଗାନ୍ତି, ଯାହା ଦ୍ୱାରା ଭୋଟର ତାଙ୍କ ଭୋଟ୍ ଦେଇଛନ୍ତି ବୋଲି ଜଣା ପଡ଼ିଯାଏ । ଆପଣ ଏହାକୁ ଯେତେ ସଫା କରିବାକୁ ଚେଷ୍ଟା କଲେ ମଧ୍ୟ ଏହି କାଳି ସହଜରେ ଆଙ୍ଗୁଠିରୁ ଛାଡ଼ି ନଥାଏ । କିନ୍ତୁ ଏପରି କାହିଁକି ହୁଏ ଆସନ୍ତୁ ଜାଣିବା ।

ଭୋଟ୍ ଦେବା ପରେ ବ୍ୟବହାର ହେଉଥିବା କାଳିକୁ ଇନଡେଲିବଲ୍‌ ଇଙ୍କ୍‌ କୁହାଯାଏ । ଏହି କାଳିରେ ସିଲଭର ନାଇଟ୍ରେଟ ଥାଏ, ଯାହା ଆପଣଙ୍କ ତ୍ୱଚା କିମ୍ବା ନଖର ସଂସ୍ପର୍ଶରେ ଆସିବା ପରେ ଅଧିକ ଗାଢ଼ ହୋଇଯାଏ । ସିଲଭର ନାଇଟ୍ରେଟ୍ ର ଖାସ୍‌ କଥା ହେଉଛି ଏହାର ଚିହ୍ନ ଅନେକ ଦିନ ପର୍ଯ୍ୟନ୍ତ ଛାଡ଼େ ନାହିଁ । ଯେଉଁଠାରେ କାଳି ବ୍ୟବହାର କରାଯାଏ ସେହି ସ୍ଥାନରେ ନୂଆ ସେଲ୍‌ କିମ୍ବା ନଖ ନବଢ଼ିବା ଯାଏଁ ଏହି ଚିହ୍ନ ସହଜରେ ଛାଡ଼ି ନଥାଏ । ନିର୍ବାଚନରେ ବ୍ୟବହାର କରାଯାଉଥିବା କାଳିରେ ସିଲଭର୍‌ ନାଇଟ୍ରେଟ୍ ବ୍ୟତୀତ ଅନ୍ୟାନ୍ୟ ଜିନିଷ ମଧ୍ୟ ବ୍ୟବହାର ହୁଏ । କିନ୍ତୁ ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନୀ ଏହି ଫର୍ମୁଲାକୁ ସେୟାର କରି ନାହିଁ ।

ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଏହି ସ୍ୱତନ୍ତ୍ର କାଳିକୁ ବ୍ୟବହାର କରାଯାଏ । ଏହି କାଳି ବ୍ୟବହାର କରିବା ଦ୍ୱାରା ଭୋଟରେ ହେରଫେର ହୋଇପାରିବନି ବୋଲି ବିଶ୍ୱାସ ରହିଛି । ୧୯୬୨ ମସିହାରୁ ଆଜି ପର୍ଯ୍ୟନ୍ତ କେବଳ ଗୋଟିଏ କମ୍ପାନୀ ନିର୍ବାଚନ ପାଇଁ କାଳି ପ୍ରସ୍ତୁତ କରୁଛି । ଏହି କମ୍ପାନୀର ନାମ ହେଉଛି ମଇଶୁର ପେଣ୍ଟସ୍ ଆଣ୍ଡ ଭାନିଶ୍ ଲିମିଟେଡ୍ (MPVL) । ଏହା କର୍ଣ୍ଣାଟକ ସରକାରଙ୍କ ଅଧିନ କମ୍ପାନୀ । MPVL ନ୍ୟାସନାଲ୍ ଫିଜିକାଲ୍ ଲାବୋରେଟୋରୀ ସାହାଯ୍ୟରେ କାଳି ଉତ୍ପାଦନ କରେ ।

କାଳିର ମୂଲ୍ୟ କେତେ?
ନିର୍ବାଚନ ପାଇଁ ବ୍ୟବହାର ହେଉଥିବା ଏହି କାଳିର ଗୋଟିଏ ବୋତଲରୁ ପାଖାପାଖି ୭୦୦ ଆଙ୍ଗୁଠିରେ କାଳି ଲଗାଇହେବ । ପ୍ରତ୍ୟେକ ବୋତଲରେ ୧୦ ML କାଳି ଥାଏ ଏବଂ ଏହାର ମୂଲ୍ୟ ପ୍ରାୟ ୧୨୭ ଟଙ୍କା ରହିଛି । ତେବେ ୧ ଲିଟର କାଳିର ମୂଲ୍ୟ ପ୍ରାୟ ୧୨,୭୦୦ ଟଙ୍କା ହେବ ।

You might also like